ମେରୁ ପର୍ବତ ଶାହି ମୁଣ୍ଡା ହେବ
କାଳୀ ପାତ୍ର ସପ୍ତ ସାଗର,
କଳ୍ପ ବଟର ଶାଖାକୁ ଲେଖନୀ
ଲେଖିକା ଶାରଳାଙ୍କୁ କର।
ନବଖଣ୍ଡ ପୃଥୀ କରିଣ କାଗଜ
ଗୁଣ ଲେଖିବା ଯେ ପ୍ରଭୁର
ତଥାପି ଵର୍ଣ୍ଣିବା ସମ୍ଭବ ନୋହିବ
କୀରତି ତାଙ୍କର ଅପାର।
କହନ୍ତି ସଭିଏଁ ଦେବାକୁ ଠାକୁର
ନ ହୁଅନ୍ତି ଆଗୁସାର,
ପାଞ୍ଚାଳୀ ସମାନ ମାଗିକରି ଦେଖ
ପରିକ୍ଷା ନିଅ ତାଙ୍କର।
କେତେକ କହନ୍ତି ଶୁଣିବାକୁ ଦୁଃଖ
ହୁଅନ୍ତି କୁଣ୍ଠିତ ସେତ,
ଗଜରାଜ ଭଳି ଡାକ ହୃଦଖୋଲି
ଫେଡିଵେ ତୋର ଦୂରିତ।
ଆଉ କେ କହନ୍ତି ବଡ଼ବଡ଼ିଆ ଙ୍କ
ସଙ୍ଗେସାଙ୍ଗ ସାଥୀ ତାର,
ସୁଦାମ ବ୍ରାହ୍ମଣ କଥା ମନେ ହେଜି
ବାନ୍ଧବ ହୁଅ ତାହାର।
କେହି ବା କହନ୍ତି ଯାର ଭଲ ଜାତି
କରେ ସେ ତାକୁ ଆଦର,
ବୁଦୂର ର କେଉଁ ଜାତି ରହିଥିଲା
ଖାଇ ଥିଲା ତା କୁଟୀର।
ଭାବର ଠାକୁର ଅଟେ ଦାମୋଦର
ଲଗାଇଲେ ଭାବଡୋର,
ଆପଣାର କରି ନେବ ତୋତେ ସେହୁ
ଦୁଃଖ ତୋ କରିବ ଦୂର।
ଭାସ୍କର ଚନ୍ଦ୍ର ଦାସ୍
ଭୁବନେଶ୍ଵର ।


0 Comments