ଚାରିପଟେ
ନିଦ୍ରାହୀନ ନୀରବତା।
ଲମ୍ବୁଛି କଳାଛାଇ.....
ଆଶଙ୍କାରେ ଅସୁମାରି ସ୍ଵପ୍ନ ।
ଅପହଞ୍ଚ ବିଶ୍ଵାସର ବାଇଶି ପାହାଚ..।
ଥୟ ଆବେଗରେ
କାନକୁ ଶୁଣାଯାଉନି କାକଳି... ।
ଆଖିକୁ ଦୃଶ୍ୟ ହେଉନି ସୋରିଷ କ୍ଷେତ,
ଫୁଲ ଫଗୁଣରେ ଅଗ୍ନିର ଅଭିସାର....
ନାସାରୁ ନିର୍ଗତ ବୈଶାଖର ଦୀର୍ଘଶ୍ୱାସ.... ।
ସତେ ଅବା ନୂଆ ଢଙ୍ଗରେ
ମୃତ୍ଯୁ ଓହ୍ଲେଇ ଆସିଛି ମର୍ତ୍ତ୍ୟକୁ...।
ଆଉ କେତୋଟି ଘଟଣା ପରେ ମୂଢ !
ତୁ ଚାଲିବା ଶିଖିବୁ
ଦେଖ, ସେ ଢୋକେ ପିଇ
ଦଣ୍ଡେ ଜିଉଁଥିବା ଜୀବମାନଙ୍କୁ....
ଏଇ ଯେମିତି -
ତାତିଲା ଖରାରେ ପକ୍ଷୀଙ୍କ ଉଡ଼ାଣ।
ସଁ ସଁ ହୋଇ
ଘୁରି ବୁଲୁଥିବା ଶ୍ବାନ......
ବାଡ଼ିଧରି ବୟସକୁ
ଭୋଗ କରୁଥିବା ବୁଦ୍ଧା,ବୁଦ୍ଧାଗଣ,
ରାଜରାସ୍ତାରେ, ସୀମାନ୍ତରେ,
ସେବା ସଦନରେ
ସେବାର ସରଯୂମାନଙ୍କ
ପ୍ରୀତି ସମ୍ମୋହନ......
ଆସ,
ବାହାରି ଆସ ସେ ରୁଦ୍ଧ ଦୁଆରୁ
ପାଲଟିଯାଅ ଭ୍ରମରୁ ଭ୍ରମର।
ଆହୂତି ଦେଇଦିଅ
ଆଞ୍ଜୁଳା ଆଞ୍ଜୁଳା ଅବିଶ୍ବାସକୁ,
ସିନ୍ଧୁଏ ନିରାଶାକୁ,
ଆଶଙ୍କାର କଳାବାଦଲକୁ।
ଗଢିଦିଅ ଆଶା ବିଶ୍ଵାସର
ସେ ଶ୍ରୀମନ୍ଦିର ।
ତୁମ ଜୀବନ ପାଲଟିଯିବ ଯଜ୍ଞ,
ପ୍ରେମ ନିଃସ୍ଵ ପୃଥିବୀଟା
ପାଲଟିଯିବ ପ୍ରେମ ସର୍ବସ୍ଵ
ସୁରଭିତ ହେବ ପୁଣି ଏ ସଂସାର..।
ଆଉ ବେଶି ଦୂର ନୁହେଁ
ସେ ସରଗ ଦୁଆର....
ଦେଖ,
ଉଦଭାସିତ ଉନ୍ମେଷର
ଦୀପ୍ତ ପଥ।।
ସୁଜିତ୍ କୁମାର ମିଶ୍ର
ଜନାର୍ଦ୍ଧନପୁର ଶାସନା, କେନ୍ଦୁଝର


0 Comments