ନମୋ ନମଃ ଭକ୍ତକବି ହେ ମଧସୂଦନ
କରିଥିଲ ମଧୁ ବର୍ଣ୍ଣବୋଧର ଲିଖନ।
ଓଡ଼ିଆ ଭାଷାର ଏହି କାଳଜୟୀ ସୃଷ୍ଟି
ସମସ୍ତଙ୍କୁ ଭାଷାଜ୍ଞାନ ଦେଉଅଛି ଭେଟି।(୧)
ହୋଇଥାଇ ପାରେ ତାହା ଅତି କ୍ଷୁଦ୍ର ପୋଥି
ତଥାପି ଅଶେଷ ଜ୍ଞାନ ରଖିଛି ସାଇତି।
ସୁନ୍ଦର ପଟ୍ଟଚିତ୍ରକୁ ସରଳ ବର୍ଣ୍ଣନା
ବଛା ବଛା ଶବ୍ଦ ଗୁଚ୍ଛ ନାହିଁ ତା ଉପମା।(୨)
ବାଲ୍ୟକାଳେ ଶିଶୁ ଯେବେ ବିଦ୍ୟାରମ୍ଭ କରେ
ବର୍ଣ୍ଣବୋଧ ସାଥେ ନିଜ ମିତ୍ରତାକୁ ବରେ।
ଯଦି ଶିଶୁ ଧ୍ୟାନେ କରେ ତାର ଅଧ୍ୟୟନ
ଭାଷାରେ ଅଗାଧ ଜ୍ଞାନ କରଇ ଅର୍ଜନ।(୩)
ଅନେକ ଜ୍ଞାନୀ ଗୁଣୀଙ୍କ ସେ ଅଟେ ବିନ୍ଧାଣୀ
ନିଖିଳ ଉତ୍କଳ ରାଜ୍ୟେ ସବୁ ତାର ଋଣୀ।
ଉତ୍କଳ ପ୍ରଗତି ପଥେ ତାର ଅବଦାନ
ଯୁଗ ଯୁଗ ପାଇଁ ତାର କରେ ଯଶଗାନ।(୪)
ବଦଳିଛି ଯୁଗ ଆଜି ବଦଳଇ ଜ୍ଞାନ
ହେଲେ ତିଳେ ହୋଇନାହିଁ ତା ପ୍ରଭାବ ନ୍ୟୁନ।
ଆଜି ବି ରହିଛି, ପୁଣି ଆଗକୁ ରହିବ,
ତା ସୁନ୍ଦର ଜ୍ଞାନରାଶି ବାଣ୍ଟି ଚାଲିଥିବ।(୫)
ପ୍ରସେନଜିତ୍ ସେଠୀ
ବାଲିଆ, ଗୋପୀନାଥପୁର, ଜଗତସିଂହପୁର


0 Comments