ତତଲା ଖିରି - ସ୍ନେହାଶିଷ ତ୍ରିପାଠୀ







 କୋଣାର୍କ ମନ୍ଦିର ତିଆରି ପୂର୍ବର କଥା।ରାଜା ମନ୍ଦିର ତିଆରି ଦାୟିତ୍ଵ ଦେଇଥାନ୍ତି ତାଙ୍କ ମନ୍ତ୍ରୀ ଶିବେଇ ସାନ୍ତରାଙ୍କୁ। ମନ୍ତ୍ରୀ ମହୋଦୟଙ୍କ ଆଦେଶ ଅନୁସାରେ ପଥର ସବୁ ବୁହା ହୋଇ ଆସୁଥାଏ। ଶ୍ରମିକ ତଥା ସୈନ୍ୟମାନେ ସେଗୁଡ଼ିକୁ ଚନ୍ଦ୍ରଭାଗାରେ ପକଉଥାଆନ୍ତି।ମାତ୍ର ସେଗୁଡିକ ସବୁ କୁଆଡେ ଯେ ପଳାଉଥାଏ କେହି ପତ୍ତା ପାଉନଥାନ୍ତି। 
       ଏଣେ ରାଜକୋଷରୁ ବି ଗୁଡ଼ାଏ ଅର୍ଥ ସରିଲାଣି। ଶିବେଇ ସାନ୍ତରାଙ୍କ ଅକଲ ଗୁଡୁମ। କରିବେ କଣ ? ରାଜାଙ୍କୁ କି ଉତ୍ତର ଦେବେ?ଏମିତି ଦୁନିଆ ପ୍ରଶ୍ନ ତାଙ୍କ ମୁଣ୍ଡରେ ଖେଳୁଥାଏ। 
           ଦିନେ ସେ କେଉଁ ଏକ କାମରେ ବହୁତ ଦୂର ଗାଁ କୁ ଯାଇଥିଲେ।ସେଠୁ ଫେରୁଥାନ୍ତି।ଉଦୁଉଦିଆ ଖରାବେଳଟା।ତାଙ୍କୁ ଭାରି ଭୋକ ହେଉଥାଏ। କଣ କରିବେ ନାହିଁ ଭାବି ଗୋଟେ ଘରର କବାଟ ବାଡେଇଲେ।ବୁଢୀଟିଏ କବାଟ ଖୋଲିଲା। ତାକୁ ମନ୍ତ୍ରୀ ମହୋଦୟ କହିଲେ, "ମାଆ !!!ଭାରି ଭୋକ ଲାଗୁଛି। କଣ ଗଣ୍ଡାଏ ଖାଇବାକୁ ଦିଅନ୍ତୁନି। "
ବୁଢୀଟି କହିଲା ,"ବାବୁ ରେ !!! ତମ ଘର କେଉଁଠି ? ଏତେ ଖରାବେଳଟାରେ କୁଆଡେ ଯାଇଥିଲୁ?"
ସେଠୁ ଶିବେଇ ସାନ୍ତରା ନିଜ ପରିଚୟ ନ ଦେଇ କହିଲେ, "ମାଆ !!!ଆମ ଘର ବହୁତ ଦୂର। ମୁଁ ଏଇ ପାଖ ଗାଁ କୁ ଆସିଥିଲି, ଟିକେ କାମ ଥିଲା।"
ବୁଢୀ ଜଣକ କହିଲା ତୁ ଟିକେ ଅପେକ୍ଷା କର। ମୁଁ କିଛି ବ୍ୟବସ୍ଥା କରୁଛି। 
           କହି  ବୁଢୀ ଘର ଭିତରକୁ ଗଲା ଆଉ ତାଙ୍କୁ ଚଟିଆଟେ ଦେଇଗଲା ବସିବା ପାଇଁ। କିଛି ସମୟ ପରେ ଥାଳିରେ ଥାଳିଏ ଖିରି ନେଇ ଆସିଲା। ମନ୍ତ୍ରୀ ମହୋଦୟ ଖିରି ଦେଖି ଲୋଭରେ ମଝି ଥାଳିରେ ସଙ୍ଗେ ସଙ୍ଗେ ହାତ ପୂରେଇ ଦେଲେ। ଖିରିଟା ତ ଗରମ ଥିଲା। ହାତ ପୋଡିଗଲା।ସେଠୁ ବୁଢୀ ମାଉସୀ ଜଣକ ସଙ୍ଗେ ସଙ୍ଗେ ଥଣ୍ଡା ପାଣିରେ ତାଙ୍କ ହାତ ଧୋଇଦେଇ କହିଲେ, "ବାବୁରେ!!! ତୁ ଏମିତି ଶିବେଇ ସାନ୍ତରା ପରି କାମ କଣ ପାଇଁ କରୁଛୁ?"
           ଶିବେଇ ସାନ୍ତରା ଆଶ୍ଚର୍ଯ୍ଯ। ଏ ବୁଢୀ ଏମିତି କଣ କହୁଛି?ତଥାପି ଧୈର୍ଯ୍ୟର ସହ ପଚାରିଲେ, ମାଆ!!!କୋଉ ଶିବେଇ ସାନ୍ତରା କଥା କହୁଛନ୍ତି?ଆମ ଏଇ ରାଜାଙ୍କ ମନ୍ତ୍ରୀ ନା ଆଉ କିଏ। ସେଠୁ ବୁଢୀମାଆଟି ଉତ୍ତର ଦେଲା, "ହଁ ବା ସେଇ।କିଏ ପଥର ଗୁଡାକୁ ଏମିତି ସମୁଦ୍ର ମଝିକୁ ଫିଙ୍ଗେ ନା ??? ମୁହାଣ ଆଡୁ ସିନା ପକେଇ ପକେଇ ଯାଆନ୍ତା।କାମ କେତେ ସହଜରେ ହେଇସାରନ୍ତାଣି।"
          ମନ୍ତ୍ରୀଙ୍କ ମୁହଁରେ ସାତ ସୂର୍ଯ୍ୟର ଚମକ ଖେଳିଗଲା।କହିଲେ ହଁ ସତେ ତ !!! ସିଏ ଆଉ ଖାଇବେ କଣ ? ଖିରି ସେମିତି ରଖିଦେଇ ହାତ ଧୋଇବାକୁ ଲାଗିଲେ। ବୁଢୀ ଜଣକ କହିଲା, "ଆରେ କଣ ହେଲା ?ଖାଇଲୁନି ଯେ!!! ସିଏ କହିଲେ ମୋର ଆଉ ଗୋଟେ କାମ ଅଛି।  ଘରକୁ ଫେରିବାକୁ ଡେରି ହବ ତେଣେ। 

              ଏହା କହି ଶିବେଇ ସାନ୍ତରା ଚାଲିଲେ ଚନ୍ଦ୍ରଭାଗା ମୁହାଣକୁ। ଶ୍ରମିକ ମାନଙ୍କୁ କହିଲେ ପାଖରୁ ପୋତି ପୋତି ଚାଲ।ସେମାନେ ବି ସେମିତି କଲେ। ଦିନ କେଇଟାରେ ଚନ୍ଦ୍ରଭାଗା ମୁହାଣ ପୋତିଗଲା।
            ଶିବେଇ ସାନ୍ତରାଙ୍କ ଖୁସି କହିଲେ ନ ସରେ। ସେ ବୁଢୀମାଆଟିକୁ ଡାକି ପୁରସ୍କୃତ କଲେ। 

ସ୍ନେହାଶିଷ ତ୍ରିପାଠୀ, କାଶିପୁର, ବାସୁଦେବପୁର, ଭଦ୍ରକ।

Post a Comment

0 Comments