ଉପହାର ଦେବା ପାଇଁ - ସୁମନ୍ତ ବେହେରା


ତୁମପାଇଁ ସଖି ଜହ୍ନ ରାଇଜକୁ ,
    ଯାଇଥିଲି ଦିନେ ମୁହିଁ 
ଜହ୍ନ କୁ ଆଣିଣ ତୁମକୁ ପ୍ରିୟା ଗୋ ,
    ଉପହାର ଦେବା ପାଇଁ ।।

ତୁମ ନାମ ଶୁଣି ଚନ୍ଦ୍ରମା ହସିଲେ ,
    ଦେଲେଣି ମୋତେ ହେ ଧରା 
କହିଲେ ସେ ମୋତେ ତୋ ପ୍ରିୟା ର ମୁଖ ଟି ,
    ମୋ ଠାରୁ ସୁନ୍ଦର ପରା।। 

ସେଠାରୁ ଆସିକି ତାରା ଗଣ ପାଶେ ,
     ଅଟକି ଯେବେ ମୁଁ ଗଲି 
କିଛି ନ କହୁଣୁ ଆଗୁଆ କହିଲେ ,
    ଆମେ ନୁହଁ ଯୋଗ୍ୟ ବୋଲି ।।

ଉପବନେ ଗଲି କୁସୁମ ପାଖକୁ ,
     ଫୁଲ ଟିଏ ପାଇଁ ମୁହିଁ ।
ଗଛ ଡାଳେ ଥାଇ କୁସୁମ ହସିଲା ,
    ମୋ ପାଖେ ଆସିଲା ନାହିଁ ।। 

କହୁଥିଲା ସିଏ ତୁମରି ମହକ ,
     ତା ଠାରୁ ଅଧିକ ବୋଲି 
ମହୁ ଠାରୁ ବି ମଧୁର ଲାଗିବ ,
      ହସିଦେଲେ ତୁମେ ଖାଲି ।।

ଶେଷ ରେ ଆସିଲି ଶୂନ୍ୟ ହସ୍ତ ରେ ,
     ହୃଦୟେ ପ୍ରେମ କୁ ନେଇ 
ସେ ପ୍ରେମ ଟିକକ ତୁମକୁ ପ୍ରିୟା ଗୋ ,
    ଉପହାର ଦେବା ପାଇଁ ।।

ସୁମନ୍ତ ବେହେରା

Post a Comment

0 Comments