ସମୟ....ମୋ ଗାଁ ରେ


ଉଜାଣି ଭାବନା କେଜାଣି କାହିଁକି
ସଜନୀ ମୋ ମନେ ଆସେ
କାଗଜ ଫୁଲର କୋମଳ ରଙ୍ଗରେ
ମୋ ବୋଉର ମୁହଁ ଦିଶେ।।

ମଧୁମାଳତୀର ମଧୁର ଛବିରେ
ଲୁଚିଛି ମୋ ପିଲାଦିନ,
ଅସ୍ତମିତ ସୂର୍ଯ୍ୟ ଅଶ୍ରୁ ମୋଚନେ
ଭିଜିଯାଏ ମୋ, କଲମ।।

ମୋ, ଘର ପାହାଚ ଅନୁଶାସନର
ଅନବଦ୍ଯ ବାର୍ତ୍ତାବହ,
ଏ ପୋଖରୀ ଜଳେ ଡୁବିଯାଇଛି
ମୋ' ଶୈଶବ ହସଲୁହ।।

ସେ ଦିନର ସେଇ ପାଳଭୂତ ପୁଣି
ଆଜି ବି ଜଗୁଛି କ୍ଷେତ,
ସଜ ତୋଳା ଭେଣ୍ଡି,ପରିବା ପତରେ
ଗାଁ ବାଟ ଲାଗେ ହାଟ ।।

ହଜିନି ମନରୁ ଡାହା ଖରାବେଳେ
ଡାଳିମାଙ୍କୁଡିର ଡର,
ଠାକୁରାଣୀ ମା ସାହା ଭରସା ମୋ
ତାଙ୍କ ପଛରେ ମୋ, ଘର।।

ଦାଣ୍ଡ ପୋଖରୀରେ କଦଳୀ ଭେଳାର
ଢେଉକଟା କାତମରା,
ବୈଶାଖୀ ରାତିର ଆକାଶ ବୁକୁରେ
ଘଡିମରା ଜହ୍ନ ତାରା।।

ସବୁ ତ ଯାଇଛି ମନର ବେଳାରେ
ଛାଡିଦେଇ ପାଦଚିହ୍ନ,
ଲାଗୁଛି ସମୟ ଅଟକି ଯାଇଛି ମୋ
ଗାଁ ରେ କିଛି ଦିନ।।


ସସ୍ମିତା ଚୌଧୁରୀ 
ଭୁବନେଶ୍ବର

Post a Comment

0 Comments