ବାଦୁଡି ଯେଉଁ ମୁଖରେ ଖାଏ ସେହି ମୁଖରେ ହଗେ କାହିଁକି ? 

    ସାରା ତୀପୁରରେ ଜଣେ ବିଷ୍ଣୁ ଭକ୍ତ ବ୍ରାହ୍ମଣ ରାଜା ଥିଲେ । ନାଙ୍କ ନାମ ଥିଲା ସାରାବତ । ସେ ସର୍ବଦା ବିଷ୍ଣୁଙ୍କୁ ପୂଜା କରୁଥିବାରୁ  ଯମଦୂତମାନେ ତାଙ୍କ କଟକକୁ ପଶି ପାରୁନଥିଲେ । ତାଙ୍କ କଟକଟରେ  ବହୁ ବିଦ୍ଯାରେ ପରିପୂର୍ଣ୍ଣ ଜଣେ ବ୍ରାହ୍ମଣ ବାସକରୁଥିଲା । ନାନା ବେଦ ଓ ଶାସ୍ତ୍ର ଅଧ୍ଯୟନ କରିଥିବାରୁ ବେଦାନ୍ତିକ(ବୈଦେଶ୍ବର) ପଣ୍ଡା ନାମରେ ଖ୍ଯାତ ହୋଇଥିଲା । ବିଭିନ୍ନ ବେଦଶାସ୍ତ୍ର ପଢିଥିବା ହେତୁ ଦିନେ ସେହି ବ୍ରାହ୍ମଣର ମତିଭ୍ରମ ହେଲା । ସର୍ବଦା ତା'ର ମନ ଅନ୍ଯତ୍ର ରହୁଥିବାରୁ ତାକୁ ଧର୍ମ ଛାଡିଗଲା । ତେଣୁ ଯମଦେବତା ତାକୁ ନେଇଗଲେ ହେଲେ ସେ ସର୍ବଦା ବିଷ୍ଣୁ ନାମ ଜପୁ ଥିବାରୁ ଯମରାଜା ତା'ର ସାହାଟିକୁ ବଞ୍ଚାଇ ରଖିଲେ । କିନ୍ତୁ ତା'ର ବନ୍ଧୁ ବାନ୍ଧବମାନେ ତାକୁ ନେଇ ବଇଧୃତି ନଦୀ କୂଳରେ ପୋତିଦେଲେ । ଏମିତି କେତେଦିନ ବିତିଗଲା । ସାତଦିନ ଧରି ଆହାର ନ ପାଇ ଏଣେତେଣେ ବୁଲୁଥିବା କାଳମୁଖା ନାମକ ଏକ ଶୃଗାଳ କୂଳରେ ଥିବା ଏକ ଉଚ୍ଚ ସ୍ଥାନକୁ ଉଠିଯାଇ ଚାରି ଦିଗକୁ ଅନାଇଲା ଖାଦ୍ଯ ଆଶାରେ । ଏହି ସମୟରେ ଗୋଟିଏ ଜାଗାରେ ଏକ ମଢ ପୋତା ଯାଇଥିବାର ଦେଖିବାକୁ ପାଇ ସେହି ମଢ ନିକଟକୁ ଆସିଗଲା । ମନଖୁସିରେ କୁହାଟଟିଏ ମାରି ଚାରିଗୋଡ ଲଗାଇ ମାଟି ଖୋଳି ଗାତ ଭିତରକୁ ପଶି ମୁଖ ଲଗାଇ ମଢଟିକୁ ଘୋଷାରି କୂଳକୁ ଆଣିଲା । ଭାବିଲା ଭୋକିଲା ଥିଲି , ଆହାର ମିଳିଗଲା , ମନ ଆନନ୍ଦରେ ଖାଇବି । ଏହା ଦେଖି ଆକାଶରେ ଉଡୁଥିବା ଗୁଧ୍ର ସେହି ମଢର ମୁଣ୍ଡ ଉପରେ ପଡିଲା ଏବଂ ଅଧେ ଭାଗ ଦେବାପାଇଁ ଶୃଗାଳକୁ କହିଲା । ବହୁ ପରିଶ୍ରମ କରି ଖୋଳି ବାହାର କରିଥିବାରୁ ଶୃଗାଳ ଭାଗ ଦେବାକୁ ମନା କରି ଘଉଡାଇ ଦେଲା । ଗୁଧ୍ର ଯେତେଥର ମଢ ନିକଟକୁ ଆସୁଥାଏ ଶୃଗାଳ ସେତେଥର ଘଉଡାଇ ଦେଉଥାଏ । ତଥାପି ବଳିଆର ହୋଇ ଗୁଧ୍ର ମଢ଼ ନିକଟକୁ ଆସୁଥାଏ । ଶୃଗାଳ ବି ଘଉଡାଇବାରେ ହେଳା କରୁନଥାଏ । ଶେଷରେ ଉଭୟଙ୍କ ମଧ୍ୟରେ ଗୋଳ ଆରମ୍ଭ ହୋଇ ଧିରେ ଧିରେ ବଢି ମହାଗୋଳରେ ପରିଣତ ହେଲା । କିନ୍ତୁ ତାଳଗଛ ଉପରେ ବସି ସୁପାରୁଶ ମୂଳରୁ ସବୁ ଦେଖୁଥାଏ । ଗଛରୁ ଥାଇ ସୁପାରୁଶ ଶୃଗାଳକୁ କହିଲା ମୁଁ ସବୁ ଦେଖିଛି , ତୁ ପ୍ରଥମେ ଖୋଳି ବାହାର କରିଛୁ ବୋଇ ନିଜ ଆଖିରେ ଦେଖିଛି । ତେଣୁ ସେ ମଢକୁ ଆରାମରେ ଆହାର କର । ଶୃଗାଳ ସୁପାରୁଶକୁ ସାକ୍ଷୀକରି କହିଲା ତୁମେତ ମୋ ପରିଶ୍ରମ ଦେଖିଛ , ଅଯଥାରେ ଏ ଗୁଧ୍ର କେଉଁଠୁ ଆସି ଭାଗ ନେବାପାଇଁ ମୋ ସହିତ କଳି କରୁଛି । ମୁଁ ପାଇଥିବା ଧନରୁ ତାକୁ କେମିତି ଭାଗେ ଦେବି । ତେଣୁ ତୋର ଏଥିରେ ଭାଗ ନାହିଁ । ତୁ ଏଠାରୁ ପଳାଇଯା ମୁଁ ଶାନ୍ତିରେ ଆହାର କରିବି ବୋଲି ଶୃଗାଳ ଗୁଧ୍ରକୁ କହିଲା  । ଗୁଧ୍ର କହିଲା- ମୋ ଭାଗକୁ କେବେ ଛାଡିବି ନାହିଁ । ଚାଲ ଆମେ ଦୁଇଜଣ ଏକତ୍ର ଖାଇବା ନଚେତ୍ ବାଣ୍ଟିକି ଘରକୁ ନେଇଯିବା । ଶୃଗାଳ ଦେବନି କି ଗୁଧ୍ର ଭାଗ ଛାଡିବନି । ଗୋଳ ବଢିବଢି ଚାଲିଲା ପରେ ସ୍ଥିର କଲେ ଏଥିନିମନ୍ତେ ଏକସଭା କରିବା ପାଇଁ । ଗୁଧ୍ର କହିଲା ତୁ କାହାପାଖକୁ ଯିବୁ । ଶୃଗାଳ କହିଲା ପ୍ରଥମେ ବ୍ରହ୍ମା ବିଷ୍ଣୁଙ୍କ ପାଖକୁ ଯିବା , ତା'ପରେ ବରୁଣ,କୁବେର,ମରୁତ, ଦିବାକର ଓ ଯମରାଜ ନହେଲେ ଯୁଧିଷ୍ଠିରଙ୍କୁ କହିବା । ନହେଲେ ଶେଷରେ ଶଙ୍କରୁଙ୍କୁ ଯାଇ କହିବା । ଶାଗୁଣା କହିଲା ଏହା ମୋ ମନକୁ ପାଇଲା ନାହିଁ । ଏହିପରି ବ୍ରହ୍ମା,ବିଷ୍ଣୁ, ମହେଶ୍ବର, ବରୁଣ,ଦିବାକର,ପଵନ ଓ କେତେ କେତେ ଦୁର୍ଯ୍ୟୋଧନଙ୍କର କୋଟି କୋଟି ଜନ୍ମ ଗଲାଣି । ଏମାନେ ସଭାର ବ୍ଯବସ୍ଥା କ'ଣ ଜାଣିବେ, ମୁଁ ଏମିତି ସସ୍ରଯୁଗ ଧରି ଅଛି , ଯୁଗକୁଯୁଗ ସେମାନେ ଜନ୍ମ ହେଉଛନ୍ତି । ତେଣୁ ସେମାନଙ୍କ କଥା ମୋ ମନକୁ ଆସୁନାହିଁ । ସେମାନେ ପକ୍ଷାପକ୍ଷ କରି ବିଚାର କରିବେ । ତୁ କେତେ କାଳ ହେଲା ଜନ୍ମ ହେଇଛୁ ଏଭଳି କଥା କହୁଛୁ । ଶୃଗାଳ କହିଲା ପୃଥ୍ବୀ ଯେଉଁ ଦିନରୁ ହେଲାଣି ମୁଁ ସେହି କାଳରୁ ଅଛି । ଏହାଶୁଣି ଶାଗୁଣା ଟହଟହ ହସିଲା ଏବଂ କହିଲା ତୋ ଜନମ ମୋତେ କାଲିପ୍ରାୟ ଲାଗୁଛି । ଅନାଦିଙ୍କର ବିର୍ଯ୍ଯ ତିନିଖଣ୍ଡ ହେବାରୁ ସେଥିରୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର ସୃଷ୍ଟି ହେବାର ମୁଁ ଏହି ଗଛ ଉପରେ ବସି ଦେଖିଛି । ବ୍ରହ୍ମା ଓ ବିଷ୍ଣୁ ହେଲେ କପଟିଆ । ସେମାନଙ୍କ କଥା ମୋ ମନକୁ ଆସୁନି । ଶଙ୍କର ପାଖକୁ ଚାଲ ଯିବା । ଉଭୟେ ଶଙ୍କର ପାଖକୁ ଯାଇ କବାଟ ବାଡେଇ ଡାକିଲେ । ଶଙ୍କର ଘୋର ନିଦ୍ରାରେ ଥିବାରୁ ଆବାଜ ଶୁଣି ଧଡପଡ ହୋଇ ଉଠି ଆଖିମଳିମଳି ଆସି କବାଟ ଖୋଲି ଶୃଗାଳ ଓ ଗୁଧ୍ରକୁ ଆସିବାର କାରଣ ପଚାରିଲେ । ସେଠାରେ ମଧ୍ୟ ଉଭୟଙ୍କ ଗୋଳ ଉଗ୍ରରୂପ ଧାରଣ କରିବାରୁ ଶଙ୍କର କହିଲେ ତୁମମାନଙ୍କର ଯଦି କେହି ସାକ୍ଷୀ ଅଛି  ଧରିକି ଆସ । ଶାଗୁଣା କହିଲା ମୋର କେହି ସାକ୍ଷୀ ନାହିଁ । ଶୃଗାଳକୁ ପଚାରନ୍ତେ ସେ କହିଲା-ସୁପାରୁଶ ମୋର ସାକ୍ଷୀ ଅଛି,ସେ ତାଳଗଛ ଉପରେ ବସି ସବୁ ଦେଖୁଥିଲା । ସାକ୍ଷୀକୁ ଶଙ୍କର ପଚାରିଲେ ତୁ କ'ଣ ଦେଖିଛୁ ମୋ ଆଗରେ ଖୋଲିକରି କହ ଯେହେତୁ ତୁ ତାଳଗଛ ଉପରେ ବସି ସବୁ ଦେଖିଛୁ ବୋଲି ଶୃଗାଳ କହୁଛି । ସୁପାରୁଶ ପକ୍ଷୀ ଜାତି ହୋଇଥିବାରୁ ଶାଗୁଣା ପକ୍ଷାପକ୍ଷ କରି କହିଲା- ହେ ଗୋସାଇଁ ଏମାନଙ୍କ ଗୋଳ ବିଷୟରେ ମୁଁ କିଛି ଜାଣିନାହିଁ । କିଏ ଆଗ ପାଇଲା ଆଖିରେ ଦେଖିନାହିଁ କିପରି ମିଛ କହିବି । ସାକ୍ଷୀଠାରୁ ଶୁଣିସାରି ଶୃଗାଳକୁ ଅନାଇ ଶଙ୍କର କହିଲେ, ରେ ଶୃଗାଳ ତୁ କାହିଁକି ମିଛ କହିଲୁ । ଏପରି ମିଛ କହିବା ତୋ ପକ୍ଷେ ଠିକ୍ ହେଲାନାହିଁ । ସୁପାରୁଶକୁ ସାକ୍ଷୀ କରିଥିଲୁ ସେ କ'ଣ କହିଲା କାନରେ ଶୁଣିଲୁ ତ । ତେଣୁ ଗୋଳ ନକରି ଉଭୟେ ବାଣ୍ଟିକି ଖାଅ । ଏହା ଶୁଣି ଶୃଗାଳ କହିଲା ମୁଁ ଟିକିଏ ହେଲେ ବି ଦେବି ନାହିଁ । କାରଣ ମୁଁ ପରିଶ୍ରମ କରି ଖୋଳି କାଢିଛି । ସେ ଆପଣଙ୍କ ଆଗରେ ପକ୍ଷୀଜାତି ବୋଲି ପକ୍ଷୀ ଜାତିକୁ ଦୟାଦେଖାଇ ପକ୍ଷପାତ କରି କହିଲା । ଶୃଗାଳ ସୁପାରୁଶକୁ କହିଲା-ମୁଁ ଯେତେବେଳେ ପ୍ରଥମେ ମଢକୁ ପରିଶ୍ରମ କରି ଖୋଳି ଗାତ ଭିତରୁ ବାହାରକଲି ତାହା ତୁ ତ ଦେଖିଛୁ , ଆଉ ଡାକଦେଇ ସୁସ୍ଥରେ ଖାଇବା ପାଇଁ କହିଲୁ । ସଭାରେ ଶଙ୍କରଙ୍କ ଆଗରେ ମିଛକହି ପାପ ଅର୍ଜିଲୁ କାହିଁକି । ଆଖିରେ ଦେଖିଥିବା ସତ ଘଟଣାକୁ ପାସୋରି ଦେଇ ମିଛକହି ସଭାରେ ମୋତେ ଅପମାନିତ କଲୁ । ଯେଉଁ ନୟନରେ ଦେଖିକି କହିଲୁ ଦେଖିନାହିଁ ବୋଲି ଆଜିଠାରୁ ତୋର ସେହି ନୟନ ଦୁଇଟି ଜଳକା ହେଇଯାଉ । ଦିନରେ ଦେଖାଯିବନି ଅନ୍ଧାର ହେଲେ ଦେଖାଯିବ । ପୟର ଦୁଇଟି ତୋର ଉପରକୁ ହେବ। ମୁଣ୍ଡ ଓ ବଦନ ତୋର ତଳକୁ ଅବନତ ହେଉ । ନୟନକୁ କିଛି ଦେଖା ଯିବନି । ଯେଉଁ ମୁହଁରେ ତୁ ମିଛ କହିଲୁ ସେହି ମୁହଁରେ ତୋ ନିଜ ନରକ(ବିଷ୍ଠା) ପଡିବ । ଭୋକିଲା ହୋଇ ମାୟା ରୂପରେ କଳିଯୁଗରେ ରହିବୁ । କଳିଯୁଗରେ ତୋର ନାମ ହେବ ବାଦୁଡି । ତୁ ଯେଉଁ ମୁଖରେ ଖାଇବୁ ସେହି ମୁଖରେ ହଗିବୁ । ଏହି ଶାପଟି ମୋହର କେବେ ଅନ୍ଯଥା ହେବନି ମନେରଖିଥା । ତଥାପି ସେମାନଙ୍କର ଗୋଳ ବନ୍ଦ ନହେବା ଦେଖି ଶଙ୍କର କହିଲେ- ଏହାଛଡା ଅନ୍ୟ ସାକ୍ଷୀ ଥିଲେ ଆଣ । ତାହା ମୁଖରୁ ସତକଥା ଶୁଣିବା । ଶୃଗାଳ କହିଲା ମୋର ଆଉ କେହି ସାକ୍ଷୀ ନାହିଁ । ଅଛି କେବଳ ସେହି ମଢ । ଶଙ୍କର କହିଲେ ତାକୁ ମୋ ପାଖକୁ ଡାକିଆଣ । ତହୁଁ ଶୃଗାଳ କହିଲା-ସେହି ମଢ଼ ଅଥବା ମୃତପିଣ୍ଡଟା କିପରି ସଭାକୁ ଆସିବ । ମଶାଣିରେ ପଡିଛି , ତା' ପାଖକୁ ଯାଇ ପଚାରିଲେ ସେ ସବୁ ସତକଥା କହିପାରିବ । ଆପଣ ନିଜେ ଚାଲନ୍ତୁ ପଚାରି ବୁଝିବେ । ଆପଣ ପ୍ରଭୁ ବୋଲି ଗୁହାରି କରୁଛୁ, ଆପଣ ଆମ୍ଭଙ୍କୁ ଏ ଗୋଳରୁ ପାରିକରି ଦିଅନ୍ତୁ । ଶଙ୍କର ମଢ଼ ପାଖକୁ ଯାଇ ମୃତସଞ୍ଜୀବନୀ ମନ୍ତ୍ରପଢି କମଣ୍ଡଳୁ ପାଣି ସିଞ୍ଚି ଦେବାରୁ ଚେତାପାଇ ମଢ଼ ଉଠିବସିଲା । ଶଙ୍କର ମଢ଼କୁ ପଚାରିଲେ-ତୁ ତ ମଶାଣି ଭୂମିରେ ଗାଢ଼କୁ ଆଶ୍ରାକରି ଥିଲୁ । କିଏ ଆସି ଆଗେ ତୋତେ ଭେଟିଲା । ଆମ୍ଭ ମୁଖକୁ ଚାହିଁ ମାୟା ନକରି ସତକଥା କହ । ମିଛ କହିଲେ ଛାତି ଫାଟିଯିବ । ପକ୍ଷପାତ କରି କହିଲେ ପିଣ୍ଡରେ କୃମି ହେବ । ମଡ଼ କହିଲା- ମୋତେ ଗାତ ଭିତରେ ପୋତିବାର ଚାରିଦିନ ପରେ ପ୍ରଥମେ ଶୃଗାଳ ଆସି ଭେଟିଲା । ବହୁ ପରିଶ୍ରମ କରି ଖୋଳି ଗାତ ଭିତରୁ ବାହାରକୁ ଆଣିଲା । ଶାଗୁଣା ଉପରେ ଉଡୁଥିଲା, ହଠାତ୍ ମୋ ମୁଣ୍ଡ ଉପରେ ଖସି ପଡିବାରୁ ଶୃଗାଳ ସଙ୍ଗେ ସଙ୍ଗେ ଘଉଡେଇ ଦେଲା , ତେଣୁ ଶୃଗାଳ ଆଗେ ମୋତେ ପାଇଛି । ଏକଥା ସତ ମିଛ ନୁହେଁ ଗୋସାଇଁ । ମଢ଼ ଠାରୁ ସତ କଥା ଶୁଣି ସାରିଲାପରେ ଶଙ୍କର ଗୁଧ୍ରକୁ ଶାପଦେଇ କହିଲେ ତୁ ମିଛ କହିଥିବାରୁ ଆଜିଠାରୁ ତୋ  ମାଂସ ଅଭକ୍ଷ ହେବ ଏବଂ ତୋର ମୁଖ କେହି ଚାହିଁବେ ନାହିଁ । ଶଙ୍କର ଗୁଧ୍ରକୁ ଶାପ ଦେବାପରେ ଶୃଗାଳକୁ କହିଲେ ମୁଁ ସବୁ ଜାଣିପାରିଲି ତୁ ଏବେ ଅଭୟ ହୋଇ ପାଇଥିବା ଆହାରକୁ ଆନନ୍ଦରେ ଖାଅ । ତହୁଁ ଶୃଗାଳ କହିଲା ମୋପାଇଁ ଯିଏ ଧର୍ମ ଆଚରଣ କଲା ତାକୁ ଖାଇଲେ ଅଧର୍ମ ହେବ । ମୁଁ ଯଦି ଧର୍ମରେ ଥିବି ଦଇବ ମୋତେ ଆହାର ଯୋଗାଇଦେବ । ଉପକାରୀ ଲୋକକୁ ଯେଉଁ ଜନ ମାରେ ତାକୁ କେବେ ଧର୍ମ ସହିବ ନାହିଁ । ଏହାକହି ଶୃଗାଳ ମଢ଼କୁ ଛାଡି ଚାଲିଗଲା । ଶଙ୍କର ବି ତାଙ୍କ ରାସ୍ତାରେ ଚାଲିଗଲେ । ବୈଦେଶ୍ବର(ବେଦାନ୍ତିକ) ପଣ୍ଡା ଘରକୁ ଫେରି ଯାଆନ୍ତେ ଘରଲୋକେ  ଜୀବନ୍ତ ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହୋଇ କେତେକ'ଣ ପଚାରିଲେ । ତହୁଁ ବୈଦେଶ୍ବର କହିଲେ ବେଦଶାସ୍ତ୍ର ଯେଉଁ ଲୋକ ନିତି ପଢେ ନାରାୟଣ ତାକୁ କେବେ ଛାଡିକି ଯାଆନ୍ତି ନାହିଁ ।ଧର୍ମବଳରୁ ଶଙ୍କର ମୃତ ସଞ୍ଜୀବନୀ ଦ୍ବାରା ଜୀବଦାନ ଦେଲେ । ଏଥୁଅନ୍ତେ ସାରାବତ  ନାମରେ ଜଣେ ରଜକ ଥିଲା । ତା'ର ଏକମାତ୍ର ପୁତ୍ର ସର୍ପ  ଦଂଶନରେ ପ୍ରାଣତ୍ଯାଗ କଲା । ପରିବାର ଲୋକଙ୍କ କାନ୍ଦବୋବାଳି ଶୁଣି ବୈଦେଶ୍ବର ସେଠାକୁ ଯାଇ ସବୁ ଶୁଣିସାରିବା ପରେ କହିଲା ପୁତ୍ରକୁ ଯେଉଁଠାରେ ପୋଡିଲ ସେଠାକୁ ମୋତେ ନେଇଚାଲ ଆମ୍ଭେ ତୁମ୍ଭର ପୁତ୍ରକୁ ବଞ୍ଚାଇଦେବା । ଯାହାଦ୍ବାରା ତୁମେ ପୁତ୍ର ଆଣ୍ଠୁକୁଡା ଦୋଷରୁ ମୁକ୍ତି ପାଇବ । ଗାରିଡି ମନ୍ତ୍ର ପଢି ପାଣିସିଞ୍ଚି ଦିଅନ୍ତେ ରଜକର ପୁତ୍ର  ଉଠିବସିଲା ।

ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର

Post a Comment

0 Comments