ବେଡି ଉପରେ କୋରଡ଼ା - ଛବିରାଣୀ ପତି



ଖରସ୍ରୋତ କେବେ ନିଦାଘର ତାତି
       ବିଚିତ୍ର ଜୀବନ ଗତି...!!
କେବେଠୁ ଯୁଝୁଚି ମଣିଷ କରୋନା
      ଆସୁଛି ଅମ୍ଫାନ୍ ମାତି ।

ବରଷେ ବିତିଲା ଏଇତ ଫୋନିକୁ
        ସଳଖିନି ଭଙ୍ଗା ଅଣ୍ଟା
କେତେବା ମଣିଷ ଖଟାଇବ ବୁଦ୍ଧି
        ବାଜୁଛି ବିତ୍ପତି ଘଣ୍ଟା ।

ପିଲା ଛୁଆ ଧରି ଚାଲିଚାଲି କେହି
         ଆସୁଛି ସାଇକେଲ ଧରି
ଭାରି ସଙ୍କଟେ ମୋ' ପ୍ରବାସୀ ଓଡ଼ିଆ
  (ପ୍ରାୟତଃ)ଦେହରେ ଭୂତାଣୁ ଧରି ।

ବାତ୍ୟା ଆଶ୍ରସ୍ଥଳୀ ବାଡି ବିଦ୍ୟାଳୟ
        ସବୁଠିଁତ ଭିଡ ଏବେ
ଗୋରୁ କି ମଣିଷ ମୁଣ୍ଡ ଗୁଞ୍ଜିବାକୁ
       କୁଆଡେ ବା ଆଉ ଯିବେ ?।

ପ୍ରଶାସନ ଆଉ ସ୍ବେଚ୍ଛାସେବୀ ମାନେ
        ଦେଇଛନ୍ତି ଅଣ୍ଟା ଝାଡି
ବେଡି ଉପରେଏ କୋରୋଡା ମାଡ଼ ଲୋ
      ଛାଡିଲାଣି ଆସି ରଡ଼ି ।

ମହାମାରୀ ଅବା ଦୈବ ଦୁର୍ବିପାକ
       ଅଦୃଶ୍ୟ ଶତ୍ରୁଙ୍କ ଭିଡ
ଉଧ୍ାରିବେ ସେହି ସୁପ୍ତ ମହାବାହୁ
       ଅଦୃଶ୍ୟ ଶକ୍ତିର ଜଡ ।

ନିରାଶ୍ରୟକୁ  ଜଗଦୀଶ ଭରଷା
        ଅମ୍ଫାନଟା ହେଉ ଶାନ୍ତ
ତୁମ ସଂସାରକୁ ତୁମେ ରଖ ପ୍ରଭୁ
        କରୋନାର ବି ହେଉ ଅନ୍ତ । 

    ଛବିରାଣୀ ପତି 
    ବିରିଡ଼ି , ଜଗତସିଂହପୁର। ।
  

Post a Comment

0 Comments