ବାସନ୍ତୀ ଲତା ଜେନା
ଏ ସାରା ଜଗତ ସ୍ରଷ୍ଟାଙ୍କର ସୃଷ୍ଟି
କି ସୁନ୍ଦର ମନୋହର
ଯୁଆଡେ ଚାହିଁଲେ ମନ ପୁରିଉଠେ
ସୌନ୍ଦର୍ଯ୍ୟର ଗନ୍ତାଘର l
ଯାହା ପାଇଁ ଯାହା ଦରକାର ହୁଏ
ସବୁ ଖଞ୍ଜି ଦେଇ ଅଛ
ସବୁରିଙ୍କ ମନ ବୁଝି ପାର ବୋଲି
ଅନ୍ତର୍ଯ୍ୟାମୀ ବୋଲାଉଛ l
ପ୍ରାଣୀ ଜଗତରେ ମନୁଷ୍ୟକୁ କଲ
ସର୍ବ ଶ୍ରେଷ୍ଠ ଉପହାର
ସେନେହ ପ୍ରେମର ମମତା ବନ୍ଧନେ
ପ୍ରୀତି ହେଲା ଅର୍ଘ୍ୟ ତାର l
ପ୍ରୀତିର ପ୍ରଣତି ପୂଜା ଅର୍ଚ୍ଚନାରେ
ଆବଶ୍ୟକ ହୋଇ ଥାଏ
ଦେବ ଗୁରୁଜନେ ଭକ୍ତି ପୁଷ୍ପାଞ୍ଜଳି
ପ୍ରଣତିରେ ପୂର୍ଣ୍ଣ ହୁଏ l
ମଙ୍ଗଳମୟ ହେ ସତ୍ୟ ସନାତନ
ତୁମ ପାଇଁ ଏ ଜଗତ
ତୁମରି କରୁଣା ଆଶିଷର ବାରୀ
ଢାଳି ଦିଅ ଅବିରତ l
ତୁମରି ସନ୍ତାନ ଅତୁରେ ବିଭୋର
ତୁମରି କରୁଣା ପାଇଁ
ଦୁଃଖ ଯାତନାରୁ ମୁକ୍ତି ଦିଅ ପ୍ରଭୁ
ଆଶିଷ ଟିକିଏ ଦେଇ l
ପୂଜା ମନ୍ତ୍ର କିଛି ଜାଣି ନାହିଁ ପ୍ରଭୁ
ଅବୋଧ ମୂର୍ଖ ସନ୍ତାନ
ଆଞ୍ଜୁଳାଏ ପୁଷ୍ପ ଅର୍ପୂଛି ତୁମକୁ
ନକରିବ ଅଭିମାନ l
ତୁମକୁ ଦେବାକୁ ଶକ୍ତି ମୋର ନାହିଁ
ସବୁତ ତୁମରି ଦାନ
ଭଙ୍ଗା କୁଡ଼ିଆରେ ଦୀପାଳି ଜାଳୁଛି
ରଖିଛି ତୋ ଠାରେ ମନ l
ଭଜନ ଜଣାଣ କିଛି ଜାଣି ନାହିଁ
ଉଚ୍ଚାରଣ ଖାଲି ନାମ
ଜୟ ଜଗନ୍ନାଥ ଆରତ ନାଶନ
ଘେନିବ ମୋର ପ୍ରଣାମ l
-------=------


0 Comments