ସୌର ଜଗତରେ ଆପଣା ପଥରେ
ଘୂରିବୁଲୁଥାଏ ଗ୍ରହ
ଏ ମହିକୀ ଅବା ଛାଡିକି ପାରିବ
ଆପଣାର ସେହି ମୋହ।
ମୋହ ନୁହେଁ ତାହା ଧରାର ଚକ୍ଷୁରେ
ଅଟେ ତାର କାର୍ଯ୍ୟବହ
ଏଣୁ ଏ ଅବନୀ ନୀତି ଘୂରିବୁଲେ
ହୋଇ ଇଶ ଆଜ୍ଞା ବହ।
କାଳର ଗତିରେ ଆପଣା ପଥରେ
ସର୍ବେ ଯାନ୍ତି ଅହରହ
ଏ ନର କି ଅବା ତହୁଁ ଟଲିଯିବ
ଛାଡି ତାର ମାୟା ମୋହ ।
ଧରାର ବକ୍ଷରେ ମୁକ୍ତ ଗଗନରେ
ଉଡି ବୁଲେ ଯେ ବିହଗ
ଏଣୁ ତ ସେ କେବେ ନିଜକୁ କରିନି
ସରଗର ଇନ୍ଦ୍ରଦେବ ।
ଆତ୍ମାର ସଞ୍ଚାର ସର୍ବ ଘଟଠାରେ
ରହିଥିବା ଯାଏ ଯିବ
ଏ ଦେହରୁ ଯଦି ପ୍ରାଣ ଚାଲିଯିବ
ହୋଇଯିବ ସେ ନିର୍ଜୀବ ।
ସ୍ୱଳ୍ପ କାଳରେ ଅନନ୍ତ ଶାସ୍ତ୍ରରେ
ଅନେକ ଜ୍ଞାନ ବିଭବ
ଯାହାକିଛି ସାର ସେ ସବୁ ଗ୍ରହଣ
ଅଟେ ଯେ ମହାନୁଭାବ ।
ଚକର ସଦ୍ଦୃଶ ଏ ଭାଗ୍ୟର ଚକ୍ର
ନୀତି ଘୂରୁଛି ଘୂରିବ
ଏଣୁ ଏ ମାନବ ସତ୍ କର୍ମ କରିବା
ଅଟେ ଯେ ଶ୍ରେଷ୍ଠ ବିଭବ।
ସ୍ୱଧର୍ମ ଆଦରି ସୁକର୍ମ କରି
ଯଦି ବଞ୍ଚିବ ମାନବ
ସତ୍ୟ ସୂର୍ଯ୍ୟଚନ୍ଦ୍ର ନକ୍ଷତ୍ର ଯେ ଆଦି
ଉଦୁଛନ୍ତି ଉଦୁଥୀବ ।
ସଂସାରେ କରମ ଅଟଇ ସଂମ୍ପଦ
ଫଳରେ ନ ରହୁ ଭାବ
ଏ ବିଶ୍ୱ ବ୍ରହ୍ମାଣ୍ଡେ ସତ୍ କର୍ମ ଆଧାରେ
ଫଳ ଦିଅନ୍ତି ଦଇବ ।
ଏଣୁ ହେ ମାନବ ନିତ୍ୟ ନିରନ୍ତର
ସତରେ ରଖୀ ତୁ ଭାବ
ଅନ୍ତିମ କାଳରେ ମରଣର ବେଳେ
ସତ୍ ହେବ ସତ୍ୟ ବିଭବ।।
ଅମିୟ କୁମାର ପଧାନ
ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପ୍ରାକ୍ତନ ଓଡିଆ ସମ୍ମାନ ଛାତ୍ର ।


0 Comments