ମହାନ୍ତି ବାବୁ ଆଜି ବହୁତ ଖୁସି ।ଗାଁ ସାରା ସମସ୍ତଙ୍କୁ ମିଠା ବାଣ୍ଟୁଛନ୍ତି ।ସେ ଜାଣିଛନ୍ତି ଜଣେ ହାଇସ୍କୁଲ ପିଅନର ପୁଅ ଯଦି ବଡ଼ ଅଫିସର ଚାକିରୀ ପାଏ ତାହେଲେ ଏ ଦୁନିଆରେ ତାଠାରୁ ବଳି ଆଉ କିଛି ଖୁସି ନାହିଁ ।
ମହାନ୍ତିବାବୁ ଗାଁ ହାଇସ୍କୁଲ୍ ରେ ଜଣେ ସାଧାରଣ ପିଅନ ।ଦରମା ମାତ୍ର ୩ହଜାର ଟଙ୍କା ।ଆଜିକାଲି ଦୁନିଆରେ ୩ହଜାର ଟଙ୍କାରେ ଘର ଚଲେଇବା କେତେ କଷ୍ଟ ତାଙ୍କୁ ବେସ୍ ଜଣା ।ଗୋଟିଏ ପୁଅ ସୋମୁ ଓରଫ ସୋମନାଥ ମହାନ୍ତି ।ପିଲାବେଳୁ ନିଜ ମାଙ୍କୁ ଦେଖିନି ।ବାପା ହିଁ ସବୁକିଛି ।
ସେଇ ହାଇସ୍କୁଲ୍ ରେ ପାଠ ପଢେ ।ମାଟ୍ରିକ୍ ରେ ଫାସ୍କ୍ଳାସ୍ ପାସ କରେ ।ସ୍କୁଲର ଶିକ୍ଷକ ମାନେ ମହାନ୍ତି ବାବୁଙ୍କୁ ବହୁତ ଭଲ ପାଆନ୍ତି ।ତେଣୁ ସୋମୁର ପଢ଼ାରେ ତାକୁ ବହୁତ ସାହାଯ୍ୟ କରନ୍ତି ।
ମହାନ୍ତି ବାବୁ ହେଡ଼ସାରଙ୍କ ଘରେ ରୋଷେଇଠୁ ଆରମ୍ଭକରି ବଜାର ହାଟ ସବୁକିଛି କାମ କରନ୍ତି ।ଯାହା ଦି' ପଇସା ମିଳେ ସୋମୁର ପାଠପଢା ଡ୍ରେସ୍ ଖର୍ଚ୍ଚ ଇତ୍ୟାଦିରେ ସାରନ୍ତି ।ଛୋଟ ଘରଟିଏ ।ରାତିରେ ଜହ୍ନାଲୋକ ଚାଳ ଫାଙ୍କ ଦେଇ ଡାକେ ।ସେ ଯାହାବି ହଉ ସୋମୁର ମା ଦୁଃଖ ନଥାଏ ।ଦୁଃଖ କଣ କେବେ ଅନୁଭବ କରିନି ।
ମହାନ୍ତି ବାବୁ ବହୁତ କଷ୍ଟ କରି ପିଲାଟିକୁ ଛୋଟରୁ ବଡ଼ କରନ୍ତି ।ପାଠ ପଢ଼ାନ୍ତି ।କେବେ କେବେ ନିଜେ ନଖାଇ ଓପାସରେ ସୋଇପଡନ୍ତି ।କିନ୍ତୁ ସୋମୁ ତାଙ୍କ ଜୀବନ ।+୨ ଆଡ଼ମିଶନ କରିବା ପାଇଁ ପଇସା ନାହିଁ ।ବହୁ ନେହୁରା କରି ହେଡ୍ ସାର୍ ଙ୍କୁ କହି କିଛି ପଇସା ଧାର୍ କରି ତା ନାଁ ଲେଖାଇଦେଲେ ।ତାପରେ +3 ମଧ୍ୟ କଲା ।ଭଲ ପଢୁଥିବାରୁ ସମସ୍ତେ ବହୁତ ଗେଲ୍ହା କରନ୍ତି ।ତାପରେ ଭୁବନେଶ୍ୱର ଯିବ ପଢିବା ପାଇଁ ।ବହୁତ ପଇସା ଦରକାର ।ମହାନ୍ତି ବାବୁ ସବୁଦିନ ଚିନ୍ତା କରୁଥାନ୍ତି କେମିତି ପଠେଇବେ ଭୁବନେଶ୍ୱର ।ବହୁତ ଧାର ଋଣ କରିସାରିଲେଣି ।ଆଉ କାହାକୁ ମାଗିବେ ।କିନ୍ତୁ ମନେ ମନେ ଭାବୁଥାନ୍ତି "
ପୁଅ ଚାକିରୀ କଲେ ସବୁ ସୁଜିଦେବେ ।"
ଏମିତି ଦିନ ଗାଡିଚାଲେ ।+3 ପରୀକ୍ଷା ବେଳ ।ମହାନ୍ତି ବାବୁ ତାଙ୍କ ଇ.ପି.ଏଫ. ପଇସା ଯାହା ଥିଲା କାଢି ତା ପାଇଁ ଗୋଟିଏ ସାଇକଲ କିଣିଦେଲେ ।ସୋମୁ ବହୁତ ଖୁସିରେ ପରୀକ୍ଷା ଦେଲା ।ତାଙ୍କ ବ୍ଲକ୍ ରେ ପ୍ରଥମ ସ୍ଥାନ ଅଳଙ୍କୃତ କଲା ।
ରାସ୍ତାଘାଟ ସବୁଆଡେ ଚର୍ଚା
"ମହାନ୍ତି ବାବୁ ଭଳିଆ ଲୋକ ସଂସାରେ ନାହାନ୍ତି ।"
"ପିଲା ହବ ତ ସୋମୁ ପରି ।"
"ଯାହଉ ଆଜି ମହାନ୍ତିବାବୁ ତାଙ୍କର କଷ୍ଟକର୍ମ ଫଳ ପାଇଗଲେ ।ବିଚରା ବହୁତ ଭଲ ଲୋକ ।ଭଗବାନ ସବୁବେଳେ ଭଲଲୋକଙ୍କ ସାଥିରେ ।"
ଏଇମିତି କିଏ କେତେକଥା ।ମହାନ୍ତି ବାବୁ ଯେତେ ଖୁସି ସେତେ ଦୁଃଖୀ ।ପିଲାଟା ଏବେ ଭୁବନେଶ୍ୱର ଯିବ କେମିତି ? ଯେମିତି ସେମିତି +3 ପର୍ଯ୍ୟନ୍ତ ପାସ କରେଇଦେଲି ସିନା।ଯଦି ଆଗକୁ ନପଢ଼େ ସବୁ ବୃଥା !
"ଆଜୀବନ ତପସ୍ୟା ଶୁଖୁଆପୋଡ଼ାରେ ଯିବ !"
କଣ କରିବେ ରାତିସାରା ନିଦ ନାହିଁ , ଭୋକ ନାହିଁ ।
ସୋମୁ ଶୋଇଥାଏ ।ମହାନ୍ତି ବାବୁ ତା ମୁଣ୍ଡକୁ ଆଉଁସି ଆଉଁସି ଭାବୁଥାନ୍ତି ।ଶେଷରେ ଚିନ୍ତା କଲେ ଘରଡ଼ିହ ଟାକୁ ବିକିଦେବେ ।ଯାହା ପଇସା ମିଳିବ ସେଥିରେ ପୁଅକୁ ଭୁବନେଶ୍ୱର ପଠେଇବେ ।କିନ୍ତୁ ଭିଟାମାଟିର ମୋହ ସମସ୍ତଙ୍କୁ ଥାଏ।ଅନ୍ୟ କିଛି ଉପାୟ ବି ନଥାଏ ।
ସକାଳୁ ଗାଁର ଜଣେ ଜମିଦାରଙ୍କୁ ଯାଇ ଭିଟାମାଟି କାଗଜପତ୍ର ଦେଇ କିଛି ଟଙ୍କା ଆଣିଲେ ଓ ପୁଅକୁ ବୁଝେଇ ସୁଝେଇ ପଠେଇଦେଲେ ସହର ପଢିବାକୁ ।ମନରେ ବହୁତ ସ୍ୱପ୍ନ ।ବହୁତ ଆଶା ।ସୋମୁ ପଢିବ ଚାକିରୀ କରିବ ହାକିମ ହେବ ।
ଏଇମିତି ମାସ ପରେ ମାସ ବର୍ଷ ପରେ ବର୍ଷ ଚାଲିଗଲା ।ମହାନ୍ତିବାବୁ ହେଡ୍ ସାର୍ ଙ୍କ ଘରେ କେବେକେବେ ସ୍କୁଲରେ ବି ଶୋଇଯାନ୍ତି ।ଦିନେ ହେଡ୍ ସାର୍ ସକାଳୁ ଡାକ ଛାଡିଲେ ,
"ମହାନ୍ତି ବାବୁ ମହାନ୍ତି ବାବୁ ଜଲଦି ଆଶ ।ତମେ ତ ବଡ଼ ଲୋକ ହେଇଗଲ ହୋ !କି ଭାଗ୍ୟ ତମର କିଓ !ତମ ପୁଅ ଆଜି ଓ.ଏ.ଏସ. ଚାକିରୀ ପାଇଗଲା ।ମିଠା ଦିଅ ।"କହି କୁଣ୍ଢେଇ ପକେଇଲେ ।
ପୁଅ ତହସିଲଦାର ପୋଷ୍ଟ ରେ ଚାକିରୀ ପାଇଛି ।ସମସ୍ତଙ୍କୁ ମିଠା ବଣ୍ଟା ହେଲା।ଗାଁ ଲୋକ ବି ବହୁତ ଖୁସି ।
କିନ୍ତୁ ସୋମୁ ଆସିଲା ନାହିଁ ଗାଁକୁ ।ମହାନ୍ତି ବାବୁ ଜଗିଛନ୍ତି ଜଲଦି ଆସିଲେ ଭିଟାମାଟି ଟା ମୁକୁଳେଇବେ ।ସବୁ କରଜ ସୁଝିବେ ।ଦିନ ପରେ ଦିନ ବର୍ଷ ପରେ ବର୍ଷ ଗଡିଗଲା ।ସୋମୁର ଦେଖା ମିଳିଲାନି ।ଯେତେ ଚିଠି ଦେଲେ ଉତ୍ତର ନାହିଁ ।
କେହି କେହି କହନ୍ତି ସୋମନାଥ ବାବୁ ଜଣେ ସହରୀ ସୁନ୍ଦରୀଙ୍କୁ ବାହା ହେଇଗଲେଣି ।ଆହୁତ ବଡ଼ ଘରେ ରହନ୍ତି ।ବଡ଼ ଗାଡି ।ଗୋଟିଏ ଛୁଆ ମଧ୍ୟ ।କିନ୍ତୁ ଆଜିବି ମହାନ୍ତି ବାବୁ ବିଶ୍ୱାସ କରନ୍ତିନି ।
ଆଜିବି ପୁଅର ଅପେକ୍ଷାରେ ମହାନ୍ତି ବାବୁ ।ସବୁଦିନ ସକାଳେ ଥରେ ଆଉ ସନ୍ଧ୍ୟାରେ ଥରେ ଗାଁ ବସକୁ ଦେଖି ଆସନ୍ତି କାଳେ ସୋମୁ ଆସିବ ବୋଲି ।
"ଆଜିବି ବୁଢା ବୟସରେ ଆଶା ଛାଡିନାହାନ୍ତି।ସେଇ କୋରଡ କୋରଡ ପରସ୍ତ ଆଖି ଆଉ ଚମ ଧୁଡୁ ଧୁଡୁ ଶରୀର ଜଗି ବସିଛି ନିରୀହ ଚାହାଣୀରେ ।କେବେ ସେ ଅଲିଅଳି ଏକୋଈର ବଳା ବିସିକେସନ ଆସିବ ଆଉ ବାପାଙ୍କୁ କୁଣ୍ଢେଇ ବାପା ବାପା ବୋଲି ଡାକିବ ।"
"ସତରେ ସବୁ ବାପା କଣ ଏଇମିତି ନିଜ ସନ୍ତାନ ପାଇଁ ଜୀବନକୁ ତୁଛ ମନେ କରି ବଳି ଦେଇଦିଅନ୍ତି ।"
ତପନ କୁମାର ଦାଶ୍
ଶିକ୍ଷକ,ଥୁ:ରାମପୁର,କଳାହାଣ୍ଡି


0 Comments