ସନ୍ଧ୍ୟା



ସଞ୍ଜ ଯେବେ ଆସେ ମୋ ଗାଁ ବୁକୁରେ
      ଖୁସିର ଲହରୀ ଖେଳେ
କର୍ମ କ୍ଲାନ୍ତ ଶ୍ରାନ୍ତ ଶ୍ରମ ଜୀବିଟିଏ   
      ବିଶ୍ରାମ ନିଏ ତା କୋଳେ.....
ଗାଈ ଫେରି ଆସେ ଗୋଷ୍ଟକୁ ତାହାର
       ଧୂଳି ଉଡ଼ାଇଣ ଦାଣ୍ଡେ,
ମାଆ ର ମମତା ହାତ ବୁଲୁଥାଏ
       ତା ଶିଶୁ ସନ୍ତାନ ମୁଣ୍ଡେ......
ବାପା ଯେ ଫେରନ୍ତି କାମ ସାରିଦେଇ
      ଶାନ୍ତିରେ ନିଃଶ୍ୱାସ ପାଇଁ
କୁନି ପିଲାଟିଏ ଆଈ ପାଶେ ଧାଇଁ
       ଗପ ଶୁଣିବାର ପାଇଁ........
ତୁଳସୀ ମୂଳରେ ନୂଆ ବୋହୁ ଆସି
        ସଞ୍ଜବତୀ ଜାଳି ଦିଏ
ପରିବାର ଆଉ ଶଙ୍ଖା ସିନ୍ଦୂରର
        ଶୁଭ ସେ ମନାସୁ ଥାଏ.....
ବିହଙ୍ଗମ ଦଳ ଆକାଶ ବୁକୁରେ
        ନୀଡ଼କୁ ଆସନ୍ତି ଫେରି
ଭାଗବତ ଟୁଙ୍ଗି ଖୋଲା ହୋଇଯାଏ
        ବୋହୂର ଓଢଣୀ ସରି.......
ଜୀବଜନ୍ତୁ ସର୍ବେ ହର୍ଷ ଉଲ୍ଲସିତ
       ବିଶ୍ରାମେ ଆନନ୍ଦ ପାଇ
ସଭିଙ୍କ ମନରେ ଖୁସି ଭରେ ସଞ୍ଜ
        ସଭିଙ୍କୁ ସେ ଶାନ୍ତି ଦେଇ.......
ପ୍ରେମୀ ଖୋଜେ ପ୍ରେମ ତମସା ଆସିଲେ
      ମନ ପ୍ରାଣ ଏକ ହୁଏ
ସତେ ସନ୍ଧ୍ୟା ରାଣୀ ସକଳ ପ୍ରାଣ ରେ
      ଆନନ୍ଦ ବରଷି ଯାଏ.......

 ନନ୍ଦିନୀ ରାଉତ 
 ବାଲି ପଟ୍ଟା,ଅନୁଗୁଳ

Post a Comment

0 Comments