ଆମ ସ୍କୁଲ ସାର୍ - ପ୍ରସେନଜିତ୍ ସେଠୀ




ଘର ଠୁ ବାହାରେ ଥାଏ ଏକ ପରିବାର

ସେହି ମୋର ବିଦ୍ୟାଳୟ ଅତି ଆପଣାର।

ସେଇଠି ପାଇଛି ଶିକ୍ଷା ନୀତି ଓ ଆଦର୍ଶ

କଳା, ବିଜ୍ଞାନ, ବାଣିଜ୍ୟ, ଜୀବନ, ଦର୍ଶନ।(୧)


ଓଡ଼ିଆ ଶିକ୍ଷକ ତାଙ୍କ ଜ୍ଞାନ ପେଡ଼ି ଖୋଲି

ଗଦ୍ୟ ପଦ୍ୟର ଆସର ଦେଇଥାନ୍ତି ମେଲି।

ତାଙ୍କ ଶିକ୍ଷା ଲେଖିବାକୁ ଦେଇଚି ପ୍ରେରଣା

ମନରେ ଉଦ୍ରେକ କରେ ଅଜସ୍ର ଭାବନା।(୨)


ଇଂରାଜୀ, ହିନ୍ଦୀ, ସଂସ୍କୃତ ଶିକ୍ଷକ ତ ନିତି

ଭିନ୍ନ ଭିନ୍ନ ସାହିତ୍ୟରେ ଜ୍ଞାନ ପରଶନ୍ତି।

ସଂସ୍କୃତରୁ ପୁରାଣର ତତ୍ତ୍ୱ ପରକାଶେ

ଇଂରାଜୀ ଓ ହିନ୍ଦୀ, ବିଦେଶରେ କାମ ଆସେ।(୩)


ବିଜ୍ଞାନ ଓ ଗଣିତର ଶିକ୍ଷକ ଯେତେକ

ଶିକ୍ଷାରେ ତାଙ୍କର ଥିଲା ଅନେକ କୁହୁକ।

ପକାଇଲେ ମୂଳଦୁଆ ପ୍ରଯୁକ୍ତି ବିଦ୍ୟାରେ

ବାଲ୍ୟକାଳୁ ଭରିଦେଲେ ଆମ ମସ୍ତିଷ୍କରେ।(୪)


ଅତୀତର ଘଟଣାକୁ ଗପ ଭଳି କହି

ଇତିହାସ ଶିକ୍ଷକ ସେ ମନ ନେବେ ମୋହି।

ପୃଥିବୀର ଗଠନର ଯେତେ ଅଛି ଜ୍ଞାନ

ଭୂଗୋଳ ଶିକ୍ଷକ ଶିଖାନ୍ତି ଦେଇ ମନ ଧ୍ୟାନ।(୫)


ପ୍ରସେନଜିତ୍ ସେଠୀ

ବାଲିଆ, ଗୋପୀନାଥପୁର, ଜଗତସିଂହପୁର

Post a Comment

0 Comments