କେତେ ନିବିଡ଼ତା ଘେରିଯାଇଛି
ସତେ ତୋ ସହ
ପରିଚିତ ହେବାଦିନୁ...
ତୁ ତ ସାହାରା ମରୁଭୂମିରେ
ଧାରା ଶ୍ରାବଣର ଅବିରତ ଝର ଆଉ
ଶୂନ୍ୟ ଜୀବନର ଆରମ୍ଭରେ
ତୋ ସ୍ପର୍ଶ ରେ ମରୁଭୂମି ବି
ପାଲଟିଯାଏ ସବୁଜ ପ୍ରାନ୍ତର ।।
ତପ୍ତ ନିଦାଘର ବାଲୁକାରେ
ତୁ ତୋଳିପାରୁ ସାଧବ ବୋହୂର ସହର
ଆଗକୁ ଆଗେଇନେଉ ତାକୁ
ଯିଏ ଧରିଥାଏ ଜାବୁଡ଼ି
ଶକ୍ତ ହାତ ତୋର ।।
ମୁଁ ତ ଅଜ୍ଞାନତାରେ ବନ୍ଧା ଥୁଲି
ଜଡ଼ତା ର ପରଳ ରେ
ଲୁଚିଯାଇଥିଲି ଆଉ ଯେବେ
ଖୋଜି ଖୋଜି ପଂହଁଚି ଗଲି
ତୋ ଠିକଣାରେ
ସେଇ ଦିନଠୁ ତୁ ମତେ ଦେଲୁ
ଭିନ୍ନ ଏକ ପରିଚୟ
ଆଉ ତୋ ସାହାରାରେ ଆଜି
ମୁଁ ଲେଖୁଛି ମୋ ଜୀବନର ବର୍ଣ୍ଣବୋଧ ।
ମୁଁ ନିଜେ ଅଜଣା ପୁଣି ଜଣା
ହାରିବା ଆଉ ଜିତିବାର ମଝି ରାସ୍ତାରେ
ଆତ୍ମାର ସବୁ ବିଳାପ ଆଜି
ଫଳାପାଠ ବିହୀନ
ବିବିଧ ପାଠର ଛାତି ପୁଣି
ହୋଇଯାଏ ଯୁକ୍ତାକ୍ଷର ବିହୀନ ।
ତୋତେ ଆଶ୍ରାକରି ମୁଁ ପାଇଯାଇଛି
ବଞ୍ଚିବା ର ଏକ ସୁନ୍ଦର ଠିକଣା
ଅନ୍ଧାରରେ ବି ମୋ ଛବି ଦେଖିପାରୁଛି
ଏ ଦୁନିଆଁ ଆଉ ଆଲୋକ
କହୁଛି ଦେଇ ଶବ୍ଦର ବରାଭୟ
ବଞ୍ଚି ଯା 'ବାକି ଯେତେ ସମୟ
ବର୍ଣ୍ଣବୋଧ ଦେଇଛି ତ ଆଉ
ଏକ ଭିନ୍ନ ପରିଚୟ ।।
ଦୀପ୍ତି ଦେବଦର୍ଶିନୀ ସୁତାର
ଓରାଳି ,ହାଟଡିହୀ,କେନ୍ଦୁଝର


0 Comments