ବାରିପଦା ବସଷ୍ଟାଣ୍ଡ ରୁ ଜିଲ୍ଲାପାଳଙ୍କ ଅଫିସ ରାସ୍ତାରେ ବାମପଟେ ଧାଡି ଧାଡି ହୋଇ ବ୍ୟାଗ
ଦୋକାନ ଓ ବେଲ୍ଟ ଦୋକାନ, ଗୋଟିଏ ଦୋକାନ ରୁ ମୁଁ ନିୟମିତ ଦୀର୍ଘ ପଚିଶ ବର୍ଷ ହେବ ଜିନିଷ କିଣି ଆସୁଛି। ଦୋକାନୀ ମେଳାପୀ ମିଷ୍ଟଭାଷି , କଲିକତା ଓ ଟାଟା ରୁ କଞ୍ଚାମାଲ ଆଣି କାରିଗର ରଖି ବରାଦ ମୁତାବକ ଜିନିଷ ତିଆରି କରନ୍ତି, କଥା କଥାକେ କହନ୍ତି ଗ୍ୟାରେଣ୍ଟି ଅଛି, ସିଲେଇ ଉପରେ, ଚେନ ରେ, କପଡା ରେ, ଚମଡାରେ, ବେଲ୍ଟ ରେ, ମନୋଗ୍ରାମ ଇତ୍ୟାଦି ରେ। ଅନ୍ୟ ଗରାଖଙ୍କୁ କହିବା ବେଳେ ମୋତେ ଲକ୍ଷ୍ୟ କରି କହନ୍ତି, ପଚାରନ୍ତୁ , ସାର ତ ପଚିଶ ତିରିଶ ବର୍ଷ ହେଲା ନେଉଛନ୍ତି । ଆମେ କଣ ଉଠା ଦୋକାନୀ କି? ଆଜି ଅଛୁ, କାଲି ଫେରାର । ଗୋଟେ ବେଲ୍ଟ କିଣିଥିଲି । ସେହି ଚିରାଚରିତ କଥା ବର୍ଷେ ଗ୍ୟାରେଣ୍ଟି ଅଛି । କିଛି ଖରାପ ହେଲେ.............
ବେଲ୍ଟ ରୁ ଗୋଖର ସାପ କାତି ଭଳି ଚମଡା ଛାଡିଲା। ସାତ ଶହ ଟଙ୍କା ଦେଇ କିଣିଛି , ଭଲ କରି ପଦେ କହିବି । ଗ୍ୟାରେଣ୍ଟି କୁ ଅଫିସ ଯିବା ବାଟରେ ଟିକେ କଡ଼ କୁ ଦୋକାନ, ଯେତେବେଳେ ଗଲେ ବନ୍ଦ, ଭେଟ ହେଲାନି । ଥରେ ହଠାତ ଦେଖିଲି ଦୋକାନ ଖୋଲିଛି । ରାଗ ତମ ତମ ହୋଇ ଗଲି, ଦୂରରୁ ଦେଖିଲି ଦୋକାନୀ ନାହିଁ, ଜଣେ ଭଦ୍ର ମହିଳା ବସିଛନ୍ତି, ଭିତରକୁ ଯାଇ କିଛି ପଚାରିବା ଆଗରୁ ଗୋଟେ ବନ୍ଧେଇ ଫଟୋ ଉପରେ ନଜର ପଡିଲା । ଫୁଲମାଳ ଦିଆ ହୋଇଛି । ବହୁତ ଜୀବନ୍ତ ଲାଗିଲା, ଚମକି ପଡିଲି, ସେହି ହସ ହସ ମୁହଁ । ଦୋକାନୀ ଫଟୋରୁ ଯେମିତି କହୁଛନ୍ତି , ଗ୍ୟାରେଣ୍ଟି ନାହିଁ । ଗ୍ୟାରେଣ୍ଟି ନାହିଁ ।
ଗ୍ୟାରେଣ୍ଟି ଅଛି । ଭଦ୍ର ମହିଳା ଜଣକ ଜଣେ ଗରାଖ କୁ କହୁଥିଲେ । ଗୋଟେ ବର୍ଷ ପାଇଁ । ଗୋଟେ ନୂଆ ବେଲ୍ଟ କିଣି ଫେରିବା ବେଳେ ଭାବୁଥିଲି ମଣିଷ ଜୀବନ ବନ ପାଣିର ଫୋଟକା ଭଳି କ୍ଷଣସ୍ଥାୟୀ ଗ୍ୟାରେଣ୍ଟି ନାହିଁ । ମନେ ପଡି ଯାଉଥିଲା । ସେହି ବିଧବା ମହିଳାଙ୍କ ଜୀବନ ସଂଗ୍ରାମ, ପରିବାର ବୋଝ ବୋହିବାର ଅଦମ୍ୟ ସାହସ।
ବିଭୂତି ଭୂଷଣ ସାମଲ
ମୁଖ୍ୟ ଉପଦେଷ୍ଟା - ପ୍ରୀତି ପ୍ରଣତି
ଜିଲ୍ଲା :- ଢେଙ୍କାନାଳ


0 Comments