ଛବି କଥା କହେ - ସଞ୍ଜିତା ପ୍ରଧାନ

 


କଳୁଷିତ ସମାଜ ତର୍ପଣେ

ଜୀବନ ଜୀବନ୍ତ ଦଗ୍ଧ

କ୍ଷୁଧାର୍ତ୍ତ ଉଦର ଉପବିଷ୍ଟ

କିଞ୍ଚିତ ଆହାରେ ମୁଗ୍ଧ ।।


ବୃନ୍ତଚ୍ୟୁତ କୁସୁମ କଳିକା

ଅନୁସନ୍ଧିତ୍ସୁ ଠିକଣା

ଲୋଲୁପ କୁଦୃଷ୍ଟିର ଶିକାର

ପରିଚୟ ଘେନି ଅଜଣା ।।


କ୍ଷୀର ନିର ଅନ୍ନର ଦୁର୍ଭିକ୍ଷ

ବ୍ୟବସ୍ଥାର ବ୍ୟତିକ୍ରମ

ଅର୍ଦ୍ଧମାର୍ଗେ ଲୁଣ୍ଠିତ ସର୍ବସ୍ୱ

ମୂଳ ମାଗେ ପରିଶ୍ରମ ।।


କୋମଳ ହସ୍ତେ ସଂସାର ଭାର

କ୍ଷୁଧାର୍ତ୍ତ ଭାତୃ କ୍ରନ୍ଦନ

ପୁସ୍ତକ, ଲେଖନୀ ପରିତ୍ୟକ୍ତ

ଭାଗ୍ୟ ଆଙ୍କେ ପ୍ରଶ୍ନ ଚିହ୍ନ ।।


ସ୍ବପ୍ନ ଅସରନ୍ତି ଭଗ୍ନ ଇଚ୍ଛା

ନୀରିହ ଶୈଶବ ଲୁପ୍ତ

ଦୁର୍ଭାଗ୍ୟର ଏକ ବିଡମ୍ବନା

ଯନ୍ତ୍ରଣା ପଲକେ ସୁପ୍ତ ।।


ପ୍ରଶ୍ନିଲ ଚକ୍ଷୁ ସର୍ବତ୍ର ଖୋଜେ

ଅପଣାପଣର ଭାବ

ଶିକାରୀ କିନ୍ତୁ ଶିକାର ଆଶେ

ବଦଳାଏ ସ୍ୱ-ସ୍ଵଭାବ ।।


ନିଷ୍ପାପ ହୃଦୟ ବାରମ୍ବାର

ଚାହେଁ ବିବର୍ତ୍ତନବାଦ

ଦୁଃଖଜ୍ୱାଳା ଶବ୍ଦେ ସମାଜକୁ

କରୁଅଛି ଆର୍ତ୍ତନାଦ

କରୁଅଛି ଆର୍ତ୍ତନାଦ ।।


ଶ୍ରୀମତୀ ସଞ୍ଜିତା ପ୍ରଧାନ , ଶିକ୍ଷୟିତ୍ରୀ

ଜୟରାମ ସରକାରୀ ଉଚ୍ଚ ବିଦ୍ୟାଳୟ , ଲେଫ୍ରିପଡା

ସୁନ୍ଦରଗଡ଼


Post a Comment

0 Comments