ତୋଳି ନେଲ ତୁମେ
ଅନୁରାଗ ଭରି
ନରଖି ତିଳେହିଁ ବାଦ,
ଯେବେ କୁଆଁକୁଆଁ
ଶବଦ କରି ମୁଁ
ମରତେ ରଖିଲି ପାଦ।୧।
ଭାବନାକୁ ବ୍ୟକ୍ତ
କରିଲି ସର୍ବତ୍ର
ପ୍ରୀତିଶବ୍ଦ ମଳୟରେ,
ତୁମ ବାଡ଼ିଧରି
ସଳଖି ଚାଲିଲି
ବଡ ହେଲି ସଂସାରରେ।୨।
ବନ୍ଧୁ ବନ୍ଧୁତ୍ୱର
ଅମୃତ ବାସନା
ସାଉଁଟିଲି ସଂସାରରେ,
ସବୁ ହୃଦୟକୁ
ପହଁଚି ପାରିଲି
ତୁମ ପ୍ରୀତିନଉକାରେ।୩।
ବନ୍ଦୀ ଜୀବନ ମୋ
ମୁକତି ଲଭିଲା
ବାର ଖୁସି ଭରି ଚିତ୍ତେ,
ତୁମ ପ୍ରୀତି ସ୍ୟାହି
ତୋଳି ଲେଖନୀରେ
ଲେଖିଲି ଆଲେଖ୍ୟ ଯେତେ ।୪ ।
ପ୍ରେମିକା ପ୍ରାଣରେ
ଜଗାଇଲ ଜାଗା
ଶବଦ ଟେକି ମୋହାତେ,
ବିରହୀ ମନରେ
ପ୍ରଣୟ ଭରିକି
ପ୍ରେମିକ କରିଲ ମୋତେ।୫।
ବୟସେ ବୈରାଗ୍ୟ
ଅରପିଲ ମତେ
ଦେଖାଇଲ ନୂଆ ଦିଶା,
ତୁମେ ପରା ମୋର
ଗୀତା, ରାମାୟଣ
ଜିଇଁବାର ପରିଭାଷା।୬।
ନୀରବେ ଗୌରବେ
ହୃଦୟ ସରବେ
ମନବୋଧ ଚଉତିଶା,
ଭାବରେ ଅମୃତ
ଭାବନାରେ ତୃପ୍ତ
ତୁମେ ଆମ ମାତୃଭାଷା।୭।
ମାତୃଭାଷା ତୁମେ
ହୃଦୟ ସ୍ପନ୍ଦନ
ତୁମବିନା ନାହିଁ ପ୍ରାଣ,
ତୁମେ ସ୍ନେହପ୍ରୀତି
ଅଭାବରେ ଆମେ
ଜଣେ ଜଣେ ଜଡ ଜାଣ।୮।
ଆସ ସର୍ବେମିଶି
ଏଠି ଅହର୍ନିଶ
ପରାଣେ କରିବା ପଣ,
ମାତୃଭାଷା ପ୍ରୀତି
ଜଗାଇ ଜଗତେ
ରଖିବା ତାହାରି ଟାଣ।୯।
ସୁଜିତ କୁମାର ମିଶ୍ର
ସହ ସମ୍ପାଦକ :ପ୍ରୀତି ପ୍ରଣତି
ଜନାର୍ଦ୍ଧନପୁର ଶାସନ
ମୋ : 7683867742


0 Comments