ବେଦନା ସାଗର କୂଳ ଛୁଇଁ ବାରେ
ପୁଣି ଦେଖ ଲୋ ମୁଁ ଆସିଛି ଫେରି
କଅଁଳ କବିତା କୁସୁମରୁ କିଛି
ହୃଦୟ ଝୁଡ଼ିରେ ଯତନେ ଧରି।୧।
ବହୁ ଦିନ ଥିଲି କବର ଭିତରେ
ଅଭିମାନ ଭରେ ଗୋପନେ ଶୋଇ
କାହିଁକି କେଜାଣି କେଉଁ ଆଶା ନେଇ
ଆଜି ମୁଁ ଆଗ୍ରହେ ଉଠିଲି ଚେଇଁ। ୨।
ଜାଣେନା ବିଶ୍ୱ ମୋତେ କି ଯତନେ
ମାପଦଣ୍ଡେ ମାପି ସାଉଁଟି ନେବ
ହତାଦର କଲେ ଆଉଥରେ ପୁଣି
କବର ମୋ ସୁନା ଶେଯ ହୋଇବ।୩।
ଜୁଳୁଜୁଳୁ କୋଟି ତାରକା ଗହଳେ
ମୁଁ ଏକ ଛୋଟିଆ ଅଦେଖା ତାରା
ଦୀପ୍ତି ହୀନ ମୁଁ ଯେ କାହାର ନେତ୍ରରେ
କେବେ ମୋ ଲାଳିମା ନ ଦିଏ ଧରା। ୪।
ଲେଖୁ ,ଲେଖୁ କିଛି ଲେଖିଦିଏ ସିନା
ମଧୁ ହୀନ ଫୁଲ ସମାନ ସିଏ
ଭ୍ରମର ମୋହନ କାଳା କଉଶଳ
ମୋତେ ବତାଇବ କୁହ ଗୋ କିଏ। ୫।
ନ ଜାଣି ତକ୍ଷକ ହରଣ ବିଦ୍ୟା ମୁଁ
ଝାସ ଦେଲି କିବା ସର୍ପ କୂମ୍ଭ ରେ
ମନେ ମନେ ଭାବି ଫେରି ଯିବି କିବା
ପୁଣି ଥରେ ସେହି ମୋର କବରେ। ୬।
କେତେ ଯେ ସପନ ନିଦ୍ରା ରେ ମୋ ଘେନି
କବିତା ବଣରେ ପଶିଛି ଆଜି
ପଥ ନ ପାଇଲେ ସରସ ସରଳ
ଅଗମ୍ୟ କାନନେ ଯିବି କି ହଜି।୭।
କବର ଫଟାଇ ଆସିଅଛି ବୋଲି
ହତାଦର ମୋତେ କରିବ ନାହିଁ
କବି ମୁଁ ନୁହଇ କବିତା ଲେଖଇ
ନିଜ ମନ କଥା କହିବା ପାଇଁ ।୮।
ହୃଦୟ ର ବ୍ୟଥା କାହାକୁ କହିବି
କବି ଗଣ ସିନା ବୁଝନ୍ତି ତାହା
ସେଇ ମୋର ଆଶା ସରସୀ ରେ ବାରେ
ଭାସି ରହିଥାଉ ଦଦରା ନାଆ ।୯।
ରାମେଶ୍ବର ପ୍ରସାଦ ସାହୁ
କଳାହାଣ୍ଡି ଓଡ଼ିଶା


0 Comments