ନିର୍ବାଣ - ଗୀତାଞ୍ଜଳି ମହାରଣା


"ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ପଦୁଁ ଗଳୁଛି ମକରନ୍ଦ
ହା କୃଷ୍ଣ ବୋଲି ଯାଉ ଜୀବ
ମତେ ଉଦ୍ଧାର ବାସୁଦେବ"


ପବିତ୍ର ଭାଗବତର ଅମୃତ ଉଚ୍ଚାରଣରେ ପ୍ରଭାତର ବାଳଭାନୁକୁ ସ୍ବାଗତ ଜଣାଏ ସୁବର୍ଣ୍ଣପୁର ଗାଁ। ଶଙ୍ଖନାଦ ହୁଳହୁଳି ବେଦମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଉଠେ ଜଳ ସ୍ଥଳ ଆକାଶ। ରାତିର ଚାଦର ଭିତରୁ ଉଠିପଡନ୍ତି କୀଟ ଠୁ ବ୍ରହ୍ମ ସମସ୍ତେ। ତରୁଗଣ ପଲ୍ଲବୀ ଉଠନ୍ତି। କଳିକାମାନ ପୁଷ୍ପରେ ରୂପାନ୍ତରିତ ହୋଇଯାନ୍ତି।ପକ୍ଷୀର କାକଳୀରେ ବନଭୂମି କମ୍ପିଉଠେ।ଆକାଶରୁ ଲୋହିତ ଆଭା ଧିରେ ଧିରେ ଫିକା ହୋଇଆସେ। ଏହା କେଉଁ ମନ୍ଦିର ବା ମଠ ର ପ୍ରାତଃଆଳତି ନୁହେଁ କି ବ୍ରାହ୍ମଣ ନନାଙ୍କର ମୁଖସୃତ ମନ୍ତ୍ରପାଠ ନୁହେଁ। ଇଏ ହେଉଛି ଏଇ ଗାଁର ଠାକୁମାଙ୍କର ସକାଳ ଦିଅଁ ପୂଜା। ସମସ୍ତଙ୍କର ସକାଳ ଆରମ୍ଭ ହୁଏ ଏଇ ଠାକୁମାଙ୍କର ଭଜନ ଜଣାଣରୁ।

             ଏଇ ଠାକୁମା ଙ୍କର ଭଲ ନାଁ ସୁଭଦ୍ରା ରଥ। ଗାଁରେ ସମସ୍ତଙ୍କଠୁ ବୟସ୍କା ବୋଲି ସମସ୍ତେ ଠାକୁମା ବୋଲି ଡାକନ୍ତି। ବୟସ ପାଖାପାଖି ସତୁରୀହେବ। କେତେଖଣ୍ତ ହାଡ ଉପରେ ଗହମରଙ୍ଗର ଚର୍ମର ଆସ୍ତରଣ। ଆଖି ଛୋଟ,ପାକୁଆ ପାଟି,ଅଣ୍ଟା ବି ନଇଁଗଲାଣି। ବୟସର କ୍ଲାନ୍ତ ଅପରାହ୍ଣରେ ବି ଥକିନାହାନ୍ତି କି ହାରିଯାଇନାହାନ୍ତି ବରଂ ବୟସ ହାରିଯାଇଛି ତାଙ୍କପାଖେ। ଆଜି ମଧ୍ୟ ତେଜସ୍ବିନୀ ମୁଖମଣ୍ତଳ ଚଞ୍ଚଳ ପାଦ କର୍ତ୍ତବ୍ୟନିଷ୍ଠ ହାତ ପ୍ରେମପୂର୍ଣ୍ଣ ଭାଷା ସ୍ନେହାତୁର ମନ ଆଉ ଆବେଗଭରା ହୃଦୟ...ସବୁ ସେମିତି ଯାହା ସେ ଏ ଗାଁକୁ ବୋହୂହୋଇ ଆସିବାବେଳେ ଥିଲା। ସମସ୍ତେ ତାଙ୍କୁ ସମ୍ମାନ କରୁଥିଲେ।
               ଯେତେବେଳେ ଅବିନାଶ ରଥଙ୍କର ହାତଧରି ସେ ଏ ଗାଁକୁ ଆସିଲେ ସ୍ନେହ ପ୍ରେମର ରଜ୍ଜୁରେ ସାରା ଗାଁକୁ ବାନ୍ଧିଦେଇଥିଲେ ତାଙ୍କ ପଣତକାନିରେ। ଆଖପାଖ ଗାଁ ସାରା ମଧ୍ୟ ତାଙ୍କ ପ୍ରଶଂସା ବୁଣିହୋଇଗଲା। ହେଲେ ଗାଁରେ ବେଶୀଦିନ ରହିପାରିଲେନି।ସ୍ବାମୀଙ୍କସହ ଚାକିରୀକ୍ଷେତ୍ରକୁ ଚାଲିଗଲେ।ମନକିନ୍ତୁ ଗାଁ ଘରେ ପୂଜାପାଉଥିବା ଚତୁର୍ଦ୍ଧାମୂର୍ତ୍ତି ପାଖରେ ହଜେଇଦେଇ ଗଲେ।ଛୁଟି ମିଳିବା ମାତ୍ରେ ପାଗେଳୀପରି ଧାଇଁ ଆସୁଥିଲେ ଗାଁ ମାଟିକୁ। ସତେକି ଏମାଟିର ବାସ୍ନା ଚୁମ୍ବକ ପରି ଟାଣିଆଣୁଥିଲା। ହସଖୁସିରେ  ସୁନାର ସଂସାର ରଥ ଗଡିଚାଲିଥିଲା। କୋଉଁଥିରେ ଅବଶୋଷ ନଥିଲା କି ଅନୁଶୋଚନା ନଥିଲା। ସ୍ବାମୀ ତାଙ୍କୁ ବହୁତ ଭଲ ପାଉଥିଲେ। ସେମାନଙ୍କ ସଂପର୍କ ଥିଲା ଲକ୍ଷ୍ମୀନାରାୟଣଙ୍କ ପରି। ଭଗବାନଙ୍କ କୃପାରୁ ଗୋଟିଏ ପୁଅ ଓ ଝିଅର ଜନନୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେମାନେ ଏବେ ବିବାହ କରି ନିଜ ସନ୍ତାନମାନଙ୍କ ସହ ବାହାରେ  ଖୁସିରେ ରହୁଛନ୍ତି। ଠାକୁମା ବି ଠାକୁଜେଜେ ଥିବାବେଳେ ସେଠି ରହୁଥିଲେ। ଜେଜେଙ୍କ ମୃତ୍ୟୁପରେ ଜିଦି କରି ଆସି ଏଠି ଏକଲା ରହୁଛନ୍ତି। ପୁଅବୋହୂ ଝିଅଜ୍ବାଇଁ ଅନେକଥର ନେବାକୁ ଆସିଲେଣି ହେଲେ ସେ କାଳିଆକୁ ଛାଡି କୁଆଡେ ଯିବେନି ବୋଲି ମନାକରିଦେଇଛନ୍ତି। ଜେଜେ ଗଲାପରେ ଏଇ କାଳିଆ ହିଁ ତାଙ୍କ ପାଇଁ ସବୁକିଛି।
( ପ୍ରୀତି ପ୍ରଣତି ସୃଜନର ଅନ୍ତଃସ୍ୱର ) 


                     ଏଇ କାଳିଆ ଉପରେ ଗୋଟେ ମଜାଦାର କଥା।ବଲାଙ୍ଗିରରେ ଥିଲାବେଳେ ଠାକୁମାଙ୍କର ବହୁତ ଇଚ୍ଛାହେଲା ପୁରୀ ଯାଇ ରଥଚଢି କାଳିଆକୁ ଦର୍ଶନ କରିବା ପାଇଁ। ମନକଥା ସ୍ବାମୀଙ୍କ ଆଗରେ ପ୍ରକାଶକରନ୍ତେ ଠାକୁଜେଜେ ଠୋ ଠୋ ହୋଇ ହସିଉଠିଲେ ।ଠାକୁମା ହସିବାର କାରଣ କ'ଣ ପଚାରିବାରୁ ସେ କହିଲେ 'ହଇଓ! ସାରା ଜୀବନ ରଥ ସାଙ୍ଗରେ ରହିଲ ,ରଥ ସାଙ୍ଗରେ ବୁଲିଲ ଶେଷରେ ନିଜେବି ରଥ ହୋଇଗଲ ସୁଭଦ୍ରା ରଥ,ପୁଣୀ ରଥଚଢାରେ ମନ'...ଭାରି ମଜାଳିଆ ଲୋକ ଥିଲେ ଠାକୁଜେଜେ..
ସିନ୍ଦୂରା ଫାଟିବା ଆଗରୁ ଉଠି ନିତ୍ୟକର୍ମ ସାରି ଫୁଲତୋଳି ମାଳ ତିଆରି କରି ବସିପଡନ୍ତି ପୂଜାରେ ଠାକୁମା । ଗୀତା ଭାଗବତ ପୁରାଣ ତାଙ୍କର ମୁଖସ୍ଥ।ସେ ଶଙ୍ଖଫୁଙ୍କିଲେ ଚତୁର୍ଦ୍ଧିଗ ପ୍ରକମ୍ଫିତ ହୋଇଯାଏ। ଶୀତ ସକାଳରେ ତାଙ୍କ ହାତ ତିଆରି ହବିଷ ଖାଇବା ପାଇଁ ପିଲାଠୁ ବୁଢା ସମସ୍ତେ ଲୋଭ କରନ୍ତି। ତାଙ୍କହାତରନ୍ଧା ଖାଦ୍ୟର ମହକ ଅବଢାର ଭ୍ରମ ସୃଷ୍ଟି କରେ। ଘରକୁ କେହି ଆସିଲେ ନଖୁଆଇ କାହାରିକୁ ବିଦା କରନ୍ତିନି। ଚଢେଇମାନଙ୍କ ସହ କେତେ କଥା କୁହନ୍ତି,ଫୁଲ ସହ ଗୀତ ଗାନ୍ତି ଆଉ ରାତି ହେଲେ ତାରକା ମେଳରେ ଖୋଜିବୁଲନ୍ତି ତାଙ୍କ ହଜିଲା ଅତୀତ ସବୁକୁ।

       ଏବେ କିନ୍ତୁ କାଳିଆ ଉପରେ ତାଙ୍କର ଭାରି ଅଭିମାନ।ସେ ତ ସବୁ ଖୁସୀ ତା ଉପରେ ଅଜାଡିାଦେଇଛନ୍ତି। ଆଉ ପୁଣି କ'ଣ ବାକି ରହିଲା ଯେ ନିଜ ପାଖକୁ ନେଉନାହାନ୍ତି।ଅଣ୍ଟା ନଇଁ ଗଲାଣି ଆଖିକୁ ଦିଶୁନି....ବାସ୍ ଗୋଟିଏ ଗୁହାରୀ ସେ ଛନ୍ଦା ଚରଣରେ ଶରଣ...
ଆଜି ସକାଳ। ଠାକୁମା ସେମିତି ଭାଗବତ ପଢୁଥାନ୍ତି।ହଠାତ୍ ହା କୄଷ୍ଣ କହି ପଡିଗଲେ ତଳେ। ଚତୁର୍ଦ୍ଦିଗ ନିସ୍ତବ୍ଦ ନିର୍ବାକ୍..ପବନ ବି ବହିବା ବନ୍ଦ କରିଦେଲା..ଫୁଲ ସବୁ ମଉଳିଗଲେ...ପକ୍ଷୀମାନେ କାନ୍ଦିଉଠିଲେ...ଗାଁ ସାରା ଶୋକର ଛାୟା ଖେଳିଗଲା । ସବୁ ଲୋକ ରୁଣ୍ତହୋଇଗଲେ ଦୁଆରେ। ହାତରେ ଭାଗବତ ବହି ତୁଣ୍ତରେ କୃଷ୍ଣନାମ ଆଖିଆଗରେ ଚତୁର୍ଦ୍ଧାମୂର୍ତ୍ତି....ସମସ୍ତେ କହୁଥାନ୍ତି ଠାକୁମା କାଳିଆ ପାଖକୁ ଚାଲିଗଲେ...ସେ ନିର୍ବାଣପ୍ରାପ୍ତି ହେଲେ...ତାଙ୍କ ଆତ୍ମା ପରଂବ୍ରହ୍ମରେ ଲୀନ ହୋଇଗଲା...କଥାରେ ଅଛି ହାତୀ ମଲେ ଲକ୍ଷେ ବଞ୍ଚିଲେ ଲକ୍ଷେ...ସେହିପରି ଠାକୁମା ସିନା ଏ ଦୁନିଆ ଛାଡି ଚାଲିଗଲା କିନ୍ତୁ ଏ ଗାଁରେ ତାଙ୍କର ସ୍ନେହ ମମତାର ଛାପ ଛାଡିଗଲେ......
                            °°°°°°ସମାପ୍ତ°°°°°
             
ଗୀତାଞ୍ଜଳି ମହାରଣା
ଗୁଣ୍ତିଚା ବିହାର,ପୁରୀ

Post a Comment

0 Comments