
ଆନନ୍ଦପୁର କଞ୍ଚ ସାହିରେ ବାବୁ ଶଙ୍କର୍ଷଣ ମଙ୍ଗରାଜଙ୍କ ଘର। ବାଳକା ବସ୍ଥାରେ ପଶୁ ପକ୍ଷୀ ଙ୍କ ପ୍ରତି ଅହେତୁକ ଆକର୍ଷଣ ଶଙ୍କର୍ଷଣ ବାବୁ ଙ୍କୁ ଆକର୍ଷିତ କରେ ଏକ ବୁଲା ଦେଶୀ କାଞ୍ଚିଆ କୁକୁର ପ୍ରତି। ସେ ତାକୁ ଆପଣେଇ ନିଅନ୍ତି ଏବଂ କାଳକ୍ରମେ ସେ ତାଙ୍କ ଘରେ ପୋଷା କୁକୁର ନୂହେଁ, ବରଂ କାଞ୍ଚିଆ ନାମିତ ପରିବାର ସଦସ୍ୟ ଭବରେ ଗଣତି ହୁଏ।
ସମ୍ପର୍କରେ ଡୋରି ବେଶ୍ ଦୃଢ଼ ହୁଏ ସମୟାନୁସାରେ ଏବଂ ଶଙ୍କର୍ଷଣ ବାବୁଙ୍କ ପିଛା ଛାଡେନି କାଞ୍ଚିଆ ।
ଇତି ମଧ୍ୟରେ ଶଙ୍କର୍ଷଣ ବାବୁ ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତି। କାଞ୍ଚିଆ ପ୍ରତି ତାଙ୍କର ଭଲ ପାଇବା କିନ୍ତୁ କେବେ ହେଲେ ଉଣା ହୋଇନଥାଏ। ହେଲେ ବାବୁଆଣୀ ମୋନା ମାଡାମ୍ ଙ୍କୁ ଦେଶୀ କୁକୁର ଟା ଆଦୌ ମନକୁ ଯାଉନଥାଏ। ତାକୁ ଦେଖିଲେ ମାଡାମ୍ ନାକ ଟେକନ୍ତି। ଛି; କି ଗନ୍ଧ, ଏପରି କହନ୍ତି। ବାବୁଙ୍କ ଉପରେ କାଞ୍ଚିଆ ଟିକେ ଲଦିହୋଇ
ଗେଲ୍ହ ହୋଇଗଲେ ମାଡାମ୍ ବାବୁଙ୍କୁ ନ ଗାଧୋଇଲେ ତାଙ୍କୁ ଛୁଇଁ ବା ମନା ବୋଲି ତାଗିଦ୍ କରନ୍ତି। ଦିନ ଆସେ କାଞ୍ଚିଆ କୁ ନେଇ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ମନ ମାଳିନ ଦେଖାଯାଏ। କାଞ୍ଚିଆ ପଶୁ ହେଲେ କଣ ହେବ ଏତିକି ବୁଝି ଯାଇଥିଲା କି ତା ପାଇଁ ତା ମାଲିକଙ୍କୁ ଗାଳି ଶୁଣିବାକୁ ପଡୁଛି। ଏବେ
ଏବେ ଶଙ୍କର୍ଷଣ ବାବୁ ଦେଖିବାକୁ ପାଆନ୍ତି କି ସବୁବେଳେ ଖେଳ କୁଦ, ଡିଆଁ ଡେଇଁ, ଭୋକା ଭୋକି କରୁଥିବା କାଞ୍ଚିଆ ଅଧିକାଂଶ ସମୟରେ ଆଖି କୋଣରେ ଲୁହ ଯାକି ଘର କୋଣରେ ଜାକିମୋଡି ହୋଇ ପଡ଼ି ରହୁଛି।
ଏହିଭଳି କେଟେରେ ମେଟେରେ ପରିସ୍ଥିତି ପ୍ରାୟତଃ ଲାଗିରହେ ଶଙ୍କର୍ଷଣ ବାବୁଙ୍କ ଘରେ। ଦିନେ ବାବୁ ହୃଦବୋଧ କଲେ ପରିସ୍ଥିତି ଏମିତି ହେଉଛି ଯେ ନା ସେ ନିଜେ, ନା ତାଙ୍କ ଧର୍ମପତ୍ନୀ, ନା କାଞ୍ଚିଆ କେହିବି ସୁଖରେ ରହୁନାହାନ୍ତି। ଏପରି ସ୍ଥଳେ ବାବୁ ମନସ୍ତ କଲେ କି କାଞ୍ଚିଆକୁ ନେଇ ନଦୀ ପାର କରି ସୁଡୁ ସୁଡିଆ ଗାଁ ପଟେ ଛାଡି ଦେଇ ଆସିବେ। ଯୋଜନା ମୁତାବକ ବାବୁ କାଞ୍ଚିଆ କୁ ନଦୀରେ ଗାଧୋଇ ଦେବା ବାହାନାରେ ସନ୍ଧ୍ଯା ବେଳେ ନେଇଗଲେ। ସେଠାରେ ତାକୁ ନଦୀ ପାର କରାଇଦେଇ ସୁଯୋଗ କ୍ରମେ ଘରକୁ ଫେରି ଆସିଲେ। ସନ୍ଧ୍ଯା ହୋଇଯାଇଥିବା ରୁ କାଞ୍ଚିଆ ବାବୁଙ୍କ ଅନୁଧାବନ କରି ନପାରି ଫେରିବାକୁ ଅସମର୍ଥ ହେଲା। ବିଶ୍ଵାସୀ କାଞ୍ଚିଆ ପ୍ରତି ବିସ୍ଵାଶଘାତକ କାମ କରି କରିଥିବାରୁ ବାବୁଙ୍କ ମନ ଗୋଳେଇ ଘାଣ୍ଟି ହେଉଥାଏ। ସେ ସେଦିନ ରାତି ନ ଖାଇ ଶୋଇପଡିଲେ। ଧର୍ମପତ୍ନୀ ଆଶ୍ବସ୍ଥ କି କାଞ୍ଚିଆ ରୂପକ ଗ୍ରହ କବଳରୁ ସେ ଏବେ ମୁକ୍ତ। ଦୂର ଦିଗବଳୟ ରେ ଶିଶୁ ସୂର୍ଯ୍ୟ ର କଅଁଳ ଆଲୋକମାଳା ପରିସ୍ପୁଟିତ ହେବା ପୂର୍ବରୁ ବାବୁଙ୍କ ନିଦ୍ରା ଭାଙ୍ଗିଯାଏ। ବିହଙ୍ଗ ମାନଙ୍କ କିଚିରି ମିଚିରି ଶବ୍ଦ ମଧ୍ୟରେ ବାବୁ ଭିନ୍ନ ଏକ ସ୍ଵର ବାରି ପାରିଲେ। କାନ ଟେରି ଶୁଣନ୍ତିତ ଦୁଆର ସେ ପାଖରେ କଇଁ କଇଁ ଶବ୍ଦ ଶୁଭିଲା। ଶଙ୍କର୍ଷଣ ବାବୁଙ୍କୁ ଆଉ ବୁଝିବାକୁ ବାକି ନଥିଲା ଯେ କେବଳ ବନ୍ଦ କବାଟ ହିଁ ତାଙ୍କୁ କାଞ୍ଚିଆ ଠାରୁ ଅଲଗା କରୁଛି। ସେ କବାଟ ଖୋଲନ୍ତି ତ କାଞ୍ଚିଆ ଆଗ ଗୋଡ ଦୁଇଟାକୁ ବାବୁଙ୍କ ଛାତି ଉପରେ ରଖିଦେଇ ବାବୁଙ୍କ ଗାଲରେ ତା ଲାଳ ର ଲେପ ଲିପି ପକାଇଲା। ପ୍ରତି ବଦଳରେ ବାବୁ ତାକୁ ବେକ ତଳକୁ ଆଉଁଷି ପକାଇଲେ।
ମାଡାମ୍ ଉଠି କାଞ୍ଚିଆ କୁ ଦେଖି ନିଅନ୍ତି ତ ତାଙ୍କ ମୁହଁ, ରାଗରେ ଉଦିତ଼ ସୂର୍ଯ୍ୟ ପରି ରକ୍ତ ଲାଲ ହୋଇଗଲା। ସ୍ଵାମୀଙ୍କୁ ବି କିଛି କହି ପାରୁନଥାନ୍ତି। କହିବେ ବା କଣ ସ୍ଵାମୀ ତ କାଲି ତାକୁ ନଦୀ ପାର କରାଇ ଆସିଥିଲେ।
ତାଙ୍କର ଭୁଲ କଣ, ବାବୁଙ୍କ ପାଇଁ ଗରମା ଗରମ ଚା କପେ ଆଣି ମାଡାମ୍ ପାଖରେ ବସିଲେ ଏବଂ କହିଲେ ଯାଉ ଆଉ କିଛି ଦିନ ତାକୁ ନେଇ କୌଣଷି ଏକ ଜଙ୍ଗଲରେ ଛାଡି ଦେଇ ଆସିବ। ସେ ଆଉ ଆସି ପାରିବ ନାହିଁ। ବାବୁ ଏକଥା ଶୁଣି ନିଜର ଅସହମତି ପ୍ରକାଶ କଲେ। ପୂର୍ବ ଦିନର ଭାବ ତାଙ୍କୁ ଆନ୍ଦୋଳିତ କରୁଥିଲା। ସେ ଆଉଥରେ କାଞ୍ଚିଆ ପ୍ରତି ବିଶ୍ବାସଘାତକ କାର୍ଯ୍ୟ କରି ପାରିବେ ନାହିଁ ବୋଲି ରୋକଠୋକ ମନା କରିଦଲେ ଏବଂ ପ୍ରସ୍ତାବ ଦେଲେ କି ତୁମେ ଯାହା ପାରୁଛ କର।
ଶଙ୍କର୍ଷଣ ବାବୁଙ୍କ ଏପରି ପ୍ରସ୍ତାବରେ, ମୋନା ମାଡାମ୍ ଏକ ଉପାୟ ପାଞ୍ଚିଲେ। ନିଜ ଭାଇ ମୁନୁ କୁ ସବୁକଥା ଫୋନ ରେ କହିଲେ। ମୁନୁ କହିଲା ଦେଇ ଏଇ ଗୋଟେ କଥା,ରହ ସେ କାଞ୍ଚିଆ କୁ ନେଇ ମୁଁ ଏଇ ରବିବାର ଦିନ ଶୈଲଙ୍ଗ ହୁଡି ସ୍ଥିତ ଜଙ୍ଗଲରେ ଛାଡି ଦେଇ ଆସିବି।
ଯୋଜନା ମୁତାବକ ରବିବାର ଦଶଟା ବେଳେକୁ ମୁନୁ ଆସି ଭିଣୋଇ ଘରେ ପହଞ୍ଚିଲା। କାଞ୍ଚିଆ ପାଇଁ ଆଣିଥିବା ଏକ ବିସ୍କୁଟ ତାକୁ ଖାଇବାକୁ ଦେଲା। ଏମିତିରେ ବି ଯିବାଆସିବା ଭିତରେ କାଞ୍ଚିଆ ଏବଂ ମୁନୁ ପରସ୍ପରକୁ ଚିହ୍ନି ଯାଇଥିଲେ। ଶାଳକ ଘରକୁ ଆସିଥିବାରୁ ଶଙ୍କର୍ଷଣ ବାବୁ ଘରକୁ ମଟନ୍ ଆଣିଲେ। ମଟନ ଝୋଳ, ଭାତ ତଣ୍ଟି ପର୍ଯ୍ୟନ୍ତ ଖାଇ ସାରିବା ପରେ ସମସ୍ତେ ଟିକେ କଡ଼ ଲେଉଟାଇବା ପାଇଁ ବିଛଣାକୁ ଚାଲିଗଲେ। ସନ୍ଧ୍ଯା ପୂର୍ବରୁ ଜଙ୍ଗଲରେ ଛାଡି ଆସିଲେ ବାଟ ଠଉରାଇ ପରେ କାଳେ ଫେରି ଆସିବ ବୋଲି ମୁନୁ କାଞ୍ଚିଆ ଚେନକୁ ଧରି ବିସ୍କୁଟ ଲୋଭ ଦେଖାଇ ଦେଖାଇ ବ୍ୟାରେଜ ଆଡ଼େ ବୁଲାଇ ନେବା ବାହାନାରେ ସନ୍ଧ୍ୟା ବେଳକୁ ବାହାରିଲା। ଦିନ ଯେତିକି ଗଡୁଥାଏ ମୁନୁ କାଞ୍ଚିଆ କୁ ନେଇ ଶୈଲଙ୍ଗ ଜଙ୍ଗଲ ଆଡ଼େ ସେତିକି ଆଗାଉଥାଏ। ଜଙ୍ଗଲ ପାଖରେ ପହଞ୍ଚିଲା ବେକକୁ ମୁହଁ ଅନ୍ଧାର। ଜଙ୍ଗଲ ଭିତରକୁ ପଶିଗଲା ବେଳକୁ ଆକାଶ କଳା ଓଢ଼ଣୀରେ ଢାଙ୍କି ହୋଇସାରିଥାଏ। କୌଶଳ କ୍ରମେ ମୁନୁ ଜଙ୍ଗଲରେ କାଞ୍ଚିଆକୁ ଛାଡି ଅଲଗା ହୋଇଗଲା। କିଛି ସମୟ ଏକ ଗଛ ଆଢୁଆଳରେ ଲୁଚି ରହିଲା। ମାତ୍ର କିଛି ସମୟ ପରେ କାଞ୍ଚିଆ ର ଭୁକିବା ଶବ୍ଦ ମୁନୁ କାନକୁ ବାଜିଲା। ସେ ବୁଝିଗଲା ଯେ କାଞ୍ଚିଆ ଜଙ୍ଗଲ ଭିତର ଆଡ଼କୁ ପଳାଇ ଗଲାଣି। ଏବେ ମୁନୁ ବାହାରିଲା ଜଙ୍ଗଲରୁ ବାହାରକୁ ଆସିବା ପାଇଁ। ରାତ୍ରିର ଘନ ଅନ୍ଧାରରେ ସେ ବାଟ ଠଉରାଇ ପାରୁନଥିଲା। କିଛି କ୍ଷଣ ପରେ ମୁନୁ ବାଟ ବଣା ହୋଇଗଲା ଜଙ୍ଗଲର ଗଭୀରତା ମଧ୍ୟରେ ନିଜେ ଡୁବିଗଲା। ଭଗବାନଙ୍କୁ ଡାକୁ ଥାଏ ହେ ଭଗବାନ ଉଦ୍ଧାର କର। ଦେଇ ବୁଦ୍ଧିରେ ମୁଁ ଆଜି ଏ ଜଙ୍ଗଲରେ ମରିବି। ମୁନୁର ଫେରିବା ଡେରି ଦେଖି ଶଙ୍କର୍ଷଣ ବାବୁ, ମୋନା ମାଡାମ୍ ମନ କୁ ପାପ ଛୁଇଁଲା ଏବଂ ଉଭୟେ ସ୍କୁଟିରେ ଆସି ଜଙ୍ଗଲ ପାଦ ଦେଶରେ ଚାହିଁକରି ରହିଥାନ୍ତି ମୁନୁର ଫେରିବା ବାଟକୁ ଚାହିଁ । ନିଶବ୍ଦ ରାତିରେ ମୁନୁକୁ କେବଳ କାଞ୍ଚିଆର ଭୋକିବା ଶବ୍ଦ ହିଁ ଶୁଭୁଥାଏ। ସେ ଶବ୍ଦ ଆସୁଥିବା ଦିଗକୁ ଅଗ୍ରସର ହେଲା। କିଛି ବାଟ ଗଲା ପରେ କାଞ୍ଚିଆ ଦୌଡ଼ି ଆସି ଗୋଡ ଚାରି ପଟେ ନସର ପସର ହେଲା ଏବଂ ବାଟ କଢ଼ାଇ ମୁନୁକୁ ଜଙ୍ଗଲ ବାହାରକୁ ଆଣିଲା। ସେ ଦିନର କାଳ ରାତ୍ରିରେ କାଞ୍ଚିଆ ମୁନୁକୁ ଦୀପ ଶିଖା ସଦୃଶ ପ୍ରତ୍ୟୟ ହେଲା। ଭାଇକୁ ପାଇ ମୋନା ମାଡାମ୍ ଯେତିକି ଆନନ୍ଦିତ ଥିଲେ କାଞ୍ଚିଆକୁ ଫେରି ପାଇ ଶଙ୍କର୍ଷଣ ବାବୁଙ୍କ ଉଦ୍ଦାମତା ମଧ୍ୟ କୌଣସି ମାତ୍ର ରେ ଉଣା ନଥିଲା।
ମୁନୁ ଠାରୁ ସ୍ଵାମୀ ସ୍ତ୍ରୀ ସବୁ କଥା ଶୁଣିଲେ। କାଞ୍ଚିଆ ଜଙ୍ଗଲ ଭିତର ଆଡ଼କୁ ଯାଇ ନିଜେ ହଜିନଥିଲା ବରଂ କାଳେ ଜଙ୍ଗଲ ମଧ୍ୟରେ ମୁନୁ ହଜିଯାଇଛି ବୋଲି ସେ ଖୋଜି ବୁଲିବା ସହିତ ସମୟେ ସମୟେ ଭୁକି ନିଜର ଅବସ୍ତିତି ସମ୍ଵନ୍ଧରେ ସୂଚିତ କରାଉଥିଲା ଏବଂ ଶେଷରେ କାଞ୍ଚିଆକୁ ଜଙ୍ଗଲରେ ହଜାଇ ଦେବାକୁ ନେଇଥିବି ମୁନୁକୁ ଜଙ୍ଗଲ ମଧ୍ଯରେ ହଜି ଯିବାରୁ ଉଦ୍ଧାର କରିଥିଲା।
ମୋନା ମାଡାମ୍ ନିଜର ଭୁଲ ବୁଝି ପାରିଲେ। ଗୋଡ ପାଖରେ ଶୋଇଥିବା କାଞ୍ଚିଆ ମୁଣ୍ଡରେ ହାତ ମାରିଦେଲେ ଏବଂ କାଞ୍ଚିଇ ମାଡାମ୍ ଙ୍କ ପାଦ ପାଖରେ ବେକ ଘସିଦେଲା।। ମାଡାମ୍ ବୁଝି ପାରିଲେ ଯେ କେବଳ ମଣିଷ ହିଁ ବିଶ୍ୱାସ ଘାତକ ହୋଇପାରେ।।
°°°°°ସମାପ୍ତ°°°°°
Soumyajit Pattanayak
Civil Court, Anandapur

0 Comments