କେଉଁ ମୃତ୍ୟୁ ତାଙ୍କ ପାଇଁ ଶ୍ରେୟ

  
 ତୁମେ ତ ଦାଦନ ଶ୍ରମିକ
     ଆଉ ମୁଲିଆ ବି
  କୁହ କେଉଁ ମୃତ୍ୟୁ 
    ତୁମ ପାଇଁ ଲୋଡା
 ଘରୁ ଗୋଡ କାଢିଲେ 
       ପୋଲିସ୍ ଭୟ
ଆଉ ଗୋଡ ନ କାଢିଲେ ପେଟ
ଭୋକରେ ଡହଳବିକଳ
ହୋଇ ମରିଯିବା ପରିବାର ସହ।
    ନେତାମନ୍ତ୍ରୀ ବାବୁଭାୟା ମାନେ କହୁଛନ୍ତି
ସରକାର ତୁମକୁ ଖାଇବାକୁ ଦେବ 
୩ ମାସ ପାଇଁ ଆଗୁଆ ରାସନ ସାମଗ୍ରୀ ବି ଦେବ
ତା ସହ ଭତ୍ତା ପୁଣି ବୀମା,
ଆମ ଗାଁ ନଖିଆଟା ୫ ଦିନ ହେବ ରହିଛି ଓପାସ
କିନ୍ତୁ କେଉଁ ନେତାଙ୍କ ଦର୍ଶନ ପାଉନି ଯମା ।
 ଅବଶ୍ୟ କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ
ରନ୍ଧାଖାଦ୍ୟ ସହ ମାସ୍କ ଯୋଗାଇ
ସାହାଯ୍ୟର ହାତ ବଢାଉଛନ୍ତି
ମାତ୍ର ସାହାଯ୍ୟ ବଦଳରେ 
ମୋବାଇଲରେ ଅନେକ ସେଲ୍ଫି ନେଇନେଇ
ଦାରିଦ୍ରତାକୁ ପରିହାସ ବି କରୁଛନ୍ତି।
  ନଖିଆ କିନ୍ତୁ ସେ ଗହଳିର ମାଟି ମାଡୁନି
କାଳେ ତା ଦାରିଦ୍ର୍ୟର ତୈଳଚିତ୍ର କଏଦ୍ ହୋଇଯିବ ଫୋନ୍ କ୍ୟାମେରାରେ
 ସେଥିଲାଗି ତାର ଭାରି ଭୟ
 କିନ୍ତୁ ଭାବିପାରୁନି ,
ଦାରିଦ୍ର୍ୟର ବହ୍ନିରେ ଜଳିଜଳି ମରିବ
ନା ଅଜଣା ରୋଗଟା ତାକୁ ଗୋଡାଇ ଖାଇବ
  କେଉଁ ମୃତ୍ୟୁ ତା ପାଇଁ ଶ୍ରେୟ?


ଲୋକନାଥ ସାମଲ,
କେନ୍ଦ୍ରାପଡା

Post a Comment

0 Comments