ସାକ୍ଷାତକାର - ସୂର୍ଣ୍ଣପ୍ରଭା ଖଟୁଆ 
ସାହିତ୍ୟ ସର୍ଜନାରେ ଅନେକ ସ୍ରଷ୍ଟା ନିଜର ବଳିଷ୍ଠ ଲେଖନୀ ସ୍ପର୍ଶରେ ଏହାର କାୟାକୁ ସଜୀବ ଓ ସୁନ୍ଦର କରି ଗଢିବାରେ ନିଜର ଯଥାସାଧ୍ୟ ଚେଷ୍ଟା ସର୍ବଦା ଜାରି ରଖିଛନ୍ତି। ସମାଜ ଉପଯୋଗୀ କବିତା, ଗଳ୍ପ, ଆଦି ରଚନା କରି ସେମାନେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଭାଷା ସାହିତ୍ୟ କ୍ଷେତ୍ରରେ ଜଣେ ଜଣେ ସୁଦକ୍ଷ ଯୋଦ୍ଧା ପାଲଟିଛନ୍ତି। ସେହିପରି ଜଣେ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ବ ହେଉଛନ୍ତି ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ତୁରମ୍ୟ ଗ୍ରାମର ଯୁଗଳ ଚରଣ ଖଟୁଆ ଓ ସତ୍ୟଭାମା ଖଟୁଆଙ୍କ ତୃତୀୟ ସନ୍ତାନ ଏବଂ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟରେ ଓଡିଆ ସାହିତ୍ୟ ବିଭାଗରେ ଗବେଷଣାରତ ଛାତ୍ରୀ ସ୍ବର୍ଣ୍ଣପ୍ରଭା ଖଟୁଆ। ତାଙ୍କ ସାହିତ୍ୟ ଯାତ୍ରାର କିଛି ଜଣା ଅଜଣା କଥା ଜାଣିବା ପାଇଁ ତାଙ୍କୁ ଭେଟିଥିଲେ ପତ୍ରିକାର ସମ୍ପାଦକ ଦେବବ୍ରତ ବାରିକ।
୧- ପ୍ରଶ୍ନ : ଆପଣଙ୍କ ସାହିତ୍ୟ ଜୀବନ କିପରି ଆରମ୍ଭ କଲେ ?
ଉତ୍ତର - ଛୋଟ ବେଳୁ ଗଳ୍ପ, କବିତା, ଆତ୍ମ ଜୀବନୀ ଆଦି ପଢିବାରେ ମୋ'ର ଆଗ୍ରହ ଥିଲା। ମୁଁ କଲେଜ ସମୟରେ କଲେଜର ପତ୍ରିକା ପାଇଁ କିଛି ପ୍ରବନ୍ଧ, କବିତା ଲେଖିଥିଲି। କିନ୍ତୁ ୨୦୧୬ ମସିହାରେ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ସ୍ନାତକୋତ୍ତର ଦ୍ବିତୀୟ ବର୍ଷ ସମୟରୁ ମୁଁ ଧାରାବାହିକ ଭାବରେ ଲେଖାଲେଖି ଜାରି ରଖିଛିି।
୨- ପ୍ରଶ୍ନ : ଲେଖିବା ପାଇଁ ଆପଣ କାହା ଠାରୁ ପ୍ରେରଣା ପାଇଥିଲେ ?
ଉତ୍ତର - ଲେଖିବା ପାଇଁ ପ୍ରେରଣା ମୁଁ ମୋ ସାର୍ ମାନଙ୍କ ଠାରୁ ପାଇଥିଲି। ମୋ ପରିବାର ଲୋକେ ବି ଚାହୁଁ ଥିଲେ ମୁଁ କିଛି ଲେଖେ। ପତ୍ରିକାକୁ ଲେଖା ଦେଇ ନଥିଲେ ବି ମୋ ସାଙ୍ଗ ଯେଉଁମାନେ ମୋ' ଲେଖା ପଢନ୍ତି ସେମାନେ କୁହନ୍ତି ଯେ ଲେଖା ଭଲ ହେଇଛି ବୋଲି। ଯେବେ ମୁଁ ଦ୍ବିତୀୟ ବର୍ଷ ସମୟରେ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ଯାଇଥିଲି ସେଠାରେ ଡକ୍ଟର ବବ୍ରୁବାହନ ମହାପାତ୍ର ସାର୍ ମତେ କହିଥିଲେ ଯେ ଯଦି ତମେ ନାରୀମାନଙ୍କୁ ସମସ୍ୟାକୁ ନେଇ ଏତେ ବ୍ୟାକୁଳ, ତାଙ୍କର କଷ୍ଟ ଯନ୍ତ୍ରଣା ଦେଖିଲେ ତମକୁ ଏତେ କଷ୍ଟ ହେଉଛି ତେବେ ସେ ସବୁ ତୁମେ ଗଳ୍ପ, କବିତା ମାଧ୍ୟମରେ ପରିପ୍ରକାଶ କର ଭଲ ହେବ। ସେହି କଥା ମତେ ବହୁତ ପ୍ରେରଣା ଓ ଉତ୍ସାହ ଦେଇଥିଲା ଲେଖିବାକୁ। ସେବେଠାରୁ ମୁଁ ପର୍ଯ୍ୟାୟ କ୍ରମେ ଲେଖା ଜାରି ରଖିଛି। ସାଧାରଣତଃ ନାରୀମାନଙ୍କ ସମ୍ପର୍କରେ କବିତା ଲେଖିବାକୁ ଭଲ ପାଏ।
୩- ପ୍ରଶ୍ନ : ଆପଣଙ୍କ ପ୍ରଥମ ଲେଖା ଓ ତା'ର ଅନୁଭୂତି କିପରି ଥିଲା ?
ଉତ୍ତର - ମୁଁ ବାବା ଭୈରବନାଥ ମହାବିଦ୍ୟାଳୟରେ ସ୍ନାତକ ପଢ଼ିବା ସମୟରେ ଆମ ଓଡ଼ିଆ ବିଭାଗର ଜଣେ ସାର୍ ମତେ କହିଲେ କଲେଜର ମାଗାଜିନ୍ ବାହାରୁଛି। ତୁ ଓଡ଼ିଆ ବିଭାଗର ଛାତ୍ରୀ ହେଇ ଲେଖା କ'ଣ ପାଇଁ ଦଉନୁ। ତୁ କିଛି ଲେଖି କି ଦେ। ତାପରେ ମୁଁ "ମୋ ଗାଁ" ଶୀର୍ଷକରେ ଗୋଟିଏ କବିତା ଲେଖିଥିଲି। ମୋ ଗାଁରେ ଯାହା କିଛି ଅଛି ମୁଁ ତାକୁ ସେଥିରେ ବର୍ଣ୍ଣନା କରିଥିଲି। ସାର୍ ଯେହେତୁ ଜଣେ ଭଲ ଲେଖକ ତେଣୁ ସେ ଏଥିରେ ଅନେକ କିଛି ପରିବର୍ତ୍ତନ କରି ମାଗାଜିନ୍ ରେ ଦେଇଥିଲେ। ମତେ ଭଲ ଲାଗିଲା ଯେ ମୋ ଲେଖା ମାଗାଜିନ୍ ରେ ବାହାରିଲା ; କିନ୍ତୁ ଏଇଟା ଭଲ ଲାଗି ନଥିଲା ଯେ ଏଥିରେ ମୋ ଚିନ୍ତାଧାରାକୁ ପରିବର୍ତ୍ତନ କରାଗଲା। ତେଣୁ ମତେ ଲାଗିଲା କି ମୋ କବିତା ଲେଖା ସେତେ ଭଲ ହଉନି , ସେଥିପାଇଁ ମୁଁ କବିତା ଲେଖିବା ବନ୍ଦ କରିଦେଇଥିଲି। ଏବେ ପୁଣି ଲେଖା ଚାଲିଛି।
୪- ପ୍ରଶ୍ନ : ଆପଣଙ୍କ ମତରେ ସାହିତ୍ୟରେ ପ୍ରତିଯୋଗିତା ଜରୁରୀ କି ?
ଉତ୍ତର - ହଁ, ମୋ ମତରେ ସାହିତ୍ୟରେ ପ୍ରତିଯୋଗିତା ଜରୁରୀ।କାରଣ ରୀତି ଯୁଗର କବିମାନେ ନାରୀମାନଙ୍କ ଉପରେ ଚର୍ଚ୍ଚା ଓ ଦରବାର ଆଦି କବିତା ଲେଖୁଥିଲେ । ସେହିପରି ପଞ୍ଚସଖା ଯୁଗର କବିମାନେ ଯୋଗ ସାଧନାକୁ ଗୁରୁତ୍ବ ଦେଇ କବିତା ଲେଖୁଥିଲେ। କିନ୍ତୁ ଏବେ ଆମ ସମୟର କବି ଲେଖକମାନେ ସମାଜର ବିଭିନ୍ନ ଘଟଣାବଳୀକୁ ନେଇ ଗଳ୍ପ, କବିତା ଲେଖୁଛନ୍ତି ଆଉ ବହୁତ ସୁନ୍ଦର ବି ଲେଖୁଛନ୍ତି। ତେଣୁ ମୋ ମତରେ ପ୍ରତିଯୋଗିତା ନିହାତି ଆବଶ୍ୟକ।
୫- ପ୍ରଶ୍ନ : ଆପଣଙ୍କ ଲକ୍ଷ୍ୟରେ ସାହିତ୍ୟର ପରିଭାଷା କ'ଣ ?
ଉତ୍ତର - ମୋ ଲକ୍ଷ୍ୟରେ ସାହିତ୍ୟ ଏକ ବିଶାଳ ଭୂଖଣ୍ଡ। ତା'ର ପରିଭାଷା ଗୋଟିଏ ଦୁଇଟି ଶଦ୍ଦ ମଧ୍ୟରେ ଦେବା ସମ୍ଭବ ନୁହେଁ। ମୁଁ ଓଡ଼ିଆ ଭାଷା ସାହିତ୍ୟରେ ପି.ଏଚ୍.ଡି କରୁଛି। କିନ୍ତୁ ମତେ ଲାଗୁଛି ମୁଁ ଏହି ଭୂଖଣ୍ଡର ଆଶିଂକ ଅଂଶକୁ ବି ସ୍ପର୍ଶ କରି ପାରିନି। ତେଣୁ ତା'ର ପରିଭାଷା ମୋ ପକ୍ଷେ ଦେବା ସମ୍ଭବ ନୁହେଁ।
୬- ପ୍ରଶ୍ନ : ସାହିତ୍ୟ ରଚନା କରିବାରେ ଆପଣ କେଉଁ ପୁରାତନ ଲେଖକ କିମ୍ବା ଲେଖିକାଙ୍କ ଦ୍ଵାରା ଅନୁପ୍ରାଣିତ ହୋଇଛନ୍ତି ?
ଉତ୍ତର - ମତେ ପ୍ରତିଭା ରାୟ , ସରୋଜିନୀ ସାହୁ , ଗୁରୁ ପ୍ରସାଦ ମହାନ୍ତି, ରମାକାନ୍ତ ରଥ , ସଚ୍ଚିଦାନନ୍ଦ ରାଉତରାୟଙ୍କ ଲେଖା ପଢିବାକୁ ଭଲ ଲାଗେ। ମୁଁ ନିର୍ଦ୍ଦିଷ୍ଟ ଭାବେ କାହା ଦ୍ଵାରା ଅନୁପ୍ରାଣିତ ହୋଇନାହିଁ। କିନ୍ତୁ ସେମାନଙ୍କ ଲେଖା ଦ୍ଵାରା ମୁଁ ଆକୃଷ୍ଟ ହେଇଛି ବୋଲି ମୁଁ ଆଜି କିଛି ଲେଖି ପାରୁଛି। ସରୋଜିନୀ ସାହୁଙ୍କ ଗଳ୍ପ ଉପରେ ଯେହେତୁ ମୁଁ ଥେସିସ୍ ଲେଖିଥିଲି ତେଣୁ ତାଙ୍କ ଗଳ୍ପ ମତେ ବେଶୀ ଭଲ ଲାଗେ। ମୁଁ ସମାଜ ଠାରୁ ମୂଳତଃ ପ୍ରେରଣା ପାଇଛି।ଯାହା ଫଳରେ ମୋ ଲେଖାରେ ମୁଁ ସାମାଜିକ ଘଟଣା ଉପରେ ଗୁରୁତ୍ବ ଦେଇ ଲେଖୁଛି।
୭ - ପ୍ରଶ୍ନ : ଆପଣଙ୍କ ମତରେ ସମାଲୋଚନା ସାହିତ୍ୟକୁ ଋଦ୍ଧିମନ୍ତ କରେ ନା ବିନାଶ କରେ ?
ଉତ୍ତର - ସମାଲୋଚନା ସାହିତ୍ୟକୁ ଋଦ୍ଧିମନ୍ତ କରେ। କାରଣ ସମାଲୋଚନା ଦ୍ଵାରା ଆମେ ଜାଣିପାରୁ ଯେ ଆମ ଲେଖାରେ କ'ଣ ତ୍ରୁଟି ରହିଛି, କ'ଣ ଭଲ ଆମେ କରିପାରିଲୁ,ତା ସହ କେଉଁ ଦିଗ ପ୍ରତି ସଚେତନ ହେବା ଜରୁରୀ।ସମାଲୋଚନା ନ ରହିଲେ ତ ସମସ୍ତେ ନିଜ ମନ ଇଚ୍ଛା ଲେଖିବେ। ଲେଖାରେ ତ୍ରୁଟି କ'ଣ ରହିଲା ଜଣା ପଡ଼ିବନି। ତେଣୁ ସମାଲୋଚନା ନିହାତି ଆବଶ୍ୟକ।
୮- ପ୍ରଶ୍ନ : ଆପଣ କେଉଁ କେଉଁ ଅନୁଷ୍ଠାନ ଦ୍ବାରା ଆଉ କେବେ ପୁରସ୍କୃତ ହୋଇଛନ୍ତି ?
ଉତ୍ତର - ମୁଁ କବିତା ଲିଖନ ଓ ଆବୃତ୍ତି ପାଇଁ ୨୦୧୮ରେ ବାଲେଶ୍ଵର ଜିଲ୍ଲାର ସୂର୍ଯ୍ୟୋଦୟ ପରିବାରରୁ ସମ୍ମାନିତ ହୋଇଛି। ୨୦୧୯ ରେ ବାଣୀପ୍ରଭା ସାହିତ୍ୟ ସଂସଦ ଦ୍ଵାରା ଏବଂ କଟକରୁ "ମାଟିର ମଣିଷ" ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛି।
୯- ପ୍ରଶ୍ନ : ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ପାଇଁ କ'ଣ କରାଯିବା ଆବଶ୍ୟକ ?
ଉତ୍ତର - ଭାଷା ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ଅଧିକ ରୁ ଅଧିକ ପୁସ୍ତକ, ପତ୍ର ପତ୍ରିକା ପ୍ରକାଶିତ ହେବା ଦରକାର।ସେହି ପ୍ରକାରେ ପାଠକଙ୍କ ସଂଖ୍ୟା ବି ବଢ଼ିବା ଦରକାର।
୧୦ - ପ୍ରଶ୍ନ : ନୂତନ ପିଢ଼ିର ଲେଖକ/ ଲେଖିକାଙ୍କୁ ଆପଣ କ'ଣ ପରାମର୍ଶ ଦେବେ ?
ଉତ୍ତର - ମୁଁ ସେମାନଙ୍କୁ ଏତିକି ପରାମର୍ଶ ଦେବି କି ଭଲ ଲେଖୁଛନ୍ତି କି ଖରାପ ଲେଖୁଛନ୍ତି ସେଇଟା ଗୁରୁତ୍ବପୂର୍ଣ୍ଣ ନୁହେଁ। କିଏ ପୁରସ୍କାର ପାଇଲା , ମୁଁ ପାଇଲିନି ଏମିତି ନ ଭାବି ତୁମେ ଗାଳ୍ପିକ/ଗାଳ୍ପିକା କିମ୍ବା କବି/କବୟିତ୍ରୀର ଯେଉଁ ପରିଚୟ ପାଇଛ ତାକୁ ମନରେ ରଖି ସାଧନା ଜାରି ରଖିବା ଦରକାର। ମୋ ମତରେ ଯଦି ଲେଖାଟି ଅନ୍ୟମାନଙ୍କ ଦ୍ଵାରା ଆଦୃତ ନ ହେବ ତେବେ ଲେଖନୀ ଚାଲିବନି। ତେଣୁ ପୁରସ୍କାର ଲାଭର ଆଶା ନ ରଖି ନିଜ ସାଧନା ଜାରି ରଖିବା ଦରକାର।
୧୧- ପ୍ରଶ୍ନ : ଶେଷରେ ଆପଣ ଆମ କବି ବନ୍ଧୁ/ ବାନ୍ଧବୀମାନଙ୍କୁ କ'ଣ କହିବେ ?
ଉତ୍ତର - ସମସ୍ତଙ୍କୁ ମୋର ସ୍ନେହ , ଶୁଭେଚ୍ଛା, ଓ ଅଭିନନ୍ଦନ। ସାରସ୍ବତ ଯାତ୍ରା ଆଗେଇ ଚାଲୁ। ଦିନେ ନା ଦିନେ ସମସ୍ତେ ଆମେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବା। ସମସ୍ତେ ମିଳିତ ଭାବେ ସାଧନା ଜାରି ରଖିଲେ ସାହିତ୍ୟ ଜଗତ ନିଶ୍ଚୟ ପୁଷ୍ପ ମଣ୍ଡିତ ହୋଇ ପାରିବ।
°°°ସମାପ୍ତ°°°

0 Comments