ମୋ ମନ ତାକୁ ଦେଲି



ରୂପ ତା ସୁନ୍ଦର ମାର୍ଜିତ ବେଭାର
     ଯୌବନର ମାଦକତା
ମନେ ମନେ ତାକୁ ଭଲ ପାଇଗଲି
    କଳ୍ପନାରେ  କେତେ କଥା । ୧।
ଥରୁଟେ ଦେଖାରେ ମନ ବିକି ଦେଲି
     ଭାବନାରେ ହଜି ଗଲି
ସାରା ଦୁନିଆଟା ମିଠା ଲାଗେ ଆଜି
     ଭଲ ମନ୍ଦ ଭୁଲି ଗଲି   । ୨।
ମନେ ମନେ ହସେ କେତେ କଥା ଭାବେ
     ଆଖି ମୋର ନୀଳ କଇଁ
ସ୍ବପ୍ନ ରାଇଜରେ ହଜି ଯାଏ ମୁଁ ଯେ
     ପ୍ରିୟର ପଥକୁ ଚାହିଁ   । ୩।
ମୋ ହୃଦୟେ ତାର ନାମ ଲେଖି ଦେଲି
      ଖୁସିରେ ନାଚେ ମୋ ମନ
ଗାଁ ମାଇପୀଙ୍କ ଟୁପୁରୁ ଟାପୁରୁ
     ଡରରେ କଟୁଛି ଦିନ     । ୪।
ବାପା ମା ମୋର ଯଦି ଜାଣି ଦେବେ
     ଜଳି ଯିବି ମୁଁ ଲଜ୍ଜାର
କି ଉତ୍ତର ଦେବି ସେମାନଙ୍କୁ ପରା
     ଘୁରି ଯାଏ ମଥା ମୋର   । ୫।
ତଥାପି ସାହସ ମନରେ ବାନ୍ଧିଛି
      ଡରିବି ନାହିଁ କାହାକୁ
ସତ୍ୟ ଦିନେ ପରା ଉନ୍ମୋଚନ ହେବ
      ବୁଝାଇ ଦେବି ସଭିଙ୍କୁ    । ୬।
ସାଗର କୂଳରେ ବୁଲୁ ଥିଲା ବେଳେ
    ତା ନାମକୁ ଲେଖି ଦେଲି
ଶଲୀଳ ଢେଉରେ ସେତ ଧୋଇ ଗଲା
      ମନ ଦର୍ପଣେ ଲେଖିଲି     ।୭।
ଲାଜ ଶର୍ମ ସବୁ ଛାଡି ଗଲା ଦିନେ
      ତା ନାମକୁ କହି ଦେଲି
ନିନ୍ଦା ପ୍ରଶଂସାର ଉର୍ଦ୍ଦରେ ରହି ମୁଁ
     ମୋ ମନକୁ ତାକୁ ଦେଲି   ।୮।
             

   ବାସନ୍ତୀ ଲତା ଜେନା 
            ଶିକ୍ଷୟିତ୍ରୀ
 ଗାନ୍ଧିନଗର, ନବରଙ୍ଗପୁର,

Post a Comment

0 Comments