ଦୁଃଖିନୀର ଦୈନ୍ୟ - ଉମେଶ ଚନ୍ଦ୍ର ପାତ୍ର


 ମୁଁ ଜାଣିଛି

ଦୁଃଖ ସବୁ ମୋ' କପାଳ ଲିଖନ

ମୋ ପାଇଁ 

ରାଜଧାନୀର ରାଜସଭାରେ

ଅହରହ ଯୋଜନା ଚାଲିଛି 

କାଗଜରେ ଆମ ଭାଗ୍ୟ ଲୁଚିଛି ।


ଭଙ୍ଗାଘରେ 

ସନ୍ତସନ୍ତିଆ ଚଟାଣରେ

ଗୋଟେ କଣରେ ଛେଳି ଦୁଇପଟ

ଦାଣ୍ଡ ଆଡକୁ

ବତା ଫ୍ରେମ୍ 

ପିଚୁଟିଣ ବାଡିଆ କବାଟ 

ଆଉ ଗୋଟେ କଣରେ

ମାଆ ମୋର 

ଗର୍ଭ ଯନ୍ତ୍ରଣାରେ ଛଟପଟ ।


ମା'କୁ ଚତୁର୍ଥ ଗର୍ଭର ଦାୟିତ୍ୱ ଦେଇ

ବାପା ମୋର ଦାଦନ ଯାଇଛି

ସାନ ଭାଇଭଉଣୀ ଦିଇଟା

ମୋ କାଖରେ ପରା

ତାଙ୍କ ଭବିଷ୍ୟତ ସୁରକ୍ଷା ସାଇତା

ଅଙ୍ଗନବାଡ଼ିରୁ ମୋ ପାଠରେ ଡୋରି

ରନ୍ଧା ପାଇଁ କାଠଗୋଛା ମୁଣ୍ଡେ ଧରି

ଘରକୁ ଯାଉଛି

ସାନ ଭଉଣୀକୁ

ଛେଳି ଦୁଇଟା ଜଗାଇ ଆସିଛି ।


ମା' କହେ

ମୋତେ ଏବେ ଦଶ ପୂରିଲା

ସାନ ଭାଇଭଉଣୀଙ୍କୁ

ରାନ୍ଧି ଖୁଆଇବା ବୟସ ଆସିଲା

ଆର ମାସେ ମା' ପୁଣି ମା' ହେବ

ମୁଁ ପଢିଲେ ଏସବୁ କିଏ ସମ୍ଭାଳିବ !


ମୋ ପାଇଁ ଜୀବନଟା ଏମିତି ,

ଲକ୍ଷ୍ୟହୀନା

ମୌନୀ ହତଭାଗୀ

ମୋ ପାଇଁ ନିଷ୍ଠୁର ନିୟତି ,

ମୁଁ ପୁଣି

ପାଠପଢ଼ା  

ଘୋଡ଼ାଚଢା 

ଆକାଶରେ ଉଡ଼ା .....

ଏତେ ସବୁ ସ୍ୱପ୍ନ ଦେଖିବି କେମିତି ?


ମୁଁ ପକ୍କାଘର ଦେଖେ

ବେଳେ ବେଳେ 

ମା' କାମ କରୁଥିବା

ବାବୁମା'ଙ୍କ 

ମାର୍ବଲ ଚଟାଣକୁ ପୋଛେ,

ବାସନ ବି ମାଜେ

ନିର୍ବିକାରେ ମାଲିକାଣୀ ହାତ ଟେକା

ବଳକା ବାସି ରୁଟି କେଇପଟ ଇଚ୍ଛେ ।


ସରକାରୀ ଯୋଜନାର

ଯୋଗ୍ୟ ହିତାଧିକାରୀଟେ                                            

 ମୋ ଦାଦନିଆ ବାପାଟା ବି ନୁହେଁ,           

 ପ୍ରଶାସନ କହେ

ଆମ ଘର 

ଆମ ଜାଗା 

କାଳେ ଆମର ବି ନୁହେଁ !


ଆମ ଛପରରୁ ଏମିତି ପାଣି ଗଳୁଥାଉ

ଦେଶ ଓ ଜାତିର ବଢ଼ତି ନିତି ହେଉ

ମୁଁ ତ ଦୁଃଖିନୀଟେ,

ଯାତନାକୁ ରାହା କରି

ବଞ୍ଚିବା ଶିଖିଛି ,

ସବୁବେଳେ 

ଆଉ କାହା ଭାଗ୍ୟରେ

ଏତେ ଦୁଃଖ ନ ଦେବାକୁ

ପ୍ରଭୁଙ୍କୁ ଗୁହାରି କରୁଛି ।


       -------- ୦୦୦୦୦ --------

     ଉମେଶ ଚନ୍ଦ୍ର ପାତ୍ର ( ଥକାମନ )

    ବି/୨୩ , ଇବ୍ କ୍ଷେତ୍ର

     ବ୍ରଜରାଜନଗର , ଝାରସୁଗୁଡ଼ା

     ମୋ -- ୯୮୫୩୫୮୯୪୩୨

Post a Comment

0 Comments