ଶିଶୁ କବିତା - ମୋ ପରିବାର - ଜନ୍ମଜୟ ନାୟକ



ପରସ୍ପର  ସ୍ନେହ  ରହିଛି   ଭରି, 

ମୋ ପରିବାରେ ଖୁସିର ଲହରୀ 

ସବୁ  ରହୁ  ମିଳିମିଶି  ଏଠିରେ, 

ସୁଖଦୁଃଖ  ହସଲୁହ ବାଣ୍ଟିରେ   |୧|


ବାପା ମୋହର ଯେ ବଡ ଠାକୁର, 

ତାଙ୍କ  ଚରଣେ  କରଇ  ଜୁହାର 

ତାଙ୍କ ଆଦେଶ ଯେ ମୋ ପାଇଁ ବଡ, 

ମୋ ହିତେ  ତାଙ୍କ ଆକଟ  ମାଡ |୨|


ଜନମଦାତ୍ରୀ  ସେ  ମୋହର  ମାଆ, 

ତା' କୋଳରେ ବସି ଦେଖେ ଦୁନିଆ 

ଧୂଳି ଝାଡି ଦେଇ କରେ  ସେ  ଗେଲ, 

ମୋର  ମାଆଟି  ସବୁଠାରୁ  ଭଲ   |୩|


ମୋର  ଜେଜେ ଆମ  ଘର  ମୁରବୀ, 

ଚଷମା  ଲଗାଇ   ଆଙ୍କନ୍ତି  ଛବି   

ବଙ୍କୁଲି   ବାଡି   ତାଙ୍କରି   ଭରସା, 

ମୁଢି  ଖାଆନ୍ତି  ହୋଇଲେ ବରଷା |୪|


ଭାରି ହସାଏ ସେ ଜେଜେମା  ବୁଢୀ, 

ଗୀତ ଓ କାହାଣୀର ଖୋଲେ ସେ ପେଡି 

ଢଗଢମାଳି   କାନ୍ଦଣା   ଗୀତର, 

ଆମ ପାଖରେ ସେ ଖୋଲେ ଆସର |୫|


ପିଉସୀ  ନାନୀ ଓ  ମୋହର  କକା, 

ଖେଳନା  କିଣିଲେ  ଦିଅନ୍ତି  ଟଙ୍କା 

ନାନୀ ଖୁଆଏ କେତେ ଆଦର କରି, 

କକା   ଗାଁରେ  ବୁଲାନ୍ତି  ଚାନ୍ଦୁ କରି |୬|


କକା   ନିଅନ୍ତି  ବୁଲାଇ   ଯାତରା, 

ମିଠା ଲାଗେ ଖୁଡି ହାତର କାକରା 

ମୁଁ  ଅଝଟ  ହୋଇ  ଶୁଣିଲେ  ଗାଳି, 

ଖୁଡି  ବେଲୁନ  ଦିଏ  ନାଲି  ନେଳି |୭|


ବଡ  ଭାଇର  ସେ  ଗେଲ  ଆଦର, 

ବଡ  ଭଉଣୀ  ଅଟେ ପ୍ରିୟ ମୋର 

ସରଗ  ସମ  ମୋର  ପରିବାର, 

ନଲାଗୁ   ଏଠି   କାହା   ନଜର   |୮|


ଜନ୍ମଜୟ ନାୟକ

ଶିକ୍ଷକ, ଚିଲିକା ନୋଡାଲ୍ ହାଇସ୍କୁଲ, ପୁରୀ

Post a Comment

0 Comments