ଉତ୍କଳ ଦିବସ - ସୁଜିତ୍ କୁମାର ମିଶ୍ର

ଉତ୍କଳ ଦିବସ - ସୁଜିତ୍ କୁମାର ମିଶ୍ର 



ଚାରୁ ବିମଣ୍ଡିତ  ଚନ୍ଦନ ଚର୍ଚ୍ଚିତ

     ନନ୍ଦନ ବନ ଯା କୋଳ,

ତା ପାଣି ପବନେ   ଗଢା ଯେ ଆୟୁଷ

      ପୂଣ୍ୟଭୂମି ମୋ ଉତ୍କଳ ।


ଉତ୍କର୍ଷ କଳାର    ଉତ୍ତରୀୟ ବେଶେ

    କୋଟି ଲାବଣ୍ୟ ସେ ଦିଶେ,

ଧୂରୀଣ ଧରମା    ତ୍ୟାଗ ବଳିଦାନେ

      କୋଣାରକ ଏଠି ହସେ ।


ବାଜିଆ କଣ୍ଠରୁ    ଶୁଭିଥିଲା ଦିନେ

      ଅଟଳ ବୀରତ୍ୱ କଥା,

ବାଳୁତ ହେଲେବି   ବହ୍ନି ଜାଳି ଥିଲା

     ନୁଆଇଁ ନଥିଲା ମଥା  ।


କେତେ କେତେ କବି   ଲେଖନୀ ସ୍ୟାହିରେ

      ଆଙ୍କିଗଲେ ତୋର ଛବି,

ଯୁଗ ଯୁଗ ଲାଗି  ଜ୍ୟୋତି ବିତରିଲେ 

     ତୋ ମାଟିର ଶିର ଟେକି ।


ଗାଆଁ ମାଟି କଥା   ଅମୂଲ୍ୟ ମମତା

    ଆଙ୍କିଲେ ସଚ୍ଚିଦାନଂଦ,

ତୋ ମାଟିର ଗାଥା   ଛୋଟ ମୋର ଗାଁଟି

      ଆହା କେଡେ ମିଠା ଛନ୍ଦ ।


କେତେ ମନୀଷୀଙ୍କ   କଠୋର ଉଦ୍ୟମେ

      ଫୁଟିଲା ତୋ ଓଠେ ହସ,

ମାଟି ଆଉ ଭାଷା   ମୁକତି ପାଇଁ କି

     ରଖିଗଲେ କାଳଯଶ ।


କେ ଭୁଲି ପାରିବ   ମଧୁସୂଦନଙ୍କ

      ଭାଷା ଜାତି ସ୍ୱାଭିମାନ,

ସଙ୍ଗେ ଗଙ୍ଗାଧର   ଗୋପବନ୍ଧୁ ଦାସ

       ପୁରୋଧା ଫକୀର ମୋହନ  ।


ତୋ ପୂଣ୍ୟ ମାଟିରେ    ଜଗା ଉଭା ବୋଲି

     ଜଗତରେ ତୋର ନାମ,

ତେଣୁ ମାଟି ତୋର  ଉତ୍ସବମୁଖର

      ମେଳେ ଏଠି ଭକ୍ତଜନ ।


ତୋ ମାଟି ପରବ   ରଜ ରଥଯାତ୍ରା

     ପଣାସଂକରାନ୍ତି  ଦୋଳ,

ନିଆରା ସଂସ୍କୃତି   ନିତି ଯୋଡ଼େ ଏଠି

      ହୋଇଣ ସହନଶୀଳ ।


କେତେ ନଦ ନଦୀ   କାୟା ବିସ୍ତାରିଛି

      ପୂଣ୍ୟ ପ୍ରାଣ ପ୍ରବାହରେ,

ବୈତରଣୀ ଗଙ୍ଗା   ଯମୁନା ବକ୍ଷରେ 

       ବୁଡ ଦେଲେ ପାପ ହରେ । 


ତୋ କୋଳେ ପାହାଡ଼   ପରବତ  ଧାଡ଼ି 

    ନଭଶ୍ଚୁମ୍ବୀ ଅଟ୍ଟାଳିକା, 

ତେଣୁ ତୋ ପଣତ  ଅକ୍ଷତ ଜଗତେ 

     ଅକ୍ଷୁର୍ଣ୍ଣ ସେ ସୀମାରେଖା । 


ହେ  ଉତ୍କଳ ମାତା   ତୋର ପୁଣ୍ଯ ଗାଥା 

     ଚିରକାଳ ଗାଉଥିବି, 

କାୟମନୋବାକ୍ଯେ    ପ୍ରତି ରକ୍ତ ବିନ୍ଦୁ 

      ତୋ ଚରଣେ ଢାଳୁଥିବି  ।


ସୁଜିତ୍ କୁମାର ମିଶ୍ର

ଜନାର୍ଦ୍ଦନପୁର, ଶାସନ, କେନ୍ଦୁଝର 

ସୌଜନ୍ୟ ସମ୍ପାଦକ - ପ୍ରୀତି ପ୍ରଣତି 

ମୋ ନଂ - ୭୬୮୩୮୬୭୭୪୨

Post a Comment

0 Comments