ତୁମେ ମୋ କଳ୍ପନା
ଆଗୋ ଅନୁପମା
କି ଉପମା ତୁମ ଦେବି
ଗହନ ଦିଦୃକ୍ଷା
ତୁମ୍ଭର ବଦନ
ବ୍ୟାକୁଳ ସମଗ୍ର ସୃଷ୍ଟି ।୧।
ଆଷାଢ ଶ୍ରାବଣ
ମାସରେ ଝରିଣ
ଅମ୍ଭେଃ ଯେବେ ତୁ ଭିଜେଇ ଦଉ
ଉଜ୍ଜୀବିତ ହୁଏ
ପ୍ରକୃତି ପରାଣ
ଅପରୁପା ଦିଶେ ମହୀ ।୨।
ପାରଣା ପୀୟୁସେ
ଧରା ମୋ ଲେଉଟେ
ବୀରା ପ୍ରାୟେ ସଜ୍ଜା ହୋଇ
ଆରମ୍ଭୀ ଉଷସୀ
ଉପାଂଶୁ କହୁଛି
ତୁମେ ସତେ କେଡେ ମନୋହରୀ ।୩।
କଳାପୀ କଳାପ
ହୁଅଇ ଚଟୁଳ
ଚୂଡା ମେଲି ନଭେ ଚାହିଁ
ଝଙ୍କୃତ ଭୋଗାର୍ହ
ବର୍ଷଣା ବୋଲଇ
ସିଏ ସରଗର ଅପସରୀ ।୪।
କୁସୁମେ ମିଳିନ୍ଦ
ମଦନ ସାଜିଣ
ଯାଏ ମକରନ୍ଦ ପାନ କରି
ଲତିକା ଲତନ୍ତେ
ଶୋଭିନୀ ଶୋଭନ୍ତେ
ତପାତ୍ୟୟ ଧୃତିମତୀ ।୫।
ପଲ୍ଲବ ପରସେ
କୃଷକ ହରସେ
ନାନି ଚାଷବାସ କରି
ପିପ୍ରୀଷା ପ୍ରମୋଦୀ
ମଞ୍ଜରୀ ମଞ୍ଚକୁ
ନିତି ବୁଲି ଦେଖୁଥାଇ ।୬।
ପଲ୍ଲୀର ଦାଣ୍ଡରେ
ଭାସଇ ପ୍ରେରକ
ମନ ବାରତାକୁ ନେଇ
ତିନ୍ତା ତନୁରେ ସେ
କିଛି ବାଟ ଯାଇ
ଆପେ ଯାଏ ଧୋଇ ହୋଇ ।୭।
ପରବ ପର୍ବାଣି
ପାଳନ୍ତି ଆନନ୍ଦେ
ରକ୍ଷା ବନ୍ଧନକୁ ଯୋଡି
କାଉଁରିଆ ମାନେ
ପାଣି ଢାଳନ୍ତିଲୋ
କେତେ ମାନସିକ କରି ।୮।
ଘରେ ଘରେ ଲାଗେ
ଉଠା ଚୁଲି ନିଆଁ
ଚାଳରୁ ବାହାରେ ଧୁଆଁ
ଗରମ ଚାହାକୁ
ମୁଢୀକି ମିଶ୍ଚର
ତା ଖୁସି କହୁଚୁ କିଆଁ ।୯।
ହସେ ମୋ ଧରିତ୍ରୀ
ଦେଖି ମୋ ମଇତ୍ରୀ
ନିଧାନ ପୁରିତ ମଣ୍ଡି
ଅଭାବ ରହେନା
କେଉଁ ଚିଜଟିର
କେହି ନୁହେଁ ତାର ସରି ।୧୦।
ଜଗନ ପାଳ
ବାଙ୍କୀ , କଟକ


0 Comments