ମଧୁଠୁ ମଧୁର ମୋ ମାଆର ସ୍ଵର,
ଗୁଞ୍ଜୁରୀ ଉଠେ ମୋ କାନେ
ତା ସ୍ନେହ ପରଶ ମୃଦୁ ମୃଦୁ ହସ,
ନିରନ୍ତର ଖୋଜେ ମନେ।।
ମାଆ ଠୁ ଦୂରେଇ ପାରେ ନାହିଁ ରହି,
ଖୋଜେ ତାକୁ ଦିବା ନିଶି
ତା ଚମକ ଆଗେ ଫିକା ପଡ଼ିଯାଏ,
ପୂର୍ଣ୍ଣମୀ ରାତ୍ରିର ଶଶି।।
ଗରଭ ବେଦନା ସହି ଦଶ ମାସ,
ଅନ୍ତ ଫାଡ଼ି ଜନ୍ମ ଦିଏ
ଥନ ଭାଙ୍ଗି ପୁଣି ଅମୃତ ପିଆଇ,
ଛୋଟରୁ ବଡ଼ କରାଏ।।
ପ୍ରେମ ବାରିଧରା ଉଜାଡି ଦିଏ ସେ,
ସତେକି ତ୍ରିବେଣୀ ଧାରା
ଶେଯ ପାଖେ ଶୋଇ ମୁଣ୍ଡ ଆଉଁସଇ,
ଉଜାଗରେ ରାତି ସାରା।।
କେତେ ପୂଜା ବ୍ରତ ମାନାସୁ ଥାଏ ମା,
ସନ୍ତାନ ମଙ୍ଗଳ ପାଇଁ
ନିଃସ୍ୱାର୍ଥ ପରତା ପ୍ରେମ କରୁଥାଏ,
ତାର ସମ କେହି ନାହିଁ।।
ସକାଳୁ ଉଠିଣ କେତେ ଯେ ବ୍ୟଞ୍ଜନ,
ସରାଗେ ବନେଇ ଥାଏ
ବୁଝାଇ ଶୁଝାଇ ଶେଯରୁ ଉଠାଇ,
ମୋତେ ସେ ଖୁଆଇ ଦିଏ।।
ତା ପଲକୁ କେବେ ଦୁରେ ଚାଲିଗଲେ,
ପାଗଳିନି ପରି ହୁଏ
ଏଗଳି ସେଗଳି ପଚାରି ବୁଝେ ମୋ,
ଧନକୁ ଦେଖିଚ କିଏ।।
ଦୁନିଆରେ ସବୁ ମିଛ ହୋଇ ପାରେ,
ମିଛ ନୁହେଁ ମା ପ୍ରେମ
ମାଆ ର ଆଶିଷ ଥିଲେ ତୁମ ଶିରେ,
ଛୁଇଁ ପାରିବନି ଯମ।।
ଜନମେ ଜନମେ ତୋହରି କୋଳରେ,
ନେବି ମୁଁ ଶତ ଜନମ
ହେ ପୂଜ୍ୟାନୀୟା ସ୍ୱର୍ଗାଦପି ମା,
ତୁମକୁ କୋଟି ପ୍ରଣାମ।।
ମାଆ ର ପରଶ ତାର ସୁଭାଶିଷ,
ସଦା ଥାଉ ମୋର ପାଶେ
ପ୍ରଭୁ ପାଦ ତଳେ ଏତିକି ମିନତୀ,
ହେଉ ତା ଲମ୍ବା ଆୟୁଷ।।
ସରୋଜିନୀ ମିଶ୍ର
ରାଜକନିକା,କେନ୍ଦ୍ରାପଡ଼ା


0 Comments