ଆଖିର ଲୁହ ମନର କୋହକୁ
ବକ୍ଷରେ ଚାପି ଧରି
ମନେ ମନେ କେତେ ସ୍ଵପ୍ନ
ଦେଖେ
ମନ ବଗିଚାରେ ଅସଂଖ୍ୟ
ପାରିଜାତ ଫୁଟେ
ଯେବେ କଳ୍ପନାକୁ ଓହରି ଆସେ
ପୁଳା ପୁଳା ଲହଲହ ତତଲା
ନିଶ୍ୱାସର ଜ୍ବଳନରେ
ନିତି ହୃଦୟ ଜଳୁଥାଏ।
କାହାକୁ ଵା ଦେଇହେବ ଦୋଷ?
ଆଜି ଯନ୍ତ୍ରଣା ର ଦ୍ବାର ଦେଶରେ
ନିହତ ଆମେ ଵାରଵାର
ଆମ ପାଇଁ ଆଜି ସଵୁ ଦ୍ଵାର ବନ୍ଦ
ଅନ୍ନ ପାଇଁ ଡହଳ ବିକଳ ହୁଏ
ଅନ୍ତରର ସ୍ବର
ଏ ଶରୀର ରୂପକ ଜଉଘରେ
ପେଟର ଭୋକ ଦଂଶନ କରେ
ପ୍ରତିହତ।
ଭାଗ୍ୟର ଏଇ କି ଵିଡମ୍ଵନା
ମାତ୍ର !
ଦୁଃଖିଟିଏ ଵୋଲି ନାହିଁ ଆମ
କିଛି ଉପାୟ
ହୃଦୟ ଡାଏରୀରେ ସାଇତା
ଅକୁହା ଯନ୍ତ୍ରଣାକୁ...
ଦୁର୍ବାର ଚେଷ୍ଟା ପରେ ଵି ଲିଭାଇ
ହୁଏନି
ସଵୁ ଆଶା ଆଜି ଯାଇଛି ତୁଟି
ଜୀଵନଟା ଆମ ପୋଡା ପାଉଁଶ
ସାଜିଛି ।
ଦୁଃଖର ବଳୟରେ ଲେଖା
ଯାହା ଭାଗ୍ୟ
ସେ ଵା କାହୁଁ ଖୋଜିଵ ସୁଖର
ପରିମାପକ
ଦୁନିଆ ଦାଣ୍ଡରେ ଶକ୍ତ ଧକ୍କା ଖାଇ
ଲୁହଲହୁ ଭିତରେ ଖୋଜିବୁଲୁ
ନିଜର ଅସ୍ତିତ୍ଵ
ନିର୍ଜନତା ହିଁ ଆଜି ସାଥି ସାଜିଛି
ଆମର
ଏହା ଆମ ଅପାରଙ୍ଗମ ନା
ଅସହାୟ ପଣ ?
ମୁଣ୍ଡ ଉପରେ ଛାତ ହଟିଯାଇଛି
ଏ ପେଟର ନିଆଁକୁ ଥମାଇ
ପାରେନା ଵୋଲି ତ !!
ଦୁନିଆ ଦାଣ୍ଡରେ ଅକ୍ଷତ
ସାଜି
ଏ ଵିଶାଳ ବଳୟ ମଧ୍ୟରେ
ଜୀଵନ ଜିଇବାର ତାରିକା
ଖୋଜୁଛି...
ତେଜସ୍ଵିନୀ ସାମଲ
ରାଜକନିକା, କେନ୍ଦ୍ରାପଡ଼ା


0 Comments