ମୋ ଗାଁ ମନ୍ଦିର - ନିବେଦିତା ମହାପାତ୍ର



ସକାଳ ସୁରୁଜ ପହିଲି କିରଣ

ମୁରୁଜ ବୁଣ‌ଇ ଯେବେ

ମୋ ଗାଆଁ ମନ୍ଦିର ଘଣ୍ଟି ପ୍ରତିଧ୍ୱନୀ

ଚତୁର୍ଦ୍ଦିଗେ ଶୁଭେ ସେବେ।


ମଙ୍ଗଳ ପ୍ରଭାତେ ମନ୍ତ୍ର ଉଚ୍ଚାରଣ

ହୃଦୟେ ଭରେ ଭକତି

ମଙ୍ଗଳ ଆଳତି ସୁଗନ୍ଧିତ ବାସ୍ନା

ମହକାଇ ଦିଏ କ୍ଷିତି।


ପୁଷ୍ପେ ବିମଣ୍ଡିତା ପ୍ରତିମାକୁ ଦେଖି

ସର୍ବେ ହୁଅନ୍ତି ହରସ

ଧୂପ,ଚନ୍ଦନ, ନୈବେଦ୍ୟ ସୁବାସରେ

ମିଳ‌ଇ ଶାନ୍ତି ପରସ।


ବିସ୍ମୃତ ହୋଇଯାଏ ସବୁ ଅସ୍ମିତା

ପାଇ ସେ ଦିବ୍ୟ ଚେତନା

ନିମଜ୍ଜିତ ହୋଇ ଆତ୍ମା ପକ୍ଷୀ ଭୁଲେ

ସକଳ ବ୍ୟଥା ବେଦନା।


ପୁଲକିତ ହୁଏ ମନ ମଧୁବନ

ସଙ୍ଗୀତର ମୂର୍ଚ୍ଛନାରେ

ମହାଭାବେ ବିଭୋରିତ ପ୍ରାଣ ମଜ୍ଜେ

ମିଳନର ଭାବନାରେ।


ନିବେଦିତା ମହାପାତ୍ର

ସମ୍ପାଦିକା - ପ୍ରୀତି ପ୍ରଣତି 

ମୁକୁନ୍ଦ ମିଶ୍ର ନଗର, ପୁରୀ

Post a Comment

0 Comments