
ବୃଦ୍ଧ କାଳେ ପରିଶ୍ରମ କେତେ କଷ୍ଟକର
କରେ ଯେହୁ ଜାଣିଥାଏ ସତ୍ୟ ଏହି ଗୀର
ପେଟକୁ ଦାନା ଯୋଗାଡ଼ କରିବାର ପାଇଁ
ଦିନରାତି ମୂର୍ତ୍ତୀ ଗଢେ ବିଶ୍ରାମ ନ ନେଇ।।
କ୍ଷୁଧାର୍ତ୍ତ ଋଗ୍ଣ ଶରୀର ଚର୍ମ ତା ଲୋଳିତ
ଗଞ୍ଜି ଖଣ୍ଡକରେ ଡରେ ମହାବଳ ଶୀତ
ଅନେକ ମୂର୍ତ୍ତୀ ରହିଛି ବିକ୍ରି ହୋଇନାହିଁ
ପେଟକୁ ଆହାର ଅବା ପାଇବ ସେ କାହିଁ।।
ଅଣ୍ଟାକୁ ଖୁଣ୍ଟକୁ ଡେରି ପଟା ପରେ ବସି
ମୂର୍ତ୍ତୀ ଗଢିଥାଏ ସେହୁ ମନେ ପାଇ ଖୁସି
ସଂସାର ର ହାନି ଲାଭ ତାକୁ ଜଣା ନାହିଁ
ମାଟି ତ ତାର ସଂସାର ଏ କଥା ଜାଣଇ।।
ଗଜାନନ ପୂଜା ହେବ ଆଗକୁ ପାଳିତ
ଏ ଆଶା ସଞ୍ଚରି ମନେ ଗଢଇ ମୂର୍ତ୍ତୀ ତ
ତୂଳୀ ସ୍ପର୍ଶେ ପ୍ରାଣବନ୍ତ କରେ ସେ ମୂର୍ତ୍ତୀ କୁ
କରୋନା ବିଗାଡି ଦେଲା ତାର ସେ ସ୍ବପ୍ନକୁ।।
ଦେଶବିଦେଶରେ ସିନା ମୂର୍ତ୍ତୀ ର ଆଦର
ନିଜ ଦେଶେ ଅବହେଳିତ ଏ କାରିଗର
ମୁଣ୍ଡ ଗୁଞ୍ଜିବାକୁ ତାର ଛାତ ନ ମିଳଇ
ଦିନରାତି ଚନ୍ଦ୍ର ସୂର୍ଯ୍ୟ ଘରେ ତା ଦେଖଇ।।
ଆହେ ପ୍ରଭୂ ଶ୍ରୀ ଗଣେଶ ବାରେ କୃପା କର
ଏ ଦୁଃଖ ବିପତ୍ତି ଘୁଞ୍ଚୁ ହସୁ ଏ ସଂସାର
କାରିଗର ଜାତି ଆମ ପାଆନ୍ତୁ ସମ୍ମାନ
ଏହି କୃପା କର ପ୍ରଭୂ ଆହେ ଗଜାନନ।।
ସନ୍ଧ୍ୟାରାଣୀ ହୋତା
ଡାବୁଗାଁ, ନବରଙ୍ଗପୁର

0 Comments