ସମୟ - ପ୍ରଜ୍ଞା ପରିମିତା ନନ୍ଦ


 ବଗିଚାରେ ଜାତି ଜାତିକ ଫୁଲ, ପକ୍ଷୀ, ଆକାଶ ର ସୁନ୍ଦରତା ସତ୍ତ୍ୱେ ଅତାତ ର ସ୍ମୃତି କୁ ରୋମନ୍ଥନ କରି ଉଦାସ ହୋଇପଡୁଥିଲେ ଦେବୀପ୍ରସାଦ ବାବୁ। କେତେ ଧୂଳିଖେଳ ସାଥୀ, ସ୍କୁଲ୍ ଓ କଲେଜ ବେଳ ର ସାଙ୍ଗ ତଥା ଅଫିସ୍ ସହକର୍ମୀ ମାନଙ୍କ ସାହଚର୍ଯ୍ଯ ରେ ସମୟ ହାତମୁଠା ରେ ଥିବା ବାଲି ପରି କୁଆଡେ ଖସିଗଲା ଜାଣିହେଲା ନାହିଁ । ଜୀବନ ଟା ମରୁଭୂମି ପାଲଟି ଯିବ ବୋଲି ସେ କେବେ ବି ଭାବି ନଥିଲେ । ଏତେ ଅସହାୟ ସେ ନିଜ ବାପାଙ୍କୁ ତାଙ୍କ ଅବସର ପରେ ଦେଖିନଥିଲେ। ସେ ତାଙ୍କର ପ୍ରେରଣା ଥିଲେ। ଭାବୁଥିଲେ ମୁଁ ବି ଏପରି ଅବସର ସମୟ ସୁଖ ରେ ବିତେଇବି। ହେଲେ ସୁଖ କାଇଁ ଯେ? ଦିନକୁ ଦିନ ଅସହାୟତା ମାଡି ପଡୁଛି ଯେମିତି । 

ଯୁଗ କେତେ ବଦଳି ଗଲାଣି । ଲୋକ ଖୋଲା ପଡିଆ, ପାର୍କ, ହାଟ, ବଜାର ଅପେକ୍ଷା ଏବେ ଇଣ୍ଟରନେଟ ରେ ଅଧିକା ମିଶୁଛନ୍ତି। ସୋସିଆଲ୍ ମିଡିଆ ରେ ପୁରୁଣା ବନ୍ଧୁ ସବୁ ମିଳୁଛନ୍ତି କୁଆଡେ। ହେଲେ ତାଙ୍କୁ ସେ ସ୍ମାର୍ଟ ଫୋନ୍ ଟା ଚଲେଇ ଆସେନାହିଁ ପରା। ଛୁଇଁ ଦେଲେ କୁଆଡେ କଣ ସବୁ ଖୋଲି ହେଇଯାଉଛି ମନକୁ ମନ । ଡର ମାଡେ। ତେଣୁ ପୁଅ ଦେବେଶ କୁ କହିଥିଲେ ଟିକେ ଶିଖେଇ ଦେବା ପାଇଁ। ସେ ଚେଷ୍ଚା କରିଥିଲା ହେଲେ, ଦୁଇ ତିନି ଥର ପରେ ଚିଡି ଯାଇ କହିଲା, “ତୁମ ଦ୍ୱାରା ହେବ ନାହିଁ ବାବା, ତୁମେ ସେଇ ଟିପା ଫୋନ ରେ କାମ ଚଳାଅ”। ହଁ ତାର ବି କଣ ଦୋଷ! ସମୟ ବି ତାକୁ କେଉଠିଁ? 


ଦୀର୍ଘନିଃଶ୍ୱାସ ଛାଡି ଅନୁଷା ଙ୍କ ଡାକ ରେ ଚା’ ପିଇବା ପାଇଁ ଉଠି ଆସିଲେ ଦେବୀପ୍ରସାଦ ବାବୁ। 

ଆସୁ ଆସୁ ଦେବେଶ କୁ ଦେଖଲେ ମନଦୁଃଖ କରି ବସିଛି । ତାଙ୍କୁ ଦେଖି ଉଠିଆସିଲା । କହିଲା, “ମୋତେ କ୍ଷମା କରିଦିଅ ବାବା। ତୁମକୁ ଏମିତି କହିବା ମୋର ଉଚିତ୍ ନଥିଲା। ପିଲାବେଳେ, କଥା କହିବାବେଳେ, ଚାଲିଲା ବେଳେ, କେତେ ଝୁଣ୍ଟି ନଥିବି ମୁଁ ବାବା! ସେତେବେଳେ ତୁମେ ଯଦି ମୋ ହାତ ୨/୩ ଥର ରେ ଛାଡି ଦେଇଥାନ୍ତ, ତେବେ କଣ ମୁଁ ଆଜି ଏଇଠି ପହଞ୍ଚିପାରିଥାନ୍ତି? ତେବେ ମୁଁ କାହିଁକି ଆଜି ତୁମ ହାତ ଏତେ ଶୀଘ୍ର ଛାଡିଦେବି? ତୁମେ ସ୍ମାର୍ଟ ଫୋନ ର ବ୍ଯବହାର ନ ଜାଣିଲା ଯାଏଁ ମୁଁ ଶିଖେଇବି ବାବା”। 

ଦେବୀପ୍ରସାଦ ବାବୁ ଙ୍କ ଆଖିରେ ଲୁହ ଜକେଇ ଆସୁଥିଲା । 

ସମୟ ସିନା ବଦଳିଛି ହେଲେ ସେ ପାଇଥିବା ସଂସ୍କାର ଓ ଦେଇଥିବା ସଂସ୍କାର ଏବେ ବି ଅକ୍ଷୁର୍ଣ୍ଣ ଅଛି।



ପ୍ରଜ୍ଞା ପରିମିତା ନନ୍ଦ

ଗୌହାଟୀ, ଆସାମ ।

Post a Comment

0 Comments