
ଆସ ବାପୁ ଆସ ଏ ଦେଶ ମାଟିକୁ
ଆଉ ଥରେ ଜନ୍ମ ନେଇ,
ଦେଖିବ ଦେଶର ପ୍ରଗତି କିପରି
କରୁ ପ୍ରାଣବଳୀ ଦେଇ।।
ତୁମେ ପାଳିଥିବା ମର୍କଟ ତିନିହେଁ
କରନ୍ତି ଏମନ୍ତ କାମ,
ଆଶ୍ଚର୍ଯ୍ୟ ହୋଇବ ଦେଖିଲେ ତାହାଙ୍କୁ
ବୁଦ୍ଧି ହେଇଯିବ ବାମ।।
ଚକ୍ଷୁ ମୁଦି ଯିଏ କହୁଥିଲା ଦିନେ
ଦେଖିବିନି ମନ୍ଦ କାମ,
ସେ ମର୍କଟ ଆଜି ଏମିତି ଦେଖୁଛି
ଘୁରିଯିବ ମଥା ତୁମ।।
ମୁଖ ବୁଜି ଯିଏ କହୁଥିଲା ଦିନେ
କହିବିନି ମନ୍ଦ କଥା,
ସେ ବାନର ଆଜି ଏମିତି କହୁଛି
ହୃଦୟେ ହେଉଛି ବ୍ୟଥା।।
କାନ ବୁଜି ଯିଏ କହୁଥିଲା ଦିନେ
ନ ଶୁଣିବି କଟୁ ବାକ୍ୟ,
ଭଲଲାଗେ ଆଜି ଶୁଣିବାକୁ ତାକୁ
ଯେତେ ଦୁଷ୍କର୍ମ ଦୁଷ୍ପ୍ରାପ୍ୟ।।
ସ୍ବାଧୀନ ଭାରତ ଦେଇଥିଲ ଦିନେ
ଖାଇ ଗୋଇଠା ପାହାର,
ସେହି ଭାରତକୁ ଲୁଟୁଛନ୍ତି ଏବେ
ଯୋଗଜନ୍ମା ଏ ଦେଶର।।
ନାରୀ ଜାଗରଣ ପାଇଁ ତୁମେ ଦିନେ
କରିଥିଲ ଆନ୍ଦୋଳନ,
ସେହି ନାରୀ ଆଜି ସୁରକ୍ଷିତ ନୁହେଁ
ପାଇ ନାନା ନିର୍ଯାତନା।।
କୃଷକକୁ ତୁମେ ଉତ୍ସାହିତ କରି
କହିଲ ଜୟ କିଶାନ,
ସେହି କୃଷି ଆଜି ଆତ୍ମହତ୍ୟା କରେ
ଋଣ ଭାର ଅସହନ।।
ଅହିଂସା ପଥକୁ ଆଦରି ତୁମେ ଯେ
ହୋଇଲ ଜଗତଜିତା,
ପରତଣ୍ଟି ଚିପି ଧନ ଅର୍ଜିବାକୁ
ସର୍ବେ ହୋଇଛନ୍ତି ବ୍ରତା।।
ସବୁ ଧର୍ମକୁ ଏକଜୁଟ କରି ଦେଲ
ଯେ ଅଭୟ ବାଣୀ,
ସେ ଧର୍ମକୁ ନେଇ ରାଜନୀତି ଏବେ
ଲୋକେ ହେଉଛନ୍ତି ଗୁଣି।।
ଗୋରା ଶାସକଙ୍କ ଦୌରତ୍ମ୍ୟରେ ଦିନେ
ଅତିଷ୍ଠ ଏ ଦେଶ ଜନେ,
ଆଜିର ଶାସକ ତା ଠାରୁ ବଳି
ପାଶୋରି ନ ହୁଏ ମନେ।।
ସୁନାର ଭାରତ ଗଢ଼ିବାକୁ ଦିନେ
କରିଥିଲ ତୁମେ ଆଶା,
ସେ ଆଶାକୁ ଆଜି ଧୂଳିସାତ କରେ
ସ୍ବାର୍ଥପର ସ୍ବାର୍ଥନ୍ବେଷା।।
ନିଜ ସ୍ବାର୍ଥକୁ ଜଳାଞ୍ଜଳି ଦେଇ
ଦେଶର ସ୍ବାର୍ଥ ପାଇଁ,
ଶହୀଦ ହୋଇଲ ଆତତାୟୀ ହାତେ
ରାମଧୁନ୍ ଗାଇ ଗାଇ।।
ଆସ ବାପୁ ଆସ ଏ ଧରା ଧାମକୁ
ପୁନର୍ବାର ଜନ୍ମ ନେଇ,
ଦେଖିଯିବ ତୁମେ ଦେଶର ଉନ୍ନତି
ଧନ୍ୟବାଦ ଦେଇ ଦେଇ।।
ବିଶ୍ୱଜିତ୍ ବେହେରା
ଶିକ୍ଷକ , ରାଜକୃଷ୍ଣ ଶିଶୁ ନିକେତନ
ରାଟିଲୋ , କିଶୋରନଗର, କଟକ
6371401581

0 Comments