ଶ୍ରାବଣକୁ କୋଟି କଦମ୍ବ ଫୁଲର କନକ-ସମ୍ଭାର ଧରି,
ସ୍ବପ୍ନ ପରୀର ମନ ନେଇ ଧରା ଆଣେ ବନ୍ଦାପନା କରି।
କମନୀୟ-କାନ୍ତି ଚପଳା ଚମକେ ଶିହରିତ ତନୁଲତା,
ବର୍ଷା ବେହାଗ ବେପଥୁ ଜଗାଏ, ଜନମାଏ ଶତ ବ୍ଯଥା।
ପଦ୍ମ ପୋଖରୀରେ ଲାଜେଇ ସକାଳ ଝାସ ଦିଏ ତିଳେ ତିଳେ,
ଦୁର୍ବିସହ ଯେତେ ବର୍ଷଣମୁଖର ମଧ୍ଯାହ୍ନ ହିଁ କାଳେ କାଳେ।
ସ୍ତିମିତ ପ୍ରଦୀପ ଶିଖା ତଳେ ଇଚ୍ଛା ନିର୍ବାପନ ଅଭିମୁଖୀ,
ଭିଜା ଶ୍ରାବଣରେ ଦଗ୍ଧୀଭୂତ କାହା ପ୍ରାଣର ନିରୀହ ପକ୍ଷୀ।
ଭସା ମେଘ କେବେ ଭାବନା ଜଗାଏ କାଗଜ ନାଆଟି ପରି,
ସାତରଙ୍ଗୀ ଆଶା ମନ ଅଗଣାରେ ଆବେଗେ ଖେଳଇ ଦୋଳି।
ଟିପିଟିପି ଟୋପା ବରଷା ଆଘାତେ ମଥା ପାତେ ତରୁ ତୃଣ,
ହଜିଲା ସ୍ମୃତିରେ ଅଗ୍ନି ସଂଯୋଗଇ ବରଷା ଭିଜା ଶ୍ରାବଣ ।
ଭିଜା ଶ୍ରାବଣ ଗୋ! ତୁମକୁ ମୋ ଏକ ଆନ୍ତରିକ ଅନୁରୋଧ,
ଧାରାରେ ତୁମର ଧୋଇ ନେଇ ଯିବ ଯେତେ ଦୁଃଖ ଅବସାଦ।
ସସ୍ମିତା ଚୌଧୁରୀ
ଭୁବନେଶ୍ବର


0 Comments