ପ୍ରବନ୍ଧ - ବିଶ୍ଵାସରେ ଅନ୍ଧବିଶ୍ଵାସ - ପି. ପୁରବୀ ମହାନ୍ତି



ଆଜି ଅନେକ ଅନ୍ଧବିଶ୍ୱାସ ର ବଶବର୍ତ୍ତୀ ଆମ ଶିକ୍ଷିତ ସମାଜ । ରାସ୍ତା ରେ ବିରାଡ଼ି ଦେଖିବା, ଜିଭ କାମୁଡ଼ିଲେ ଜର ହେବା, ବାମ ଆଖି ଡେଇଁଲେ କିଛି ଖରାପ୍ ଖବର ପାଇବା,  ପାଦ କୁଣ୍ଡେଇଲେ ଯାତ୍ରା ର ସମାଚାର ଦେବା ଆଦି କେତେ କଣ ରହିଛି ଅନ୍ଧବିଶ୍ୱାସ ରୂପରେ । ବର୍ତ୍ତମାନ ସମାଜ  ପ୍ରତ୍ୟେକ କ୍ଷେତ୍ର ରେ ଅନ୍ଧବିଶ୍ୱାସ ରେ କଳୁଷିତ । ଏହି ଅଦରକାରୀ ମାନସିକତା ର ପ୍ରୟାଗ ଆଜି ମଧ୍ୟ ରହିଛି । 

ଅନ୍ଧବିଶ୍ୱାସ ଫଳରେ କୌଣସି ନା କୌଣସି କୋଣ ଅନୁକୋଣ ରେ କେହି ନା କେହି ଅତ୍ୟାଚାର ର ଶିକାର ହେଉଛି । ବିଶ୍ୱାସ ଉପରେ ଅନ୍ଧଭାବେ ଭରସା କଲେ ଆସେ  ଅନ୍ଧବିଶ୍ୱାସ । ଆମେ ଗୋଟିଏ ଉଦାହରଣ ନେଇପାରିବା ,ଗୋଟିଏ ପିଲା ସବୁ ଦିନ ପୂର୍ଣ୍ଣ କଳସୀ ଦେଖି ପରୀକ୍ଷା ଦେବାକୁ ଯାଏ କାରଣ ତାର ବିଶ୍ୱାସ ଓ ଭରସା ଯେ ସେ ପୂର୍ଣ୍ଣ କଳସୀ ଦେଖିକି ଗଲେ ସବୁ ଶୁଭ ହେବ ମାତ୍ର ଯେବେ ପୂର୍ଣ୍ଣ କଳସୀ ନଥିବ ବା କୌଣସି କାରଣ ବସତଃ କଳସୀ ପୂର୍ଣ୍ଣ ହୋଇନଥିବ ସେଦିନ ସେ ପରୀକ୍ଷା ଦେବାକୁ ଯିବନାହିଁ ବା ମଣିବ ନାହିଁ ତେବେ ଏହା ଅନ୍ଧବିଶ୍ୱାସ ରେ ରୂପାନ୍ତରିତ ହୋଇଯିବ । 

ଅନେକ ଙ୍କ ଭାଷାରେ ଯାହା ବିଜ୍ଞାନ ସମ୍ମତ ନୁହେଁ କି ତାହାର ଯୁକ୍ତି ଯୁକ୍ତତା କରିହୁଏ ନାହିଁ ଏବଂ ତେବେ ଯଦି ତାକୁ  ବିଶ୍ୱାସ କରାଯାଏ  ତାହା ଅନ୍ଧବିଶ୍ୱାସ କୁହାଯିବ। ଏହିଭଳି ଅନ୍ଧବିଶ୍ୱାସ ଆମେ ପୁରୁଷାନୁକ୍ରମେ ଅନେକ ଅଞ୍ଚଳରେ ପରମ୍ପରା ନାମରେ ତା ଆସ୍ଥାନ ମେଲେଇ ବସିଛି । ଏବଂ ଏହା ଏପରି ଆସ୍ଥାନ ମଡ଼େଇ ବସିଛି ଯେ ଏହାକୁ ପାଳନ ନକଲେ ପୂର୍ବ ପୁରୁଷ ମାନଙ୍କ ପ୍ରତି ଅନ୍ୟାୟ ହେବ ତାଙ୍କ ପ୍ରତି ଅସଦାଚରଣ ହେବ ବୋଲି ଏକ କୁସଂସ୍କାର ତା ମଧ୍ୟେ ଗଢିଉଠିଛି । ଇତିହାସ କାଳରୁ ଆମେ ଦେଖିବା ଅନେକ କୁସଂସ୍କାର ଓ ଅନ୍ଧବିଶ୍ୱାସ ର ରୂପ । ସେ ସତିଦାହ ପ୍ରଥା ହେଉ କିମ୍ବା ବାଲ୍ୟବିବାହ ହେଉ । 

ଏହିଭଳି କେତେକ ନିର୍ମମ କୁସଂସ୍କାର ଦ୍ଵାରା ସମାଜ କାହିଁ କେତେ କାଳରୁ ଅବହେଳିତ ହୋଇ ଆସୁଛି । ଏବଂ ଏହା ଫଳରେ ଅନେକ ନିରୀହ ଜନ ଜୀବନ ବିପର୍ଯ୍ୟସ୍ତ ହୋଇଛି । ପଶୁବଳୀ ଏହିଭଳି ଏକ ପରମ୍ପରା , ଯାହା ଫଳରେ ଠାକୁରାଣୀ ଙ୍କ ପାଖରେ ମନସ୍କାମନା ପୂର୍ଣ୍ଣ ଉଦ୍ଦେଶ୍ୟରେ ଜୀବଜନ୍ତୁ ଙ୍କୁ ହଣା କଟା ଯାଉଛି । ଏବଂ ଏହା ଆଜିକାଲି ପ୍ରବଳ ବେଗରେ ଆଗେଇଛି। ଏହି କାର୍ଯ୍ୟକଳାପ ଦେବ ଦେବୀ ଙ୍କ ପ୍ରତି ଭକ୍ତି ନୈବେଦ୍ୟ ପାଇଁ ଲୋକମାନେ କରନ୍ତି ନାହିଁ କେବଳ ଭୟ ଓ ଭୟ ଆଢୁଆଳରେ ଥିବା ଅବାଞ୍ଛିତ ଶାନ୍ତି ପାଇଁ କରାଯାଇଥାଏ । ନିର୍ବୋଧ ଜନ ମାନସ ଏ କଥା ଭୁଲି ଯାନ୍ତି ଯେ ପବିତ୍ର ମନରେ ସ୍ୱଚ୍ଛ ମନରେ ଭକ୍ତି ନୈବେଦ୍ୟ ପ୍ରଦାନ କଲେ ଭଗବାନ ଖୁସି ହେବେ ନା କି ଏଭଳି ଅଯୌକ୍ତିକ ଆଚରଣ ଦ୍ଵାରା ।


 ଏହି ବିଶ୍ୱାସ ଆଦୋୖ ବିଜ୍ଞାନ ସମ୍ମତ ନୁହେଁ କିନ୍ତୁ ଦୁଃଖ ର ବିଷୟ କେତେ ଶିକ୍ଷିତ ମାନେ ମଧ୍ୟ ଏହି କୁସଂସ୍କାର ରେ ସାମିଲ୍ ହୋଇ ଏହା ର ପଥ ପରିଷ୍କାର କରୁଛନ୍ତି । ଅନ୍ଧବିଶ୍ୱାସ ମାଧ୍ୟମରେ ଜନଗଣ ଙ୍କ ମନ ଆଉ ଭାବନା କୁ ଅକ୍ତିଆର କରି,କାବୁ କରି ରଖିବାର ଏକ ଯୋଜନା ଛଡ଼ା କିଛି ବି ନୁହଁ । ଆଉ ଏକ ଅନ୍ଧବିଶ୍ୱାସ ରୂପେ ଗୁଣି ଗାରେଡ଼ି ଆଜି ସହର ଠାରୁ ଗ୍ରାମାଞ୍ଚଳ ଚାରିଆଡ଼େ ପ୍ରଭାବିତ । ଜୀବନ ଅକାଳ ରେ ଗଡ଼ି ଯାଉଛି ଏହି ଗୁଣୀ ଗାରେଡ଼ି ଯୋଗୁଁ। ଆଜି ଆମେ ଆଧୁନୀକରଣ ରେ ବିଦ୍ୟମାନ ତଥାପି କୌଣସି ନା କୌଣସି ପ୍ରକାରେ ଏହି କୁସଂସ୍କାର, ଅନ୍ଧବିଶ୍ୱାସ କୁ ଛାଡ଼ି ପାରୁନାହୁଁ କହିବାକୁ ଗଲେ ଭୟ, ଲୋଭ ଆମକୁ ଅନ୍ଧବିଶ୍ୱାସ ଉପରେ ଆଉଜେଇ ଦେଇଛି । କଥାରେ ଅଛି -
"ଧନୀ ଠୁ ଗରିବ ସଭିୟେଁ ଆଜି ବଶବର୍ତ୍ତୀ ଏହା ପ୍ରତି  ବୈଜ୍ଞାନିକ ଯୁଗେ ଭାଳେଣୀ ପଡ଼ିଛି କିହେବ ଏହାର ଗତି ।"

ପି. ପୁରବୀ ମହାନ୍ତି
ଚମ୍ପେଇପାଳ, ଦଶରଥପୁର, ଯାଜପୁର

Post a Comment

0 Comments