ମଗଧରେ ନିଶାନ୍ତ ନାମକ ଜଣେ ଶବର ରହୁ ଥିଲେ l ତାଙ୍କର ପୁଅଙ୍କର ନାମ ଥିଲା ଏକଲବ୍ୟ l ଏକଲବ୍ୟର ଯୁଦ୍ଧ ବିଦ୍ୟା ଶିକ୍ଷା ପ୍ରତି
ବହୁତ ଆଗ୍ରହ ଥିଲା l ସେ ଖୋଜି ବୁଲୁ ଥିଲା ଜଣେ ଉତ୍ତମ ଗୁରୁ ଠାରୁ ଯୁଦ୍ଧ ବିଦ୍ୟା ଶିକ୍ଷା ପାଇଁ l ବୁଲି ବୁଲି ଆସି ହସ୍ତୀନାରେ ପହଞ୍ଚିଲା l ସେ ଦେଖିବାକୁ ପାଇଲା ଜଙ୍ଗଲ ମଧ୍ୟରେ ଜଣେ ଗୁରୁ ଶିକ୍ଷାର୍ଥୀ ମାନଙ୍କୁ ବିଦ୍ୟା ଶିକ୍ଷା ଦେଉଛନ୍ତି l ସେ ହତା ବାହାରେ ଅପେକ୍ଷା କଲା l ବିଦ୍ୟା ଶିକ୍ଷା ପରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ଦୃଷ୍ଟି ଶବର ପିଲାଟି ଉପରେ ପଡିଲା l ସେ ଏକଲବ୍ୟ ପାଖକୁ ଆସିଲେ l ଗୁରୁ ଦ୍ରୋଣ କିଛି ପଚାରିବା ପୂର୍ବରୁ ଏକଲବ୍ୟ ତାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲା ଓ ନିଜର ପରିଚୟ ଦେଲା l ସେ ସମୟରେ ଜାତି ଭେଦ ପ୍ରଥା ପ୍ରଚଳିତ ଥିଲା l ଗୁରୁ ଦ୍ରୋଣାଚାର୍ୟ୍ଯ
କହିଲେ, ମୁଁ ହସ୍ତିନା ପୁରର ରାଜ ପୁତ୍ର ମାନଙ୍କୁ ଅସ୍ତ୍ର ବିଦ୍ୟା ଶିକ୍ଷା ଦେଉଛି l
ସେମାନେ ସମସ୍ତେ କ୍ଷତ୍ରିୟ l ତୁମେ ଜାତିରେ ଶବର l ତେଣୁ ମୁଁ ତୁମକୁ ବିଦ୍ୟା ଶିକ୍ଷା ଦେଇ ପାରିବି ନାହିଁ l
ଏକଲବ୍ୟ ମନ ଦୁଃଖରେ ଘଞ୍ଚ ଜଙ୍ଗଲ ଭିତରକୁ ଚାଲି ଗଲା l ସେଠାରେ ସେ ରହିବା ପାଇଁ କୁଡ଼ିଆ ଟିଏ ତିଆରି କଲା l ତା' ପରେ ଗୁରୁ ଦ୍ରୋଣଙ୍କର ପ୍ରତି ମୃର୍ତ୍ତିଟିଏ ତିଆରି କଲା l ସ୍ନାନ ଶୌଚ ସାରି ଗୁରୁଙ୍କୁ ଚରଣ ବନ୍ଦନl କରେ l ତାପରେ ସାମ୍ନାରେ ସାଧନାରେ ବସି ଯାଏ l ଗୁରୁ ତାଙ୍କ ଶିଷ୍ୟ ମାନଙ୍କୁ ଯେଉଁ ଯୁଦ୍ଧ ବିଦ୍ୟା ଶିକ୍ଷା ଦିଅନ୍ତି, ଏକଲବ୍ୟ ସବୁ ଜାଣି ପାରେ l ରାତ୍ରିରେ ସେ ବିଦ୍ୟା ଅଭ୍ୟାସ କରେ l ଏହି ପରି ବହୁ ଦିନ ବିତି ଗଲା l ଦିନେ ଗୁରୁ ଦ୍ରୋଣାଚାର୍ଯ୍ୟ ତାଙ୍କର କିଛି ଶିଷ୍ୟ ମାନଙ୍କୁ ନେଇ ଜଙ୍ଗଲ ରାସ୍ତାଦେଇ ଯାଉ ଥିଲେ l ତାଙ୍କ ସାଥିରେ କୁକୁରଟିଏ ଵି ଥିଲା l କୁକୁରଟି ଆଗେ ଆଗେ ଦୌଡ଼ି ଦୌଡ଼ି
ଯାଉ ଥିଲା l ପଛରେ ଗୁରୁ ଓ ଶିଷ୍ୟ ମାନେ ଯାଉ ଥିଲେ l ସେହି ସ ମୟରେ ଏକଲବ୍ୟ ଯୁଦ୍ଧ ବିଦ୍ୟା ଆଭାସ କରୁ ଥିଲା l କୁକୁରଟି ବାରମ୍ବାର ଭୋକିବାରୁ ଏକଲବ୍ୟର ବିଦ୍ୟା ଅଭ୍ୟାସରୁ ଧ୍ୟାନ ଭଗ୍ନ ହୋଇଗଲା l ତେଣୁ ସେ ଏପରି ଭାବରେ ତୀର ମରିଲା ଯେ କୁକୁରର ପାଟି ମେଲା ହୋଇ ରହିଲା l କୁକୁରଟି ଆଉ ଭୋକି ପାରିଲା ନାହିଁ l ସେ ଗୁରୁ ଦ୍ରୋଣଙ୍କ ପାଖକୁ ଫେରି ଆସିଲା l କୁକୁରର ଏପରି ଅବସ୍ଥା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ l କୁକୁରଟିକୁ ଗୁରୁ ଆଗକୁ ଯିବା ପାଇଁ ଆଦେଶ ଦେଲେ l କୁକୁରଟି ଅଗକୁ ଚାଲିଲା l ଗୁରୁ ଶିଷ୍ୟ କୁକୁର ପଛେ ପଛେ ଚାଲିଲେ l ଏକଲବ୍ୟ ଯେଉଁଠାରେ ବିଦ୍ୟା ଅଭ୍ୟାସ କରୁଥିଲା, ସେଠାରେ ଯାଇ ସମସ୍ତେ ପହଁଚିଲେ l ଏକଲବ୍ୟ ରୁରୁ ଦ୍ରୋଣକୁ ଦେଖି ଆସି ପ୍ରଣାମ କଲା l
ଗୁରୁ ଦ୍ରୋଣାଚାର୍ଯ୍ୟ ଶବର ବାଳକକୁ ପଚାରିଲେ ତୁମର ଗୁରୁ କିଏ ? ତୁମେ ଏ ସବୁ ବିଦ୍ୟା କାହା ଠାରୁ ଶିକ୍ଷା କରିଛ ? ଶବର ବାଳକଟି କହିଲା, ଗୁରୁଦେବ, ମୋତେ ଆପଣଚିହ୍ନି ପାରିଲେ ନାହିଁ ? ମୁଁ ଆପଣଙ୍କ ପାଖକୁ ବହୁ ଦିନ ପୂର୍ବେ ବିଦ୍ୟା ଶିକ୍ଷା ପାଇଁ ଯାଇଥିଲି l ଆପଣ ମୋତେ ଶବର କହି ଫେରାଇ ଦେଇ ଥିଲେ l ମୁଁ ଆପଣଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିଛି ଓ ଆପଣଙ୍କୁ ଗୁରୁ ବୋଲି ମାନି ପୂଜା କରୁଛି l ଆପଣ ଯେଉଁ ବିଦ୍ୟା ଶିଷ୍ୟ ମାନଙ୍କୁ ଶିଖାଉଛନ୍ତି, ମୁଁ ଧ୍ୟାନ
ବଳରେ ତାହା ଜାଣି ପାରୁଛି ଏବଂ ଅଭ୍ୟାସ କରୁଛି l ତେଣୁ ଆପଣ ମୋର ପୂଜ୍ୟ ଗୁରୁ ଅଟନ୍ତି l ଏ କଥା ଶୁଣି ଦ୍ରୋଣାଚାର୍ଯ୍ୟ ଆଶ୍ଚର୍ଯ୍ୟ ହେଲେ ଏବଂ କହିଲେ ବତ୍ସ ! ମୁଁ ତୁମକୁ ଶିଷ୍ୟ ଭାବରେ ଗ୍ରହଣ କରୁଛି l ଏ କଥା ଶୁଣି ଏକଲବ୍ୟ ଖୁସି ହୋଇଗଲା l ଗୁରୁ କହିଲେ ବତ୍ସ ! ମୋ ଠାରୁ ତୁମେ ବିଦ୍ୟା ଶିକ୍ଷା କରିଛ l ମୋତେ ଗୁରୁ ଦକ୍ଷିଣା ଦେବାକୁ ହେବ l ଏ କଥା ଶୁଣି ଏକଲବ୍ୟ କହିଲା,
କୁହନ୍ତୁ ଗୁରୁଦେବ, ଆପଣ ଯାହା କହିବେ ଗୁରୁ ଦକ୍ଷିଣା ମୁଁ ନିଶ୍ଚୟ ଦେବି l ତାପରେ ଦ୍ରୋଣାଚାର୍ଯ୍ୟ କହିଲେ ତୁମର ଡାହାଣ ହାତର ବୁଢା ଆଙ୍ଗୁଠି ମୋତେ ଗୁରୁ ଦକ୍ଷିଣା ଭାବରେ ଦିଅ l ଏ କଥା ଶୁଣି ଶବର ବାଳକଟି କିଛି ସମୟ ସ୍ତବ୍ଧ ହୋଇଗଲା l ତା 'ପରେ ନିଜର ଅଂଟାରେ ରଖିଥିବା ଛୁରୀ ବାହାର କରି ଅକୁଣ୍ଠିତ ଚିତ୍ତରେ ନିଜର ବୁଢା ଆଙ୍ଗୁଠି କାଟି ଗୁରୁଙ୍କୁ ଦକ୍ଷିଣା ଦେଇ ଥିଲା l ଏହା ପରେ ଗୁରୁ କହିଲେ ତୁମେ ଆଉ ହସ୍ତୀନାରେ ରହି ପାରିବ ନାହିଁ l ତୁମକୁ ମଗଧ ଫେରି ଯିବାକୁ ହେବ l ଶବର ବାଳକ ଏକଲବ୍ୟ କିଛି ନ କହି ଚୁପଚାପ ରହିଲା l ଆଖିରୁ ତାହାର ଲୁହର ବନ୍ୟା ଛୁଟି ଚାଲି ଥାଏ l ଏକଲବ୍ୟ ଗୁରୁ ଦକ୍ଷିଣା ଦେଇ ଯୁଗ ଯୁଗକୁ କୀର୍ତ୍ତି ରଖିଗଲା l ଗୁରୁ ଦ୍ରୋଣାଚାର୍ଯ୍ୟ ଏପରି କରିବାର ତାତ୍ପର୍ଯ୍ୟ ଥିଲା, ସେ ଚାହୁଁ ଥିଲେ ଅର୍ଜୁନ ସର୍ବ ଶ୍ରେଷ୍ଠ ଧନୁର୍ଦ୍ଧର ହୁଅନ୍ତୁ l ଅର୍ଜୁନଙ୍କ ଠାରୁ ଏକଲବ୍ୟ ତେଜସ୍ୱୀ ଥିଲା l ସାଧନା ବଳରେ ସେ ସବୁ ବିଦ୍ୟା ଶିକ୍ଷା କରିପାରୁ ଥିଲା l ଏକଲବ୍ୟ ଗୁରୁ ଦକ୍ଷିଣା ଦେଇ ଭାଙ୍ଗି ପଡି ନ ଥିଲେ l ଦୃଢ଼ ମନ ବଳ ନେଇ ସେ ପୁଣି ଅସ୍ତ୍ର ବିଦ୍ୟା ଆଭାସ କରିଥିଲେ l
ଋଷି ବ୍ୟାସଦେବ ନିଜକୁ ବଡ଼ ଜ୍ଞାନୀ ବୋଲି ଭାବୁ ଥିଲେ l ଦିନେ ସେ ଜଙ୍ଗଲ ରାସ୍ତା ଦେଇ ଯାଉ ଥିଲେ l ଦେଖିଲେ, ଜଣେ ଶବର ଖଜୁରୀ ଗଛ ପାଖରେ ଠିଆ ହୋଇ କିଛି ମନ୍ତ୍ର ପଢିଲେ l ତା'ପରେ ଖଜୁରୀ ଗଛଟି ଆପେ ଆପେ ତଳକୁ ନଇଁ ଆସିଲା l ସେ ଖଜୁରୀ ଗଛର ରସ ସଂଗ୍ରହ ପାଇଁ ଗଛର ଅଗ୍ର ଭାଗର ଅଳ୍ପ ଅଂଶ କାଟି ଗୋଟିଏ ମାଠିଆ ବସାଇ ଥିଲା l ସେ ମାଠିଆର ରସ ସଂଗ୍ରହ କଲା ପରେ ପୁଣି କି ମନ୍ତ୍ର ପଢିଲା ଯେ ଖଜୁରୀ ଗଛଟି ଆପେ ଆପେ ସିଧା ହୋଇ ଠିଆ ହୋଇ ଗଲା l ଏ ଘଟଣା ଦେଖି ବ୍ୟାସଦେବଙ୍କ ମନରୁ ଭ୍ରମ ଦୂର ହୋଇଗଲା l ସେ ସେହି ମନ୍ତ୍ରଟି ଶିଖିବା ପାଇଁ ଶବର ଘରକୁ ଗଲେ l
ଶବର ବ୍ୟାସଦେବଙ୍କୁ ଦେଖି ବାଡ଼ି ପଟ ରାସ୍ତା ଦେଇ ଜଙ୍ଗଲକୁ ପଳାଇ ଯାଏ l ଏହି ପରି ବ୍ୟାସଦେବ ସବୁ ଦିନେ ଶବର ଘରକୁ ଯାଆନ୍ତି, ନିରାଶ ହୋଇ ଫେରନ୍ତି l ଏହି ପରି କେତେ ଦିନ ବିତି ଗଲା l ଦିନେ ସକାଳେ ବ୍ୟାସଦେବ ବିଦ୍ୟା ଶିକ୍ଷା ପାଇଁ ଶବର ଘରକୁ ଯାଇଥାନ୍ତି l ଶବର ସେତେ ବେଳେ ଘରେ ନ ଥାଏ I ଶବର ପୁଅ ବ୍ୟାସଦେବଙ୍କୁ ପଚାରିଲା, ମୋ ବାବାଙ୍କ ପାଖରେ ତୁମର କି କାମ ଅଛି ? ତୁମେ କାହିଁକି ସବୁ ଦିନେ ଆମ ଘରକୁ ଆସୁଛ ? ବ୍ୟାସଦେବ ଖଜୁରୀ ଗଛରୁ ରସ ସଂଗ୍ରହ କଥା କହିଲେ l
ଏ କଥା ଶୁଣି ଶବର ବାଳକ କହିଲା, ଏ ମନ୍ତ୍ର ମୁଁ ଜାଣିଛି l ମୁଁ ତମକୁ କହି ଦେବି l ବ୍ୟାସଦେବ ଶବର ବାଳକ ଠାରୁ ମନ୍ତ୍ର ଶିକ୍ଷା କରି ନିଜ କୁଟୀରକୁ ଫେରି ଆସିଲେ l ଶବର ସନ୍ଧ୍ୟା ସମୟରେ ଘରକୁ ଫେରିଲା l ଶବର ବାଳକ ବ୍ୟାସଦେବଙ୍କୁ ବିଦ୍ୟା ଶିକ୍ଷା ଦେବା କଥା ତା ବାବାଙ୍କୁ କହିଲା l ଶବର ପୁଅକୁ କହିଲା, ଆମେ ଶବର ଲୋକ l ସେ ଜଣେ ବଡ଼ ପଣ୍ଡିତ l ଯାହା ଠାରୁ ବିଦ୍ୟା ଶିକ୍ଷା ଯାଏ ସେ ଗୁରୁ ହୁଏ l ବ୍ୟାସଦେବ କଣ ତୋତେ ଗୁରୁ ବୋଲି ମାନିବେ ?
ଏହି ପରି କିଛି ଦିନ ବିତି ଗଲା l ଦିନେ ଶବର ତା' ପୁଅକୁ କହିଲା ଚାଲ, ବ୍ୟାସଦେବଙ୍କ ଘରକୁ ଯିବା l ସେ ତୋତେ ଗୁରୁର ମର୍ଯ୍ୟଦା ଦେଉଛନ୍ତି କି ନାହିଁ ପରୀକ୍ଷା କରିବା l ବାପ ପୁଅ ବ୍ୟାସଦେବଙ୍କ ଘରକୁ ଗଲେ l ଶବର କିଛି ଦୂରରେ ବୁଦା ମୂଳରେ ଲୁଚି ରହିଲା l ଶବର ପୁଅ ବ୍ୟାସଦେବଙ୍କ ପାଖକୁ ଗଲା l ସେତେବେଳେ ବ୍ୟାସଦେବ ତାଙ୍କର ଶିଷ୍ୟ ମାନଙ୍କୁ ବିଦ୍ୟା ଶିକ୍ଷା ଦେଉଥିଲେ l ସେ ଶବର ବାଳକକୁ ଦେଖି ନିଜ ସ୍ଥାନରୁ ଉଠି ଆସିଲେ l ଶବର ବାଳକର ପଦ ଧୌତ କରିଦେଲେ l ତାକୁ ନିଜ ବସିବା ସ୍ଥାନରେ ବସାଇ ଫୁଲ ଦେଇ ଚରଣ ପୂଜା କଲେ l କିଛି ଫଳ ଖାଇବାକୁ ଆଣି ଦେଲେ l ଏହା ଦେଖି ଶବର ବ୍ୟାସଦେବଙ୍କ ପାଖକୁ ଆସି ଗୋଡ଼ ତଳେ ପଡି ରୋଦନ କଲା l କହିଲା, ମହାଭାଗ ! ମୁଁ ଭୁଲ କରିଛି l ମୋତେ କ୍ଷମା କରି ଦିଅ l ଆପଣ ଏତେ ବଡ଼ ପଣ୍ଡିତ ବୋଲି ମୁଁ ଆପଣଙ୍କୁ ବିଦ୍ୟା ଶିକ୍ଷା ଦେଇ ନ ଥିଲି l ମୁଁ ଜାତିରେ ଶବର l ଆପଣ ମୋତେ ଗୁରୁ ବୋଲି କାଳେ ମାନିବେ ନାହିଁ l ସେଥିପାଇଁ ମୁଁ ବିଦ୍ୟା ଶିକ୍ଷା ଦେବାକୁ କୁଣ୍ଠିତ ହେଉ ଥିଲି l
ବାସନ୍ତି ଲତା ଜେନା
ଗାନ୍ଧିନଗର,ନବରଙ୍ଗପୁର
ମୋ : 8658655979

0 Comments