ଶାଶ୍ଵତୀ ପ୍ରିୟଦର୍ଶିନୀ - ୨୦୨୪ ଓ ଆଧୁନିକତାର ବହ୍ନି

 

                          ୨୦୨୪ ଓ ଆଧୁନିକତାର ବହ୍ନି


ପରିବର୍ତ୍ତନଶୀଳ ପରିସ୍ଥିତି ଓ ସମାଜ ସହ ତାଳଦେଇ ପରିବର୍ତ୍ତିତ ହେବାଟା ଏତେ ବି କିଛି ବଡ଼ ପରିବର୍ତ୍ତନ ଟିଏ ନୁହେଁ ! କିନ୍ତୁ ଅଧୁନା ଆମେ ଏତେ ଆଧୁନିକ ହୋଇଯାଇଛେ ଯେ ଲାଗେ ସତେ ଯେପରି, ଅନେକ ଆଶାର ପସରାକୁ ନେଇଆସିଥ‌ିବା ସକାଳଟା ବିଞ୍ଚିଦେଇଯାଏ ମେଞ୍ଚାଏ ନିରବତା ପୁଣି ସମୟ ସ୍ରୋତରେ ଭସେଇଆଣେ ଅନ୍ଧକାରମୟ କିଛି ଉଦାରତା । ଏବେ କୁଆଡ଼େ ଘଣ୍ଟା କଣ୍ଟାର ଆଢ଼ୁଆଳରେ ବଦଳି ଯାଇଛି ସେଇ ନୂଆ ବର୍ଷର ଖୁସି ସବୁ। ହେଇ ଦେଖୁନାହାନ୍ତି! ଆଗରୁ ନୂଆବର୍ଷ ହବ ମାନେ ବଣଭୋଜି ପାଇଁ ମାସେ ଆଗରୁ ଆଲୋଚନା ଚାଲିଥାଏ, ଦଶ ଦିନ ଆଗରୁ ଚାନ୍ଦା ଆଦାୟର କୋଳାହଳ ସୃଷ୍ଟି ହୁଏ, ଚାଉଳ,ଡାଲି ଆଉ କାହିଁ ଭେଳିକି ଭେଳି ପାରିବା ସଜା ହୋଇ ରହିଥାଏ.. କିନ୍ତୁ ଆଜି କାହିଁ ଲୁଚିଗଲା ସେଇ ଦିନ ସବୁ ଖୋଜିଲେ ମଧ୍ୟ ମିଳେ ନାହିଁ! ବଣଭୋଜି ତ ଦୂରେ ଥାଉ ଆଜିକାଲି ସବୁ ଅନଲାଇନ୍ କ୍ଲବ୍ ବୁକ୍ କରୁଛନ୍ତି କଣ ନା, ନୂଆବର୍ଷ ପୂର୍ବରୁ ଜିରୋ ନାଇଟ୍ ପାଳିବା ପାଇଁ, ଭାତ ଡାଲି ଅଣ ତ ଦୂରେ ଥାଉ ହାତରେ ୱାଇନ୍ ଗ୍ଲାସ୍ ଧରି ଆମେରିକାନ୍ ପାସ୍ତା ଆଉ ପିଜ୍ଜା ଖାଇବା ହିଁ ତାଙ୍କ ପାଇଁ ଖୁସି। "ଏ ବନର ଛାଇ"   " ହୃଦୟର ଏହି ଶୂନ୍ୟତା କୁ" "ସପନର ଆରପାରି ଗାଁ" "ଶ୍ରାବଣରେ ଶ୍ରାବଣ" ଏପରି କେତେ ଯେ ଭାବନାତ୍ମକ ଓଡ଼ିଆ ସଙ୍ଗୀତର ତାଳେ ତାଳେ ନୂଆବର୍ଷ ଟି ବିତି ଯାଉଥିଲା, କିନ୍ତୁ ଆଜି ଏ ସବୁ ସ୍ବପ୍ନ ପରି ଲାଗେ! ବଲିଉଡ୍ ଓ ପାଶ୍ଚ୍ୟାତ ସଙ୍ଗୀତ ମାୟାରେ ଆଜି ସମସ୍ତେ ବାୟା, ଆଉ କିଏ ବା ଏହି ଓଡ଼ିଆ ସଙ୍ଗୀତକୁ ପଚାରୁଛି? ନୂଆବର୍ଷର ସବୁତକ ଖୁସି ସେହି ଟଙ୍କାକର ଗ୍ରିଟିଂସ୍ ରେ ଥାଏ। କେତେବେଳେ ନୂଆବର୍ଷ ଆସିବ ଆଉ ସାଙ୍ଗ ମାନଙ୍କୁ ଗ୍ରିଟିଂ ଦେବି ତାହା ଭାବି ଭାବି ରାତିରେ ନିଦ ହୁଏନି। ଅନେକ ହିରୋ ହିରୋଇନ୍,ଠାକୁର, ଫୁଲ ଓ ମନଲୋଭା ଦୃଶ୍ୟ ଥିବା ଗ୍ରିଟିଂସ୍ କିଣି ଆଣି ସବୁ ସାଙ୍ଗ ମାନଙ୍କ ପାଇଁ କେତେ କେତେ ଯେ ଢଗ ଢମାଳି ଲେଖି ନୂତନ ବର୍ଷର ଅଭିନନ୍ଦନ ଜଣାଯାଏ। ହେଲେ ନିରାଟ ସତ କଥା କହିବି, ଆଜି ସହର ମାନଙ୍କରେ ଗ୍ରିଟିଂସ୍ କଣ ବୋଲି ଜାଣନ୍ତିନାହିଁ; ଆଉ ଦୋକାନୀ ମାନେ କୁହନ୍ତି ସେ କଣ ଆଜି କାଲି ଆଉ ଚାଲୁଛି ରେ ମା, ସେ ପରା କୋଉ କାଳୁ ଗଲାଣି! ଏହି ସବୁ ଶୁଣିଲା ବେଳକୁ ମୋ ମନ କାଇଁ ଭାରି କଷ୍ଟ ହୁଏ, ମୁଁ ଭାବେ, ସତରେ କଣ ଆମେ ଏତେ ଆଧୁନିକ ହୋଇଯାଇଛେ ଯେ ଏହି କିଛି ବର୍ଷ ତଳର ଖୁସି ଆଜି ଲୁପ୍ତ ପ୍ରାୟ ହୋଇସାରିଛି? 

ଆଜି ଆଉ ଆଗ ଭଳି ସେ "ଗ୍ରିଟିଂସ୍" ନାହିଁ,  ଅଧୁନା ସବୁ କୁଆଡେ "HAPPY NEW YEAR" ଲେଖି ଏଲ୍ ଫରୱାର୍ଡ କରିଦେଉଛନ୍ତି। ହ୍ୱାଟସପ୍, ଇନ୍ଷ୍ଟା, ଫେସବୁକ୍ ଆଉ ଟୁଇଟରରେ ଲୋକେ କୁଆଡେ ଖାଲି ମେସେଜ ଓ ଉଇସ୍ କରୁଛନ୍ତି। ଆଉ ଅଧିକାଂଶ ଲୋକେ କେବଳ ଷ୍ଟାଟସ୍ ଆଉ ଷ୍ଟୋରୀ ଦେଇ ନୂତନ ବର୍ଷର ଅଭିନନ୍ଦନ ଜଣାଉଛନ୍ତି। ହେଲେ କାଇଁ ଏହି ସବୁ ଅଭିନନ୍ଦନ ଗୁଡିକରେ ମୁଁ ପାଏ ନାହିଁ ସେଇ ପୁରୁଣା ଖୁସିର ସ୍ପର୍ଶ, ପାଇନାହିଁ ସେହି ହାତ ଲେଖା ଢଗ ଢମାଳି ଓ ଆନ୍ତରିକତା ପୂର୍ଣ୍ଣ ଭଲପାଇବାକୁ। ନୂତନବର୍ଷ ଆସିଲେ ନୂଆବର୍ଷର ସେହି ବିଭିନ୍ନ ପ୍ରକାର ଠାକୁରଫୋଟୋ ଥିବା କ୍ୟାଲେଣ୍ଡର ଆଉ ନୂଆ "ଡାଇରୀ" ଖଣ୍ଡେ ପାଇଁ କେତେ ଆଶା ଥାଏ.. ଖବର କାଗଜରୁ ଚିରି କେତେ ହିରୋ ହିରୋଇନ୍ ଙ୍କ ଫୋଟୋକୁ ଲଗେଇବା ସହ ଓଡ଼ିଆ ସଙ୍ଗୀତ ଓ କବିତା ସବୁ ଲେଖିବା ପାଇଁ ସେହି ନୂଆ ଡାଇରୀରେ। ହେଲେ ଆଜି କୁଆଡେ ସେହି ନୂଆବର୍ଷର ଡାଇରୀ ଆଉ ଆସୁନି। ଆସିଲେ ଭି ଖୁବ୍ ଅଳ୍ପ! ଲୋକେ କହୁଛନ୍ତି କଣ ନା, ଫୋନ୍ ରେ ନୋଟ୍ ପ୍ୟାଡ ଥାଉ ଥାଉ ଆଉ ସେହି ମାନ୍ଧାତା ଯୁଗ ଭଳି ଡାଇରୀରେ ବା କିଏ ଲେଖିବ? ନୂଆ ବର୍ଷ ଆସିଲା ମାତ୍ରେ ଜେଜେ ମା ଓ ବୋଉ କୁ କହି ସୁଆଦିଆ ହାତ ତିଆରି ପୋଡପିଠା, ମଣ୍ଡା, କାକରା, ଚକୁଳି ଆଦି ତିଆରି କରିବା ପାଇଁ ତାଗିଦ୍ କରିବାର ଖୁସି କିଛି ଅଲଗା ପ୍ରକାର ଥିଲା, ହେଲେ ଆଜି କୁଆଡେ ନୂଆବର୍ଷରେ ସମସ୍ତେ ରାତି ବାରଟାରେ କେକ୍ କାଟୁଛନ୍ତି ଆଉ ପିଠାକୁ ନୁହଁ କେକ୍ କୁ ଅଧିକ ପସନ୍ଦ କରୁଛନ୍ତି।ନୂଆବର୍ଷରେ ଶିକ୍ଷକଙ୍କ ଠାରୁ ପ୍ରଥମ ତାରିଖ,ମାସ ଓ ବର୍ଷ ସହ ଖାତାରେ ଏକ ଦସ୍ତଖତ କୁ ସାଇତି ରଖିବା ପାଇଁ ସାଙ୍ଗ ମାନଙ୍କ ଭିତରେ କାହିଁ କେତେ ମାଡ଼ଗୋଳ ! ହେଲେ ଆଜି ଲୋକଙ୍କର ତାରିଖ ଭି ମନେ ରହୁନି ଦସ୍ତଖତ ତ ଦୂରେ ଥାଉ। ଆଜି ୨୦୨୪ ରେ ଠିଆ ହୋଇ ଭାବେ ସତରେ ଆମେ ଏତେ ଆଧୁନିକ ହୋଇଯାଇଛେ ଯେ, ପୁରୁଣା ସେଇ ଖୁସି ସବୁ କୁ ଜଳାଞ୍ଜଳି ଦେଇସାରିଛେ। ଯେଉଁ ସବୁ ଅନୁଭୂତି ଓ ସ୍ମୃତି କୁ ସାଉଁଟି ଥିଲି, ଦିନେ ସେ ସବୁ ଲୁପ୍ତ ଅରଣ୍ୟର କଳା କିଟିମିଟି ଅନ୍ଧକାରରେ ଧୂଳି ଧୂରସ ଅବସ୍ଥାରେ ବିଦ୍ୟମାନ ହୋଇଯିବ ବୋଲି ଜାଣିନଥିଲି। ଘଣ୍ଟା କଣ୍ଟାର ଗତିଟା ଆଜି କାଇଁ ଭାରି ଦ୍ରୁତ ବେଗରେ ଥିବା ଭଳି ଲାଗୁଛି, କେବେ ସରିବ ଭାବୁଥିବା ଏହି ୨୦୦୭ ମସିହାଟି ଆଜି ହାତ ମୁଠାରୁ ଖସି ଚାଲିଯାଇଛି। କାଇଁ ସରୁନି ବୋଲି ସଦା ଗାଳି ଶୁଣିଥିବା ଏହି ୨୦୧୧-୧୨ ମସିହା ଟି କାଇଁ ଆଜି ଭାରି ନିଜର ନିଜର ଲାଗୁଛି। କ୍ୟାଲେଣ୍ଡର ପୃଷ୍ଠା ଆଉ ବର୍ଷର ପରିବର୍ତ୍ତନ ସହିତ ସତରେ ଲୋକ ମାନେ ମଧ୍ୟ ବହୁତ୍ ପରିବର୍ତ୍ତନ ହୋଇଯାଇଛନ୍ତି। ଆଜି ନୂଆ ତାରିଖ ସିନା ଲେଖା ହୁଏ ହେଲେ ପୁରୁଣା ସ୍ମୃତି ସବୁ ଭାରି ମନେ ପଡେ। କିନ୍ତୁ କଥାରେ ଅଛି ପରା "ବିଧିର ବିଧାନ କେ କରିବ ଆନ", ସବୁକୁ ହୃଦୟରେ ଆବୋରି ନେଇ, ଶେଷ ହେଲା ଜୀବନ ପୃଷ୍ଠାରୁ ଆଉ ଗୋଟେ ନୂଆ ଅଧ୍ୟାୟ, ଗୋଟେ ନୂଆ ପୃଷ୍ଠା ଓଲଟାଇ ପୁଣି ଜୀବନକୁ ଲେଖିବା ଆରମ୍ଭ କରୁଛି ମନରେ ସମସ୍ତଙ୍କ ପାଇଁ ଭଲପାଇବା ନେଇ........!! ମୋ କହିବା କଥା ଆଧୁନିକ ହୁଅନ୍ତୁ; କିନ୍ତୁ ନିଜ ସଂସ୍କାର, ନିଜ ସଂସ୍କୃତିକୁ ଅବହେଳା କରନ୍ତୁ ନାହିଁ, ପୁରାତନକୁ ନୂତନ କରି ଗଢି ତୋଳିବାକୁ ଚେଷ୍ଟା କରନ୍ତୁ ଲୁପ୍ତ ନୁହେଁ ତାହେଲେ ଆପଣ ପ୍ରକୃତ ଆଧୁନିକ ବୋଲାଇବେ।  କିଛି ତ୍ରୁଟି ଥିଲେ କ୍ଷମା କରିବେ। ଶେଷରେ, ଶିବଙ୍କ ମୁଣ୍ଡରେ ଫୁଲ ଚନ୍ଦନ, ଆପଣ ସଭିଙ୍କୁ ମୋ ତରଫରୁ ନୂତନ ବର୍ଷର ଅଭିନନ୍ଦନ।        ||ଧନ୍ୟବାଦ||


                                             _ ଶାଶ୍ଵତୀ ପ୍ରିୟଦର୍ଶିନୀ , 

                         ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ, ଭୁବନେଶ୍ୱର।

Post a Comment

0 Comments