ତରୁ ଲତା ଠାରୁ ମାଟି ଗୋଡି ଯାଏ
ଶ୍ରାବଣରେ ଭିଜା ଭିଜା
ମେଘର ଗର୍ଜନ ଦୁନ୍ଦୁଭି ଶବଦ
ଆସୁଅଛି ଇନ୍ଦ୍ର ରାଜା ।।
ନାଲି ଶାଢ଼ୀ ପିନ୍ଧି ଥିରି ଥିରି ଚାଲି
ସାଧବ ବୋହୂ ଚାଲଇ
ଘନ କଳାମେଘ ମୟୁରୀ ଦେଖିଣ
ନାଚୁଥାଇ ଥେଇ ଥେଈ ।।
ଶ୍ରାବଣ ବରଷା ମନେ ଭରି ଆଶା
କୃଷକ କରଇ ଚାଷ
ବାୟା ବିହଙ୍ଗମ ନୀଡ଼ ବୁଣିଥାଏ
ମନରେ ଭରି ସାହସ ।।
ନଣ୍ଡା ବରଗଛ ପତ୍ର ଭରି ଉଠେ
ଶସ୍ୟେ ଭରିଥାଏ କ୍ଷେତ
ପଥର କୋରଡ ସାପ ଖୋଜୁଥାଏ
ସରୀସୃପ ଖୋଜେ ଗାତ ।।
ବରଷା ସାଙ୍ଗକୁ ଅମାନିଆଁ ଝଡ଼
ସାଗର କୂଳିଆ ବାଆ
କେଉଟ ମନରେ ଉଙ୍କି ମାରୁଥାଏ
କେମିତି ବାହିବ ନାଆ ।।
ଆଷାଢ ମାସରେ ଝିପି ଝିପି ବର୍ଷା
ଶ୍ରାବଣରେ ବର୍ଷା ଧାରା
ଛାଇ ଆଲୁଅର ଲୁଚକାଳି ଖେଳ
ଅଜା ନାତିଙ୍କ ଟାପରା ।।
ରଞ୍ଜନ କୁମାର ଭୁକ୍ତା,
ରାକସ,ତାଳଚେର


0 Comments