ଭିଜା ଶ୍ରାବଣର ବରଷା ରାତିରେ
ଫିକା ଫିକା ପୁଣି ଜହ୍ନ ଆଲୁଅରେ
ଭିଜୁଥିଲେ ଆମେ ଦୁହେଁ
ଓଠ ଥିଲା ସିନା ନିରବତା ପୂର୍ଣ୍ଣ
ହୃଦେ ଖେଳୁଥିଲା କେତେ ଯେ କମ୍ପନ
ଆଖି କେତେ କଥା କୁହେ।।
ଅଝଟିଆ ସେଇ ବରଷା ରାତିରେ
ଅଧା ଭିଜା ମୋର ପଣତ ଭିତରେ
ଯାଇଥିଲ ତୁମେ ଲୁଚି
ପାଖେ ତୁମେ ସାଥୀ ବର୍ଷା ଭରା ରାତି
ମନେ କେତେ କଥା ମାରୁଥିଲା ଉଙ୍କି
ଦେହେ ଭରିଥିଲା ତାତି।।
ଏତେ ପାଖେ ଥିଲେ ଆମେ ଦୁହିଁଙ୍କର
ବରଷାର ରାତି ଆହକି ମଧୁର
ମନକୁ କରେ ଅଧୀର
ବରଷାରେ ଭିଜା ସେ ମାଟିର ଗନ୍ଧ
ଭାଙ୍ଗି ଦିଏ ମନୁ ସବୁ ବାଡ଼ ବନ୍ଧ
ହେବା ପାଇଁ ଏକାକାର।।
ରହି ରହି ଆସି ବିଜୁଳିର ଝରି
ଘଡ଼ଘଡ଼ି ବାଜା ବେଙ୍ଗ ଙ୍କ ର ତୂରୀ
କାନେ ଯାଉଥିଲା କହି
ଶ୍ରାବଣର ସେଇ ଟୋପା ଟୋପା ବାରୀ
ମୋ ଫାଙ୍କା ସିନ୍ଥିର ଶୂନ୍ୟତା କୁ ଭରି
ପ୍ରେମରେ ଦେଲା ଭିଯାଇ।।
କାଦୁଅରେ ବୋଳା ମୋ ଅଳତା ଧାର
ମହୁମାଛିଙ୍କର ସେ ମନ୍ତର ସ୍ଵର
ଦୁହିଁଙ୍କୁ କଲା ନିଜର
ଛାଇ ଆଲୁଅର ବର୍ଷା ଭରା ରାତି
ତୁମ ସାଥେ ପୁଣି ସେ ଚୋରା ପିରତି
କିବା ଦେବି ପଟାନ୍ତର।।
ସରୋଜିନୀ ମିଶ୍ର,
ସିକୋ,ରାଜକନିକା,କେନ୍ଦ୍ରାପଡ଼ା


0 Comments