ମଡ଼ର୍ଣ୍ଣ ରୋଗୀ - ଦେବାଶିଷ ଚକ୍ରବର୍ତ୍ତୀ


              
ଇଂଗିରାଜି ପରୀକ୍ଷା ରେ ବାରବାର 
ଦେବାରୁ ଗଡ଼ମ ଗଡା଼ 
ଝାଳନାଳ ହୋଇ ଟପି ପାରିଲିନି 
ତେଣୁ ମେଟରିକ ଧଡ଼ା ।। 

ଖଣ୍ଡି ଇଂରାଜି ନକହିଲେ କିନ୍ତୁ 
ଲଗେ ଭାରି ଅନଇଜି 
କାମ ନଥାଇ ବି ଦେଖେଇ ହୁଏ ମୁଁ 
ସତେ  ଅବା ଫୁଲବିଜି।। 

ଜାମା ପଟା ଆଗେ କିଣୁଥିଲେ  ବାପା 
ପେଣ୍ଟ ସାର୍ଟ ଗଲେ ଚିରି 
ଏବେ ଚିରା ଜିନ୍ସ ନଆଣିଲେ କିଣି 
ଛାଡୁ ଅଛି ଭୀମ ରଡି ।। 

ମାଆ ମଙ୍ଗଳାଙ୍କୁ ମାଆ  ଦିଏ  ସିନା 
ମଙ୍ଗଳ ବାର ରେ ପଣା 
ନାଲି ପାଣି ଟୋପେ ନପଡ଼ିଲେ କିନ୍ତୁ 
ମୁଣ୍ଡ ମୋର ହୁଏ ଟିଣା।। 

ବେଳେବେଳେ ଦୁଇ ଦମ ଟାଣି ଦିଏ 
ସିଗ୍ରେଟ ରେ ଗାଞ୍ଜା ଭରି 
ଚରସ କି  ହେରୋଇନ ପାଇଗଲେ 
ମନ ମୋ ଉଠେ କୁରୁଳି।। 

ରୋଜଗାର କିଛି ନଥାଉ ପଛକେ 
ବାପାଙ୍କର ବେକ ମୋଡି 
ପୌରୁଷି ମୋର ଜାହିର କରୁଛି 
ଦାମୀ ମୋବଇଲ ଧରି।। 

ପୈଦଲ କିଂବା ସାଇକେଲେ  ମୋତେ 
ଦେଖିଛକି କେହି କେବେ
ବାଇକ ଚଢି ମୁଁ ଚକ୍କର ମାରେ 
ଇଚ୍ଛା ମୋର ହୁଏ ଯେବେ।। 

ଆଉ ଗୋଟେ କଥା ନିଶ୍ଚୟ ଦେଖିଚ 
ଗୋଟିଏ କାନରେ ନୋଳି  
ହେଆର କଟ ମୁଁ କରିଛି ମୋହର 
ହାର୍ଦିକ ପାଣ୍ଡିଆ ଭଳି।। 

ଗାର୍ଲସ ହଷ୍ଟେଲ ଓ଼ମେନ୍ସ କଲେଜ 
ଆଗରେ ମାରେ ମୁଁ ଖଟି 
ପରବାୟ ଜମା କରେନି ପଡିଲେ 
ପଡୁ ପଛେ ଗାଲେ ଚଟି।। 

ପାରିବଣି ନିଶ୍ଚେ ମୋତେ ତୁମେ 
ଅଟ ଯିଏ ଅନୁଭବୀ 
ଏଡ଼ସ ନୁହେଁ କି କ୍ୟାନ୍ସର ନୁହେଁ 
 ମୁଁ ଜଣେ ମଡର୍ଣ ରୋଗୀ।। 

ଦେବାଶିଷ ଚକ୍ରବର୍ତ୍ତୀ 
ମଣ୍ଡୁଆ,କେନ୍ଦୁଝରଗଡ଼

Post a Comment

0 Comments