ସେ ଉତ୍କଳ ମାଟି ପାଇଁ ପଦିଏ ଲେଖିଛି
ପିଲାଦିନୁ ଯା ପାଣି ପଵନେ ମୁଁ ଵଢିଛି।।
ଵୈତରଣୀ କୁଶଭଦ୍ରା ଋଷିକୁଲ୍ୟା ଆଦି
ଉତ୍କଳର ପାଦେ ମଥା ପିଟି ଗରଜନ୍ତି।।
ରଜ,ହୋଲି,କୁମାରପୂର୍ଣ୍ଣମା,ଦୋଳ,ରଥ
ବାରମାସେ ତେର ପର୍ବ ଦେଖନ୍ତି ଜଗତ।।
ଆରାଧ୍ୟ ଠାକୁର ଆମ ପ୍ରଭୁ ଜଗନ୍ନାଥ
କୋଟି ଓଡ଼ିଆ ଙ୍କ ସିଏ ପ୍ରଭୁ ଶ୍ରୀ ସାମନ୍ତ।।
କୋଣାରକ,ଲିଙ୍ଗରାଜ,ଶ୍ରୀ ମନ୍ଦିର ଆଦି
ଉତ୍କଳ ରାଜା ଙ୍କ କଥାକହେ ବାରବାଟୀ।।
ଶକ୍ତିପୀଠ ବୁଲିଲେ ଲାଗଇ ଭାରି ମଜା
ତାରା ତାରିଣୀ ମଙ୍ଗଳା ଚର୍ଚ୍ଚିକା ବିରଜା।।
ସାହିତ୍ୟ ରେ ନାମ ରଖିଗଲେ କେତେ କବି
ଗଙ୍ଗାଧର,ରାଧାନାଥ,ଆଉ ବ୍ୟାସକବି।।
ପ୍ରବାଦ ପୁରୁଷ ସିଏ ଆମ ବିଜୁବାବୁ
ଉତ୍କଳ ଗୌରବ ବାରିଷ୍ଟର ମଧୁବାବୁ।।
ସେବା ପାଇଁ ଗୋପବନ୍ଧୁ,ତ୍ୟାଗ ରେ ଧରମା
ଜାତି ପାଇଁ ପୁଅ ବାଜି ଜୀବନ ଟି ଦେଲା।।
ଧୋତି ଗାମୁଛା ଆମ ଶାଢୀ ସମ୍ବଲପୁରୀ
ଏଣ୍ଡୁରି,ଚକୁଳି,ପୋଡ ପିଠା କୁ କେ ସରି।।
ପଖାଳ କଂସା ଟି ପରା ଓଡ଼ିଆଙ୍କ ଆଶା
ସେ ଆଶା ରେ ଢେଉ ଖେଳେ ମମତା ର ଭାଷା।।
ନାଚଗୀତେ ଓଡିଶା କୁ ଯିବ କିଏ ବଳି
ଓଡ଼ିଶୀ,ସମ୍ବଲପୁରୀ,ଛଉ ଓ ସାନ୍ତାଳି।।
ସଂସ୍କୃତି ର କଥା କହେ ପାଲା,ଦାସକାଠି
ଗୀତେ ଚଂପୁଛାନ୍ଦ ଚଉତିଶା ଚଉପଦୀ।।
ରୋଗ ଭୋକ ଦୁଃଖ ଯେତେ ଯାଉ ଏ ମାଟିରୁ
ଏ ମାଟିକୁ ଭୁଜ ତଳେ ରଖ ମହାବାହୁ।।
ସୌଭାଗ୍ୟ ରଞ୍ଜନ ମହାପାତ୍ର
ଅଧ୍ୟାପକ,ବୈଦିକ ମହାବିଦ୍ୟାଳୟ,ସମ୍ବଲପୁର


0 Comments