ବୁଝି ଅବନୀର ଅବୁଝା ମନ
ଦୁରେଇ ନିଦାଘର ନିପୀଡନ
ପୁଲକେ ଭରିଦେଇ ତନୁମନ
ଧରାକୁ ଭିଜାଇ ଦିଏ ଶ୍ରାବଣ। ୧
କଳାବାଦଲର ସାଜି ସଂଗିନୀ
ବିଜୁଳି ଚମକେ ହୋଇ ରଙ୍ଗୀନି
ବରୁଣ ଦେବଙ୍କ ରାଜ ନନ୍ଦିନୀ
ସଭିଙ୍କୁ କରେ ପ୍ରେମରେ ବନ୍ଦିନୀ। ୨
ରିମ୍ ଝିମ୍ ବାରିଧାରା ମୂର୍ଚ୍ଛନା
ହୃଦୟରେ ଭରିଦିଏ ବେଦନା
ପ୍ରିୟା ସାଥେ ମିଳନର ଭାବନା
ହୃଦୟକୁ କରଇ ଆନମନା। ୩
ଅଶ୍ରୁ ସିକ୍ତ ବିରହିଣୀ ନୟନ
ପ୍ରତିକ୍ଷାରେ ବିତିଯାଏ ତା' ଦିନ
ମଧୁର ସ୍ମୃତି ଦିବ୍ୟ ସମ୍ମୋହନ
ବ୍ୟଥିତ କରୁଛି ପ୍ରାଣ ସ୍ପନ୍ଦନ। ୪
ମେଘ ମହ୍ଲାର ମୃଦୁ ମନ୍ଦ୍ର ଧ୍ବନି
ସୃଷ୍ଟି କରଇ ବିରହ ରାଗିଣୀ
ପ୍ରଜ୍ବଳିତ କରି ପ୍ରେମର ବହ୍ନି
ଦଗ୍ଧିଭୂତ କରେ ଭାବ ବନାନୀ।୫
ଉଜାଣି ବହି ପ୍ରୀତି ମନ୍ଦାକିନୀ
ଛିଞ୍ଚି ଦେଲା କି ମୃତ୍ୟୁ ସଞ୍ଜିବନୀ
ଉଜ୍ଜିବିତ ହେଲା ସ୍ମୃତି ରଞ୍ଜନୀ
ଲୁହରେ ଭିଜେ ପ୍ରିୟା ଅଭିମାନୀ। ୬
ନିବେଦିତା ମହାପାତ୍ର
ମୁକୁନ୍ଦ ମିଶ୍ର ନଗର, ଗୋପିନାଥ ପୁର
ପୁରୀ


0 Comments