ଜୀବନରେ ମୋର ଯାହାଙ୍କର ସ୍ବର
ତୋଳିଛି ଅଲିଭା ସ୍ଵାକ୍ଷର
ସ୍ମୃତିରେ ମୋର ସଦା ଯେ ଜୀବନ୍ତ
କେବେ ନୁହେଁ ଭୂଲିବାର ।
ସିଏ ଆମ ପ୍ରିୟ ସ୍କୁଲ ସାର୍ ।।
କେତେ ମୁଁ ଖାଇଛି ମିଠା କାନମୋଡା
ସ୍ନିଗ୍ଧ ହାତ ଆଙ୍ଗୁଠିର
କେତେ ଚପଳାମି ପିଲାଦିନ ମୋର
ତାଙ୍କର ବେତ ପାହାର ।
ସିଏ ଆମ ପ୍ରିୟ ସ୍କୁଲ୍ ସାର୍ ।।
ଖିଲାପ କରେନି ପାଠରେ ମୁଁ କେବେ
ଗେହ୍ଲା ଥିଲି ଯେ ତାଙ୍କର
ସ୍ନେହର ଆଶିଷ ଆଜିବି ଝରୁଛି
ସତେ ମଥାପରେ ମୋର ।
ସିଏ ଆମ ପ୍ରିୟ ସ୍କୁଲ୍ ସାର୍ ।।
ସେଦିନ ସିଲଟ ଅକ୍ଷର ତାଙ୍କର
ମନେପଡେ ବାର ବାର
ସ୍ମୃତିରେ ସାଇତା ମୋ ଖାତା ଉପରେ
ଦସ୍ତଖତ ଯେ ତାଙ୍କର ।
ସିଏ ଆମ ପ୍ରିୟ ସ୍କୁଲ୍ ସାର୍ ।।
ସ୍କୁଲ ଜୀବନ ଅନନ୍ଯ ମହାନ
ସେ ଥିଲେ ଅତି ଆପଣାର
ଅମୃତ ବୋଳା ସେ ନାମକୁ ସ୍ମରିଲେ
ଲୁହ ବହେ ଝର ଝର ।
ସିଏ ଆମ ପ୍ରିୟ ସ୍କୁଲ୍ ସାର୍ ।।
ହାସ୍ୟମୟୀ ରାଜ୍
ଓରାଳି, ହାଟଡିହି, କେନ୍ଦୁଝର ।


0 Comments