ଶ୍ରାବଣ ମାସର ନବବଧୂ ତୁମେ
ନାମଟି ତୁମ ଶ୍ରାବଣୀ
ମନର ବୀଣାଟି ହୋଇବ ଝଙ୍କୃତ
ଗାଇବ ପ୍ରେମ ରାଗିଣୀ !!
ମଣିମୁକ୍ତା ଭରା ଭୂଷଣ ରେ ତୁମେ
ନୁପୁର ରେ ଛମ ଛମ
ଆନମନା ଦେହେ ଚମକ ଖେଳିବ
କାମନାର ଶତ ଉର୍ମି !!
ସପନ ଦ୍ୱୀପରେ ଭସାଇ ଦେବି ମୁଁ
କିଶୋରୀ ମନ ନଉକା
ମେଘମଲ୍ଲାର ରାଜରାଣୀ ତୁମେଗା
ଶ୍ରାବଣ ଅଭିସାରିକା !!
ଆକାଶ ଗଙ୍ଗାର ପରୀଟିଏ ତୁମେ
ମୁକ୍ତାର ପସରା ତୋଳି
ମୃଦୁ ମୃଦୁ ହସ ଶୀତଳ ଶୋଭିତ
ତୃଷାର୍ତ୍ତକୁ ତୋଷ କରି !!
ମୁକୁଳା ନଦୀର ଅଥଳ ଗରଭେ
ମଧୁର ମୃର୍ଚ୍ଛନା ଗୀତି
କେବେ ଇନ୍ଦ୍ରଧନୁ ସାତରଙ୍ଗେ ରହି
ଆସିଥାଅ ନୀଳପରୀ !!
ଆସଗୋ ଶ୍ରାବଣୀ ଆସ ମେଘବର୍ଣ୍ଣି
ମେଘ ଆକାଶ ସୁକନ୍ୟା
ପ୍ରେମ ଆଇନା ରେ ତୁମ ରୂପ ଦେଖି
ହୃଦେ ମୋ ପ୍ରେମରେ ବନ୍ୟା !!
ଆକାଶ ଦେହରେ କଳାର ରେଶମୀ
ସବୁଜ ଶୋଭା ଧରଣୀ
ସୁଉ ସୁଉ ନାଦେ ପବନ ବହଇ
ସାତ ସୁରର ରାଗିଣୀ !!
ଶ୍ରାବଣୀ ସ୍ପର୍ଶରେ ସନ୍ତାପିତ ପ୍ରାଣ
ଆନନ୍ଦ ରେ ଯାଏ ଭରି
ତୁମ ଆଲିଙ୍ଗନେ ବନାନୀ ହସଇ
ଚାତକ ପିୟାସୀ ପରି !!
ମେଘ ସବାରୀରୁ ଓହ୍ଲାଇ ଆସ
ଶ୍ରାବଣେ ତୁମେ ଶ୍ରାବଣୀ
ତୁମକୁ ସଞ୍ଚିବି ପୂଣ୍ୟ କଳସୀ ରେ
ସନ୍ତୋଷ ମନରେ ପୁଣି !!
ଶ୍ରାବଣର ତୁମେ ପାହାଡ଼ି ଝରଣା
ଅଭିମାନି ବର୍ଷାରାଣୀ
ବାଦଲ ସାଥିରେ ନାଚି ଉଠୁଥାଅ
ବିଜୁଳି ଭରା ରୋଷଣୀ !!
ସ୍ନିଗ୍ଧା ସାମନ୍ତରାୟ
ଚୁନଭାଟି, ଗୋପାଳ ଗାଁ, ବାଲେଶ୍ଵର,


0 Comments