ମିଛ ସମ୍ପର୍କ - ନିବେଦିତା ମହାପାତ୍ର


ବାଲ୍ କୋନୀରେ ଠିଆ ହେଇ ଶ୍ରୀ ଦେଖୁଥିଲା ଅସ୍ତାଚଳ ଗାମୀ ସୂର୍ଯ୍ୟଙ୍କ ନୀଳ ଲୋହିତ ଆଭାକୁ ଓ ଅନୁଭବ କରୁଥିଲା ପକ୍ଷୀମାନଙ୍କ ଘର ବାହୁଡାର କିଚିରିମିଚିରି ଶଦ୍ଦରେ ଥିବା ସୁମଧୁର ସଂଗୀତର ମୂର୍ଚ୍ଛନାକୁ।ସତରେ କେତେ ମନୋରମ ସନ୍ଧ୍ୟା ସମୟରେ ପ୍ରାକୃତିର ଏ ସୌନ୍ଦର୍ଯ୍ୟ।ଥଣ୍ତା ପବନର ହାଲକା ସ୍ପର୍ଶ ତା' ମନକୁ ଖୁବ୍ ଉତ୍ଫୁଲ୍ଲିତ କଲାବେଳେ ହଠାତ୍ ଜୋର୍ ରେ କବାଟ ବାଡେଇ ହବାର ଶଦ୍ଦ ତା'କୁ ପ୍ରକୃତିସ୍ଥ କରିଦେଲା।ସେ ମୁହଁ ଫେରାଇ ଦେଖିଲା,ଦିୟାର ରାଗ ତମତମ ମୁହଁକୁ।ଏବେ ତ ଯାଇଥିଲା ତଳକୁ ଖୁସିରେ।କିଏ କ'ଣ କହିଲା କି ତାକୁ?ଏମିତି କିଛି ପ୍ରଶ୍ନ ନେଇ ସେ ଚାଲିଲା ଦିୟା ପାଖକୁ।
କ'ଣ ହେଲା,କିଏ କ'ଣ କହିଲା କି?ପଚାରିଲା ଶ୍ରୀ।ନା,ଅପା କିଛି ନାହିଁ।ଆଉ ତା' ହେଲେ କାହା ଉପରେ ରାଗୁଛୁ ଏତେ?ଦିୟା ଚାହିଁଲା ଶ୍ରୀ ର ମୁହଁକୁ।ତୁ ଜାଣିଛୁ ଅପା ଏ ଲୋକମାନେ ମୀରା ଦିଦି (ଶ୍ରୀ ର ପଡୋଶୀ) ଆଉ ଭାଇଙ୍କ ନାଁ ରେ କେତେ ମିଛ କହୁଛନ୍ତି।କ'ଣ କହୁଛନ୍ତି?ପଚାରିଲା ଶ୍ରୀ।ସେମାନେ କହୁଛନ୍ତି ତାଙ୍କ ଦୁଇଜଣଙ୍କ ସମ୍ପର୍କ କାଳେ ଗୋଟେ ମିଛ ସମ୍ପର୍କ।ଅପା ତୁ ସେଦିନ ତୋ କବିତାରେ ଲେଖି ନ ଥିଲୁ ନା,

"ବିଶ୍ବାସର ଆଦ୍ୟ ତପନ କିରଣେ

ଭରସାର ବାରି ଧାରାର ସ୍ପର୍ଶରେ

ମମତା ପ୍ରୀତିର ମଳୟ ପ୍ରବାହନେ

ପଲ୍ଲବିତ ହୁଅଇ ହୃଦୟ କନ୍ଦରେ

ଜଗତେ ଅମୂଲ୍ୟ ସେଇ ବୀଜଟି

ସଂପର୍କ ଅଟଇ ତା'ର ନାମଟି॥"


ଏବେ କହ ଯଦି ତାଙ୍କ ଭିତରେ ବିଶ୍ବାସ,ଭରସା,ଭଲ ପାଇବା ନ ଥିଲା ତେବେ ସଂପର୍କ ସୃଷ୍ଟି ହେଲା କେମିତି??ମିଛ ସମ୍ପର୍କ କ'ଣ ଅପା?ଦିୟାର ଏ ପ୍ରଶ୍ନର କି ଉତ୍ତର ଦେବ ଭାବି ପାରୁ ନଥିଲା ଶ୍ରୀ।ଟିକେ ରହି ସେ ତାକୁ ତାଗିଦ କରି କହିଲା,ତୁ ଛୋଟ ପିଲା ସେ ସବୁ କଥାରେ ମୁଣ୍ତ ନ ଦେଇ ପଢିବୁ ଯା'।ଦିୟା କିନ୍ତୁ ତା' ପ୍ରଶ୍ନର ଉତ୍ତର ପାଇଁ ଜିଦ୍ କଲା।ଶ୍ରୀ ବିରକ୍ତ ହେଇ ନିଜ ରୁମ୍ କୁ ଚାଲିଗଲା;ହେଲେ ଏବେ ବି ତା' କାନରେ ଦିୟାର ପ୍ରଶ୍ନ ଗୁଞ୍ଜରିତ ହେଉଥିଲା।

ନିଜ ରୁମ୍ କୁ ଯାଇ ଥକା ମନରେ ସେ ଡ୍ରେସିଂ ଟେବୁଲ ପାଖରେ ପଡିଥିବା ଟୁଲ୍ ଉପରେ ବସି ପଡିଲା।ଧିରେ ଧିରେ ଆଖି ଉଠେଇ ଚାହିଁଲା ସାମନାରେ ଥିବା ଦର୍ପଣକୁ ଆଉ ଖୋଲିଲା ତା' ମଥାରେ ପଡିଥିବା ଏବଂ ଅଧା ମୁହଁକୁ ଘୋଡେଇ ରଖିଥିବା ଓଢଣୀକୁ।ଓଃ! କି ବିଭତ୍ସ ରୂପ।ଘୃଣାରେ ମୁହଁ ଫେରେଇ ନେଲା।ଆଖି ତା'ର ଛଳଛଳ ହେଇଗଲା।ସେହି ଅମାନିଆ ଲୁହ ଧାରରେ ଭାସି ଉଠିଲା ଅତୀତର କଳା ବାଦଲ ଘେରା ଅଧ୍ୟାୟ।
ଘରର ବଡ ଝିଅ ଓ ସୁନ୍ଦର ରୂପ ଦେଖି ସେଦିନ ଜେଜେବାପା ଭାରି ସ୍ନେହରେ ନାଁ ଦେଇଥିଲେ ଶ୍ରୀ।ସମସ୍ତଙ୍କ ସ୍ନେହ ମମତାର ଛାୟାରେ ଶଶୀକଳା ପରି ବଢୁଥିଲା ସେ।


ସ୍କୁଲ ପରେ ଅଧିକ ପଢିବା ପାଇଁ ଯେତେବେଳେ ସହରକୁ ଯିବାକୁ ଚାହିଁଲା ସେତେବେଳେ ତା' ମା'ଙ୍କ ମନରେ କେମିତି ଗୋଟିଏ ଭୟର ଅନ୍ଧାର ଛାଇଗଲା ଶ୍ରୀ ର ରୂପକୁ ନେଇ।ତା'ର ଏଇ ସୁନ୍ଦର ଚେହେରା ତା'କୁ ସହରରେ ଅସୁବିଧାରେ ପକେଇ ଦବନି ତ!
କୁହାଯାଏ ବେଳେବେଳେ ମନର ଚିନ୍ତା ସତ ହେଇ ଆମ ସାମନାରେ ପହଞ୍ଚି ଯାଏ।ସେମିତି ବି କିଛି ଘଟିଥିଲା ଶ୍ରୀ ଜୀବନରେ।ଦୁଇ ବର୍ଷ ସହରରେ ବେଶ ଖୁସିରେ କଟିଗଲା।ତା' ହସ ଓ ପିଲାଳିଆମିରେ ସେ ସମସ୍ତଙ୍କୁ କମ୍ ସମୟରେ ପୁରା ନିଜର କରି ନେଇଥିଲା।ଏଇ ଭିତରେ ତା' କ୍ଲାସର ଗୋଟିଏ ପିଲା ଶ୍ରୀକାନ୍ତ ତା'କୁ ଭଲ ପାଇ ବସିଲା;ହେଲେ ସେ କଥା ଶ୍ରୀ କୁ ଜଣା ନଥିଲା।
( ପ୍ରୀତି ପ୍ରଣତି ସୃଜନର ଅନ୍ତଃସ୍ୱର ) 


ଶ୍ରୀକାନ୍ତ ବହୁତ ଥର ଚେଷ୍ଟା କରିଛି କହିବ ବୋଲି ହେଲେ ସୁଯୋଗ ପାଇନି।ଶେଷରେ ଦିନେ ସାହାସ କରି କହିଛି ଶ୍ରୀ କୁ ତାର ମନର କଥା।ଶ୍ରୀ କୁ କିନ୍ତୁ ଏ ସବୁ ପସନ୍ଦ ନଥିଲା ତେଣୁ ସେ ସିଧା ସିଧା ପ୍ରତ୍ୟାଖାନ କରିଦେଲା ଶ୍ରୀକାନ୍ତର ପ୍ରସ୍ତାବକୁ।ଯାହା ଭାଙ୍ଗି ଦେଇଥିଲା ଶ୍ରୀକାନ୍ତର ହୃଦୟକୁ।ସବୁ କିଛି ଠିକ୍ ଠାକ୍ ଚାଲୁଥିଲା ଶ୍ରୀ ଜୀବନରେ;ହେଲେ ଶ୍ରୀକାନ୍ତ!ସେ ଖୁବ୍ ଅପମାନିତ ବୋଧ କରୁଥିଲା ଶ୍ରୀକୁ ଦେଖିଲେ।ଅନ୍ୟମାନଙ୍କ ସହ ଶ୍ରୀ ର ମିଳାମିଶା ସତେ ଯେମିତି ତା ଅନ୍ତର ଆତ୍ମାକୁ କ୍ଷତ ବିକ୍ଷତ କରି ଦେଉଥିଲା।
ସବୁଦିନ ସମାନ ଯାଏନି।ପୁଣି ଥରେ ନିଜ ମନ କଥା ବୁଝାଇବା ପାଇଁ ଚେଷ୍ଟା କଲା ଶ୍ରୀକାନ୍ତ ଶ୍ରୀକୁ।କିନ୍ତୁ ଏଥର ରାଗି ଯାଇ ଶ୍ରୀ ଚଟକଣି ଟିଏ ମାରିଲା ଶ୍ରୀକାନ୍ତକୁ ସମସ୍ତଙ୍କ ଆଗରେ।ଯାହା ଖୁବ୍ ବାଧିଲା ତା'କୁ।ଏହାର ପ୍ରତିଶୋଧ ନେବା ପାଇଁ ସେ ଅପେକ୍ଷା କଲା ସୁଯୋଗକୁ।


ସେଦିନ ସନ୍ଧ୍ୟାରେ ସାଙ୍ଗ ଘରୁ ଫେରିଵା ବାଟରେ ଏକୁଟିଆ ପାଇ ଶ୍ରୀକାନ୍ତ ଶ୍ରୀ ସହ କଥା ହବାକୁ ଚେଷ୍ଟା କଲା।କିନ୍ତୁ କିଛି କଥା ହବନି କହି ମୁହଁ ବୁଲେଇ ଚାଲିଗଲା ଶ୍ରୀ।ଏଥିରେ ଖୁବ୍ ଉତ୍କ୍ଷିପ୍ତ ହୋଇ ପଡିଲା ଶ୍ରୀକାନ୍ତ।କେହି କିଛି ଭାବିବା ଆଗରୁ ହଠାତ୍ ପକେଟରୁ କାଢିଲା ଛୋଟ ଶିଶିଟିଏ।ଆଉ ପଛପଟୁ ଡାକି ତା' ମୁହଁକୁ ଫୋପାଡି ଦେଲା ସେଥିରେ ପାଣି ଭଳି ଥିବା କିଛି ତରଳ ପଦାର୍ଥ।ଆର୍ତ୍ତ ଚିତ୍କାର କରି ତଳେ ପଡିଗଲା ଶ୍ରୀ।ଓଃ!କି ଯନ୍ତ୍ରଣା।ମୁହଁଟା ସାରା ଜଳିଯାଉଥିଲା।କିଛି ସମୟ ଛଟପଟ ହେବା ପରେ ନିସ୍ତେଜ ହେଇଗଲା ତା' ଚଞ୍ଚଳ ଶରୀରଟା।ତା ପରେ କ'ଣ ସବୁ ଘଟିଲା କିଛି ବି ଜାଣି ନଥିଲା ସେ।
ଯେତେବେଳେ ହୋସ୍ ଆସିଲା ହସ୍ପିଟାଲ ବେଡ୍ ରେ ନିଜକୁ ଆବିଷ୍କାର କଲା ଶ୍ରୀ।ସେତେବେଳକୁ ଯେ ତିନି ଦିନ ବିତି ଗଲାଣି ସେ କଥା ଜାଣି ନଥିଲା ଶ୍ରୀ।ସେ ଧିରେ ଧିରେ ଆଖି ଖୋଲିବାକୁ ଚେଷ୍ଟା କରି ଦେଖିଲା କିଛି ଅସ୍ପଷ୍ଟ ଓ ପରିଚିତ ମୁହଁ,ଯାହା ଥିଲା ତା' ପରିବାର ଲୋକଙ୍କର।ପ୍ରାୟ ମାସେ ପରେ ଟିକେ ସୁସ୍ଥ ହେଲା ଶ୍ରୀ;ହେଲେ ସେତେବେଳକୁ ପୁରା ବଦଳି ଯାଇଥିଲା ତା' ଦୁନିଆଁ।ନିଜ ମୁହଁକୁ ଟିକେ ବି ଦେଖିବାକୁ ଇଚ୍ଛା ନଥିଲା ତା'ର।କାରଣ ସେଦିନ ଶ୍ରୀକାନ୍ତ ବୋତଲରୁ ତା ଉପରକୁ ପକେଇଥିବା ପାଣି ଥିଲା ଏସିଡ୍।ସେହି ଏସିଡ୍ ଶ୍ରୀ ର ସୁନ୍ଦର ମୁହଁର ଅର୍ଦ୍ଧେକ ଅଂଶକୁ ପୁରା ନଷ୍ଟ କରିଦେଇଥିଲା।


ଆଜି ବି ସେଦିନର କଥା ମନେ ପଡିଲେ ଦେହ ମନ ଭୟରେ ଶିହରି ଉଠେ।ଶ୍ରୀ ତା' ସୌନ୍ଦର୍ଯ୍ୟ ହରେଇ ବି ପ୍ରତିଶୋଧ ନେଇନି ଶ୍ରୀକାନ୍ତ ଉପରେ।କାରଣ ସେ ଜାଣିଛି ତା' ରୂପ ଆଉ ଫେରିବନି।ଅଯଥା ଲୋକହସା ହୋଇ ଲାଭ ବା କ'ଣ?ତଥାପି ସେ ସବୁବେଳେ ପ୍ରଶ୍ନ କରେ ନିଜକୁ ଶ୍ରୀକାନ୍ତ କ'ଣ ସତରେ ତାକୁ ଭଲ ପାଉଥିଲା।ନା ଭଲ ପାଇବା ବାହାନରେ ତା'ର ଆଉ କିଛି ଉଦ୍ଦେଶ୍ୟ ଥିଲା।
ଏ ସମ୍ପର୍କ କଣ ମିଛର ସମ୍ପର୍କ ନୁହଁକି?ଯୋଉଠି ଭଲ ପାଇବା ନାଁ ରେ ଥାଏ ଖାଲି ଛଳନା,ପ୍ରତାରଣା,ଆଉ ଦେହର ଭୋକ।ହେଲେ କିଏ ବା ଅଛି ଯିଏ ଦେଇ ପାରିବ ୟାର ଉତ୍ତର।


ସମୟ କେତେବେଳୁ ଗଡି ଗଲାଣି।ଦିୟା ଆସି ଡାକୁଛି,"ଅପା ଖାଇବୁ ଆ।ତତେ କଣ ଶୁଭୁନି କି?ବୋଉ ପରା କେତେବେଳୁ ଡାକୁଛି।"ଅତୀତର ଅନ୍ଧାର କୋଠରୀରୁ ଫେରି ଆସିଲା ଶ୍ରୀ ବର୍ତ୍ତମାନକୁ।
ହଁ,ଯାଉଛି କହି ଦୀର୍ଘ ନିଶ୍ବାସ ଛାଡିଲା।ଆଖିରୁ ଲୁହ ପୋଛି ପୁଣି ଥରେ କଳଙ୍କିତ ସ୍ମୃତି ସବୁକୁ ଫରୁଆରେ ବନ୍ଦ କରିଦେଇ ଶାନ୍ତ ମନରେ କବାଟ ଖୋଲି ବାହାରକୁ ଆସିଲା॥

                     °°°°°°ସମାପ୍ତ°°°°°°°°°



ନିବେଦିତା ମହାପାତ୍ର 
ମୁକୁନ୍ଦ ମିଶ୍ର ନଗର,ଗୋପିନାଥପୁର,ପୁରୀ

Post a Comment

0 Comments