ପାହାଡ଼ି ଝରଣା - ବାସନ୍ତୀଲତା ଜେନା



ପାହାଡି ଝରଣା ଝରି ମୁଁ ଯାଉଛି
ଝର ଝର କୁଳୁ ତାନ
କେତେ ବାଧା ବିଘ୍ନ ସହି ମୁଁ ଚାଲିଛି
ଏଇ ତ ମୋର ଜୀଵନ   l 1l

ମୋ ରାସ୍ତାର ବାଧା ଯେ ବନ୍ଧୁର ଶିଳା
କେତେ ଖାଲ ଢିପ ଅଛି
କଣ୍ଟକିତ ପଥେ ଚାଲିବା ଆଭାସ
ମୁଖେ ହସ ଫୁଟାଉଛି    l 2l

ବନ ଜଙ୍ଗଲର ପାଦପକୁ ଧୋଇ
ଆଗକୁ ଆଗକୁ ଚାଲେ
କୁଳୁ କୁଳୁ ଶବ୍ଦ ମନ ମୋହି ନିଏ
ମୋ ଜଳେ ଗାଧାନ୍ତି ପିଲେ    l 3l

ଦୁଃଖ କରେ ନାହିଁ ଏହି ଯେ ନିୟତି
ମୋ କପାଳେ ଅଛି ଲେଖା
ଥକି ମୁଁ ଯାଇନି ରୋକି ମୁଁ ଯାଇନି
ପ୍ରାଣୀ ସଙ୍ଗେ ହୁଏ ଦେଖା    l 4l

କେତେ ପଶୁ ପକ୍ଷୀ ମୋ ଜଳ ପିଅନ୍ତି
ପ୍ରାଣ ଶୀତଳ କରନ୍ତି
ମନୁଷ୍ୟ ମାନଙ୍କ କାମରେ ମୁଁ ଲାଗେ
ସଭିଏଁ ଖୁସି ହୁଅନ୍ତି     l 5l

ଖରା ବର୍ଷା ଶୀତ ସବୁ ମୁଁ ସହିଛି
କେବେ ହୋଇନି ବିମୁଖ
ବର୍ଷା ରାଣୀ ଯେବେ ମୋ ଦେହରେ ମିଶେ
ବହୁତ ପାଏ ମୁଁ ସୁଖ    l 6l

ଯେତେ ଦିନ ସୃଷ୍ଟି ବଞ୍ଚି ରହିଥିବ
ଏମିତି ମୁଁ ବହୁ ଥିବି
ସବୁରି ହୃଦରୁ ତୃଷା ମେଣ୍ଟାଇବି
ଦୁଃଖ ସୁଖ ଭୁଲି ଯିବି     l 7l

ନୁହେଁ ମୁଁ ବିଶାଳ ପରବାର ସମ
ଅବା ଚିର ସ୍ରୋତା ନଈ
ପାହାଡି ଝରଣା ନାମ ତ ମୋହର
ବସୁଧାରେ ଯାଏ ଧାଇଁ    l 8l

ମୋ ଠାରୁ କିଛି ଗୁଣ ଶିଖ ବନ୍ଧୁ
ଭୁଲି ଦୁଃଖ ଯାତନାକୁ
ଜୀଵନ ଅଛି ତ ଯନ୍ତ୍ରଣା ଯେ ଅଛି
ପାଦ ବଢ଼ାଅ ଆଗକୁ     l 9l

କର୍ତ୍ତବ୍ୟ କରିଲେ ବିଶ୍ୱାସ  ରଖିଣ
କେବେ ହାରି ଯିବ ନାହିଁ
ସାହସ ଓ ଧୈର୍ଯ୍ୟ ସାଥେ ରହି ଥିଲେ
ଆଉ କିଛି ଚିନ୍ତା ନାହିଁ    l 10l
               
ବାସନ୍ତୀ ଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର
ମୋ : 8658655979

Post a Comment

0 Comments