କାନ୍ତ କବି - ପ୍ରସେନଜିତ୍ ସେଠୀ



କାନ୍ତ କବି ଆହେ ପୂଜ୍ୟ ଲକ୍ଷ୍ମୀକାନ୍ତ

ଉତ୍କଳ ସାହିତ୍ୟେ ଚିର ଦୀପ୍ତିମନ୍ତ!!

ପୁଣ୍ୟବନ୍ତ ସେହି ଭଦ୍ରକର ମାଟି

ତୁମ ପରି ବୀର ଦେଇଥିଲା ଭେଟି।


ସ୍ୱାଧୀନତା ଯଜ୍ଞେ ତୁମ୍ଭରି କବିତା

ପ୍ରଜ୍ବଳିତ କଲା ତୀବ୍ର ଅଗ୍ନିଶିଖା।

ଗାନ୍ଧିଜୀଙ୍କ ଡାକ ଉତ୍କଳେ ଶୁଭିଲା

ତୁମ ନେତୃତ୍ୱରେ, ଭଦ୍ରକ ଜାଗିଲା।


ଫିରିଙ୍ଗି ବିରୋଧେ, କରି ଆନ୍ଦୋଳନ

ଆପଣାଇ ନେଲ, ବନ୍ଦୀର ଜୀବନ।

ବନ୍ଦୀରୁ ମୁକୁଳି ସଂଗ୍ରାମରେ ପୁଣି

ମଜ୍ଜି ଗଲ ନିଜ ସ୍ବାର୍ଥ ତୁଚ୍ଛ ମଣି।


ଭାଷା ସାହିତ୍ୟରେ ରଚନା ମହାନ

ଦେଇଛି ତୁମ୍ବକୁ ସର୍ବୋଚ୍ଚ ଆସନ।

ଆଜି ବି ତୁମ୍ଭର ସାହିତ୍ୟର କୀର୍ତ୍ତି

ଜଗାଏ ହୃଦୟେ ଜାତୀୟତା ପ୍ରୀତି।


ରଚିଥିଲ, "ବନ୍ଦେ ଉତ୍କଳ ଜନନୀ"

ଜାତୀୟତାର ସେ ଚିର ସ୍ରୋତସ୍ଵିନୀ।

ଆଜି ହୋଇ ତାହା ରାଜ୍ୟର ସଙ୍ଗୀତ

ଉତ୍କଳ ଜାତିକୁ କରେ ଏକତ୍ରିତ।


ହେ ମହାନ ସଂଗ୍ରାମୀ ସାହିତ୍ୟ ସାଧକ

ତୁମ୍ଭ ପୟରେ ମୁଁ କରେ ମଥାନତ।


 ପ୍ରସେନଜିତ୍ ସେଠୀ

ବାଲିଆ, ଗୋପୀନାଥପୁର, ଜଗତସିଂହପୁର

Post a Comment

0 Comments