ନୀରବତା - ସଞ୍ଜିତା ପ୍ରଧାନ




ହୃଦୟର ଅଶାନ୍ତ ଲହରୀରେ

ଭାବନା ବୋଇତ ଇତଃ ସ୍ତତଃ ଧାଇଛି,

ଦିଗହରା ଲକ୍ଷହରା ହୋଇ,

ତେଣୁ ବୋଧେ ଓଠ 

କେଉଁ ଭାବନାର କଥା ଉପସ୍ଥାପନା

କରିବ ଜାଣିପାରୁନି,

ନୀରବତା ରକ୍ଷା କରି ଶବ୍ଦ 

ଖୋଜିଚାଲିଛି ମନର ବେଳାଭୂମିରେ ।।


ଆଖି, ଓଠ, ଶରୀରର ଅଙ୍ଗୀଭଙ୍ଗୀ

ବ୍ୟାଖ୍ୟା କରିଦିଏ ମନର ଭାବନାକୁ ,

ସଜେଇଦିଏ ନୀରବତାକୁ

ଅନେକ ଶବ୍ଦ ଅଳଙ୍କାରରେ,

ବୁଝିବା ଲୋକ ବୁଝିଯାଏ,

ନ ବୁଝିବା ଲୋକ

କେବଳ ପଚାରି ଚାଲିଥାଏ

"କାହିଁକି ଏ ନୀରବତା ?"


ନୀରବତା ଦୁଃଖର,

ନୀରବତା ସୁଖର, 

ନୀରବତା ଭଲ ପାଇବାର,

ନୀରବତା ଘୃଣାର,

ସତରେ ନିରାବତାର ଅନେକ ରୂପ,

ସେ ନିଜର ଅନିଚ୍ଛା ସତ୍ତ୍ୱେ

କହିଦିଏ ଅନେକ ଅସରନ୍ତି ଭାବନାର ଗଳ୍ପ ।।


ନୀରବତା କ'ଣ ସତରେ ନୀରବତା ?

ନା ନୀରବତା ନାମରେ

ଅନେକ ଶବ୍ଦ ସମାହାର ?

ନା କଳ୍ପନା କୁହେଲିକାର ମାୟାଜାଲ, 

ଭାବିଲେ ବହୁତ କିଛି,

ନ ଭାବିଲେ କିଛି ବି ନୁହେଁ;

କେବଳ ଶୁନ୍ୟତା ହିଁ ଶୁନ୍ୟତା 

ମହା ଶୁନ୍ୟତା ।।

ଶ୍ରୀମତୀ ସଞ୍ଜିତା ପ୍ରଧାନ ( ଶିକ୍ଷୟିତ୍ରୀ) 

ଜୟରାମ ସରକାରୀ ଉଚ୍ଚ ବିଦ୍ୟାଳୟ , ଲେଫ୍ରିପଡ଼ା ,

ସୁନ୍ଦରଗଡ଼

Post a Comment

0 Comments