ମୋ ପାଖେ ପାଖେ ସଦା ତୁ ରହିଥା,
ମୋ ହାତ ଧରି ମାଆ ବାଟ ଚାଲୁଥା।
ଏତେ ବଡ ଦୁନିଆରେ ତୁ ଏକା ନିଜର,
ତୋ ବିନା ମାଆଲୋ ଆଉ ସବୁ ପର।
ଜନମରୁ ଆଜି ଯାଏଁ ଦେଇଛୁ ତୁ ଯାହା,
ସାତଜନ୍ମରେ ବି ଶୁଝିପାରିବିନି ଲୋ ମାଆ।
ଦଶମାସ ଗରଭ ଯନ୍ତ୍ରଣା ସହିଛୁ ତୁହି,
ତୋ ଟେକ ରଖିବି ଶପଥ କରୁଛି ମୁହିଁ।
ଅନ୍ନ ଦାତ୍ରୀ ମାଆ ତୁ ପରା ମୋ ବସୁଧା,
ତୋ ବିନା ମାଆଲୋ ମୋ କାହାଣୀ ଅଧା।
ଅଗ୍ର ଗୁରୁ ତୁ ମୋ ମନମନ୍ଦିରେ ଅଗ୍ରପୂଜ୍ୟ,
ତୋ ଉପଦେଶକୁ କରିବିନି କେବେ ଅଗ୍ରାହ୍ୟ।
ଅମାନିଆ ହେଲେ ଦେଖାଉ ତୁ ନାଲି ଆଖି,
ତୋ ସୁନ୍ଦର ମୁହଁ ଦେଖି ଆଖି ମୋ ଯାଏ ଲାଖି।
ମାଡ ମାରି ମୋତେ ନିଜେ ତୁ ଲୁହ ଝରାଉ,
ତୋ ସ୍ନେହ ମମତାରେ ମୋତେ ବାନ୍ଧି ପକାଉ।
ତୋ ହାତ ରନ୍ଧା ମୋ ପାଇଁ ସ୍ୱର୍ଗର ଅମୃତ,
ନ ଖୁଆଇଲେ ତୁ ପୁରେ ନାହିଁ ମୋ ପେଟ।
ସ୍ୱର୍ଗର ଦେବୀ ମାଆ ତୁ ପରା ଅପରାଜିତା,
ମୋ ପାଇଁ ମାଆଲୋ ତୁ ସାରା ଜଗତେଜିତା।
ତୋ କୋଳେ ବିରାଜମାନ ମାଆ ନିଦ୍ରା ଦେବୀ,
ନିଦ ଆସିଯାଏ କ୍ଷଣିକରେ ମୁଣ୍ଡ ଦେଲେ ରଖି।
ହସିଲେ ତୁ ଝରିପଡେ ସତେ ଅମୂଲ୍ୟ ମୁକୁତା,
ତୋ ପଣତ ମୋ ପାଇଁ ଖରା ବରଷାରେ ଛତା।
କୁବେର ସମାନ ଅସରନ୍ତି ତୋ ଜ୍ଞାନର ଭଣ୍ଡାର,
ତୋ ଶିକ୍ଷା ଦୀକ୍ଷା ମୋ ଜୀବନର ମୂଳ ଆଧାର।
ଛାତିରେ ସାଇତି ରଖିଛୁ ମାଆ ଅମାପ ଧୈର୍ଯ୍ୟ,
ବିନା ଦ୍ବିଧାରେ କରି ଚାଲିଛୁ ତୁ ତୋର କର୍ତ୍ତବ୍ୟ।
ମହନୀୟ ତୁ ମାଆଲୋ ସର୍ବତ୍ର ଚିର ବନ୍ଦନୀୟ,
ବଳିଦାନ ପାଇଁ ତୁ ସାରା ବିଶ୍ୱରେ ସମ୍ମାନନୀୟ।
ସ୍ମୃତି ରଞ୍ଜନ ସେନାପତି
ସାଲେପୁର, କଟକ


0 Comments