କାଶତଣ୍ଡୀ - ରତିନାରାୟଣ ରାଉତ


 ମରତେ ଶରତେ    କାଶତଣ୍ଡୀ ହସେ

      ନଇପଠା ରାସ୍ତା ଘାଟେ

ଆଶ୍ଵିନ ପ୍ରବେଶେ  ନିର୍ମଳ ଆକାଶେ

      ଧରାରେ ସୁଷମା ଛୁଟେ ॥

ସୂଚନା ଦିଏ ସେ     ମାଆ ଆସୁଛନ୍ତି

     ଶାନ୍ତ କାନ୍ତ ପରିବେଶେ

ସଜେଇ ହୁଅଇ    ଏ ଧରଣୀ ରାଣୀ

   ପାର୍ବଣର ସେ ପରଶେ ॥

ସୌନ୍ଦର୍ଯ୍ୟ ପ୍ରତୀକ   କାଶତଣ୍ଡୀ ଅଟେ

         ପ୍ରକୃତିର ଅବଦାନେ

ସୁଲୁସୁଲୁ ବାଆ       ଚାମର ହଲାଏ 

          ମାଆଙ୍କର  ଆଗମନେ  ॥

ରେଖାପଞ୍ଚମୀରେ  କାଶତଣ୍ଡୀ ବେଲୀ

         ବାନ୍ଧି କବାଟେ ପୂଜନ୍ତି

ପ୍ରକୃତିର ଯେତେ   ସଜୀବ ନିଜୀବେ

        ସଂସ୍କୃତି ହିତେ ଥାଆନ୍ତି ॥

ଶୁଭ୍ର ରଙ୍ଗ ତାର   ସନ୍ଦେଶ ଦିଅଇ

       ସ୍ଵଚ୍ଛ କର ହୃଦୟକୁ

ଗନ୍ଧ ନଥିଲେ ବି   ସ୍ଵଳ୍ପକାଳ ରହି

      ଆନନ୍ଦ ଦିଏ ସଭିଙ୍କୁ ॥

ହେ ଶ୍ରେଷ୍ଠ ମାନବ   ମହାନ କରମେ

      ଜଗତ କଲ୍ୟାଣେ ଭାବ

ତେବେ ତାହାପରି   ସ୍ମୃତିହୋଇ ତୁମେ

          ସବୁଦିନ ରହିଥିବ ।।

**********

ରତିନାରାୟଣ ରାଉତ

ହରିଚନ୍ଦନପୁର ,କେନ୍ଦୁଝର,ଓଡିଶା 

Post a Comment

0 Comments